ନୀଳାଚଳଙ୍କ ନିଆରା ପ୍ରୟାସ: କରୋନା ପାଣ୍ଠି ପାଇଁ ପରିବା ବିକିଲେ ଯୁବ ପର୍ବତାରୋହୀ

ଭୁବନେଶ୍ବର: କରୋନା ମହାମାରୀ ପାଇଁ ସୃଷ୍ଟି ହୋଇଥିବା ସଙ୍କଟଜନକ ସ୍ଥିତିରେ କ୍ରୀଡ଼ାବିତ୍‌ମାନେ ମଧ୍ୟ ଦାୟିତ୍ବସଂପନ୍ନ ନାଗରିକ ଭାବେ ନିଜ ନିଜ ସାମାଜିକ କର୍ତ୍ତବ୍ୟ ତୁଲାଉଛନ୍ତି। ଜଣେ ଜଣେ ସଚ୍ଚା ସିପାହୀ ଭାବେ କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି। କିଏ ପୁଲିସ ତ ଆଉ କିଏ ଡାକ୍ତର ତଥା ନର୍ସ ଭାବେ ଆଗଧାଡ଼ିରେ ରହି ସାହସର ସହ କରୋନା ସମରରେ ଝାସ ଦେଇଛନ୍ତି। ଅତ୍ୟନ୍ତ ନିଷ୍ଠାପର ଭାବେ କାର୍ଯ୍ୟ କରି କରୋନା ଯୋଦ୍ଧାର ମାନ୍ୟତା ପାଉଛନ୍ତି। ଓଡ଼ିଶାର ଉଦୀୟମାନ ପର୍ବତାରୋହୀ ନୀଳାଚଳ ପରିଡ଼ା ମଧ୍ୟ ଏହି ଅଦିନିଆ ଓ ଅପ୍ରତ୍ୟାଶିତ ଯୁଦ୍ଧରେ ଯୋଗଦାନ କରିଛନ୍ତି। ମହାକାବ୍ୟ ରାମାୟଣର ‌ପ୍ରସିଦ୍ଧ ସେତୁବନ୍ଧ ଅଧ୍ୟାୟର ଛୋଟିଆ ଗୁଣ୍ଡୁଚି ମୁଷା ଭଳି କରୋନା ମୁକାବିଲା ମହାସମୁଦ୍ରରେ ଛୋଟ ହେଲେ ପ୍ରେରଣାଦାୟୀ ଯୋଗଦାନ ଦେଇଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଶୃଙ୍ଖଳାରେ ନିଜକୁ ଯୋଡ଼ିଛନ୍ତି ନୀଳାଚଳ। କରୋନା କାଳରେ ମାଗଣାରେ ପନିପରିବା ଓ ଅନ୍ୟାନ୍ୟ ତେଜରାତି ସାମଗ୍ରୀ ଲୋକଙ୍କ ଘରେ ପହଞ୍ଚାଉଛନ୍ତି ସେ। ସେହିଭଳି ରାଜଧାନୀ ଭୁବନେଶ୍ବରର ରେଣ୍ଟାଲ ଛକଠାରେ ଏକ ପରିବା ଦୋକାନ ଦେଇ ସେଥିରୁ ହେଉଥିବା ଲାଭ ସମାନ ଭାବେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରାଦନ କରିବାକୁ ଯୋଜନା ରଖିଛନ୍ତି। ନୀଳାଚଳ ପାଖାପାଖି ଏକମାସ ହେବ ଏହି ପରିବା ଦୋକାନଟି କରିଛନ୍ତି। ପ୍ରତିଦିନ ‌ଯେଉଁ ଲାଭ ହେଉଛି ତାକୁ ସଞ୍ଚୟ କରି ରଖୁଛନ୍ତି। ଲକଡାଉନ୍ ଉଠି ସ୍ଥିତି ସ୍ବାଭାବିକ ହେଲେ ଏଥିରୁ ହୋଇଥିବା ଲାଭ ଅର୍ଥକୁ କରୋନା ଲଢ଼େଇ ପାଇଁ ଦାନ କରିବାକୁ ଘୋଷଣା କରିଛନ୍ତି।

