ୟୋକୋହାମା (ଜାପାନ): ଭାରତର ଯୁବା ତାରକା ଜମ୍ପର ସାଇଲି ସିଂହ ଜାପାନରେ ନିଜର ଚମତ୍କାରିତା ଦେଖାଇଛନ୍ତି। ରବିବାର ସେଇକୋ ଗୋଲ୍‌ଡେନ୍‌ ଗ୍ରାଁ ପ୍ରିର ମହିଳା ଲଙ୍ଗ ଜମ୍ପ୍‌ରେ ସେ ତୃତୀୟ ସ୍ଥାନ‌ ଅଧିକାର କରିଛନ୍ତି। ୧୯ ବର୍ଷୀୟା ଏହି ଆଥ୍‌ଲେଟ୍‌ ପ୍ରଥମ ରାଉଣ୍ଡରେ ୬.୬୫ ମିଟର ଡେଇଁ ଥିଲେ। ଯାହା ତାଙ୍କ ‌ବ୍ୟକ୍ତିଗତ ଶ୍ରେଷ୍ଠଠୁ ୧୧ ସେଣ୍ଟିମିଟର କମ୍‌ ଥିଲା। ଏହି ପ୍ରତିଯୋଗିତାରେ ଜର୍ମାନିର ମାରିସେ ଲୁଜୋ‌ଲୋ (୬.୭୯ ମିଟର) ପ୍ରଥମ ଓ ଅଷ୍ଟ୍ରେଲିଆର ବ୍ରୁକ୍‌ ବୁଶ୍ଚକୁଏଲ (୬.୭୭ ମିଟର) ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ୨୦୨୧ ବିଶ୍ବ ୨୦ ବର୍ଷରୁ କମ୍‌ ଦୌଡ଼କୁଦ ପ୍ରତିଯୋଗିତାରେ ସାଇଲି ୬.୫୯ ମିଟର ଡେଇଁ ରୌପ୍ୟ ପଦକ ଜିତିଥିଲେ। ସେହିବର୍ଷ ଏପ୍ରିଲରେ ସେ ୬.୭୬ ମିଟର ଡେଇଁଥିଲେ। ଭାରତୀୟ ଆଥ୍‌ଲେଟ୍‌ ଭାବେ ଏହା ଦ୍ବିତୀୟ ଲମ୍ପା ଲଙ୍ଗ ଜମ୍ପ କୀର୍ତ୍ତିମାନ ହୋଇଥିଲା।