ବରମୁଣ୍ଡା ବାସିନ୍ଦା ନୀଳାଚଳ ନିଜେ ଏକ ଅତ୍ୟନ୍ତ ଗରିବ ପରିବାରରୁ ଆସିଛନ୍ତି। ପରିବାରର ଦୟନୀୟ ଆର୍ଥିକସ୍ଥିତି ପାଇଁ ପାହାଡ଼ଚଢ଼ା ନିଶା ରଖୁଥିବା ଏହି ଯୁବକ ଜଣକ ଗାଡ଼ି ଚଲାଇବାକୁ ପେସା କରିଥିଲେ। ହେଲେ କରୋନା ପାଇଁ ସବୁକିଛି ଠପ୍ ହୋଇଯିବା ପରେ ସେ ଘରେ ବସିବାକୁ ବାଧ୍ୟ ହୋଇଥିଲେ। ତଥାପି ଅଦୃଶ୍ୟ ଶତ୍ରୁ କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଯଥାସମ୍ଭବ ଯୋଗଦାନ ଦେବା ଲାଗି ପରିବା ‌ଦୋକାନଟିଏ ଖୋଲିଥିଲେ। କରୋନା ତାଙ୍କ ବୃତ୍ତିକୁ ବଦଳାଇ ଦେଇଛି ସତ, ହେଲେ ୨୪ ବର୍ଷୀୟ ନୀଳାଚଳଙ୍କ ମନ ଭିତରେ ଥିବା ସମାଜସେବା ଓ ଦେଶପ୍ରେମ ଭାବନାକୁ ଦୂର କରି ପାରିନାହିଁ। ଏଥିନେଇ ନୀଳାଚଳ କହିଛନ୍ତି ଯେ ପରିବା ଦୋକାନରୁ ଯେତିକି ଲାଭ ହେଉଛି, ତାକୁ ମୁଁ ନିଜେ ରଖିବି ନାହିଁ। ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରିଦେବି। ୨୦୦୦୦ ରୁ ୩୦୦୦୦ ଟଙ୍କା ଯୋଗାଡ଼ କରିବାକୁ ଲକ୍ଷ୍ୟ ରଖିଛି। ଏଥିରେ ମୋତେ ସୀମାଚଳ ପରିଡ଼ା ଓ ଶୁଭମ ବେହୁରା ସହଯୋଗ କରୁଛନ୍ତି। ସଟଡାଉନ୍ ଥିବାରୁ ପ୍ରଥମେ ପ୍ରଥମେ ଆମ ପାଇଁ ପରିବା ତଥା ଅନ୍ୟନ୍ୟ ସାମଗ୍ରୀ ସଂଗ୍ରହ କରିବା କଷ୍ଟକର ହେଉଥିଲା। କଟକଣା କୋହଳ ହେବା ପରେ ଏବେ ଟିକିଏ ସୁବିଧା ହେଉଛି। ପୁଲିସ ମଧ୍ୟ ଆମକୁ ପାସ୍ ଦେଇଛି। ଆମେ ସାଧାରଣତଃ ଏକ ନମ୍ବର ଚାଷୀ ହାଟରୁ ପରିବା ଆଣି ବିକୁଛୁ। ସେହିଭଳି ଘର ପାଖରେ ଥିବା ଏକ ହୋଲେସେଲ୍ ଦୋକାନରୁ ତେଜରାତି ସାମଗ୍ରୀ ମାଗଣାରେ ଆଖପାଖର ଲୋକଙ୍କ ଘରେ ପହଞ୍ଚାଇ ଦେଉଛୁ। ଆମେ ପ୍ରାୟ ୫ରୁ ୧୦ କିଲୋମିଟର ଭିତରେ ମାଗଣାରେ ହୋମ୍ ଡିଲିଭରି ଦେଉଛୁ। ହେଲେ ବରିଷ୍ଠ ନାଗରିକଙ୍କ ପାଇଁ ଏହାର କୌଣସି ସୀମା ନାହିଁ। ମୁଁ ରାଜ୍ୟର ଯୁବଶକ୍ତିକୁ ଅନୁରୋଧ କରିବି ଯେ ସେମାନେ ଅସହାୟଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ। ତାଙ୍କ ଆହ୍ବାନରେ ଅନୁପ୍ରେରିତ ‌ହୋଇ ଇନଫୋସିସ୍ କଂପାନିରେ କାର୍ଯ୍ୟ କରୁଥିବା ପ୍ରାଚୀ ରାଉତ ନାମକ ଜଣେ ଯୁବତୀ ୪୦୦୦ ଟଙ୍କାର ଆର୍ଥିକ ସହାୟତା ଦେଇଥିବା ନୀଳାଚଳ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ବରମୁଣ୍ଡା ଗାଁର ସ୍ବର୍ଗତ କରୁଣାକର ପରିଡ଼ା ଓ ଉର୍ମିଳା ପରିଡ଼ାଙ୍କ ପୁଅ ନୀଳାଚଳ ପର୍ବତାରୋହଣର ଉଚ୍ଚତ୍ତର ପ୍ରଶିକ୍ଷଣ ଶିକ୍ଷା ଗ୍ରହଣ କରିଥିଲା ବେଳେ ନିଜେ ପାହାଡ଼ ଚଢ଼ିବା ସହ ଅନ୍ୟମାନଙ୍କୁ ଏହାର ପ୍ରଶିକ୍ଷଣ ଦିଅନ୍ତି। ଦିନେ ନା ଦିନେ ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟ ଉପରେ ପାଦ ଥାପିବାକୁ ଲକ୍ଷ୍ୟ ରଖିଛନ୍ତି ସେ। ଗତବର୍ଷ ଜୁଲାଇ ମାସରେ ତାଙ୍କ ନେତୃତ୍ବରେ ରାଜ୍ୟର ୨୧ ଜଣ ପର୍ବତାରୋହୀ ଜମ୍ମୁ କାଶ୍ମିର‌ରେ ପର୍ବତ‌ାରୋହଣର ମୌଳିକ କଳା ଶିଖିଥିଲେ। ଏହି ଅବସରରେ ସେ ୧୩୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ହ୍ବାଇଟ୍ ଟପ୍ ଟ୍ରେକ୍ ଓ ୧୭୦୬୦ ଫୁଟ ଉଚ୍ଚତ ବିଶିଷ୍ଟ ମୋଚେଇ ପାସ୍ ଆରୋହଣ କରିଥିଲେ। ଚଳିତବର୍ଷ ସେ ୟୁରୋପର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଏଲବ୍ରିଜ୍ ଚଢ଼ିବାକୁ ଯୋଜନା କରିଥିଲେ। ଏଥିଲାଗି ନିଜସ୍ବ ଉଦ୍ୟମରେ ୧ ଲକ୍ଷ ୮୦ ହଜାର ଟଙ୍କା ମଧ୍ୟ ଯୋଗାଡ଼ କରିଥିଲେ। ହେଲେ କରୋନା ପାଇଁ ଏବେ ସବୁକିଛି ଅଟକି ଯାଇଛି।

ସମ୍ବନ୍ଧିତ ଖବର