ମିୟାଦାଦଙ୍କୁ ପଛରେ ପକାଇ ରେକର୍ଡ ସୃଷ୍ଟି କଲେ ମହିଳା କ୍ରିକେଟର, ସବୁଠାରୁ କମ ବୟସରେ ଦ୍ୱି-ଶତକ

ଡବଲିନ୍‌: କ୍ରିକେଟ ଦୁନିଆରେ ବୁଧବାର ଅନେକ ଗୁଡ଼ିଏ ରେକର୍ଡ ସୃଷ୍ଟି ହୋଇଛି। ନ୍ୟୁଜିଲାଣ୍ଡର ମହିଳା ଟିମ୍‌ ଆର୍ୟରଲାଣ୍ଡ ବିପକ୍ଷରେ ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ଶେଷ ଦିନିକିଆରେ ରନ୍‌ ବର୍ଷା କରିଛି। ଏହି ଟିମ୍‌ କେବଳ କ୍ରମାଗତ ଭାବରେ ୪୦୦ରୁ ଅଧିକ ରନ୍‌ ସଂଗ୍ରହ କରିଛି। ସେହିଭଳି ଦଳର ଖେଳାଳି ଏମୋଲିଆ କେର ଇତିହାସ ରଚିଛନ୍ତି।

ଆର୍ୟରଲାଣ୍ଡ ବିପକ୍ଷରେ ଡବଲିନ୍‌ର କେସଲ ଏଭନ୍ୟୁ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ଏମୋଲିଆ କେରଙ୍କ ଅପରାଜିତ ଶତକ (୨୩୨ ରନ୍‌, ୧୪୫ ବଲ) ବଳରେ ୩ଟି ଓ୍ଵକେଟ ବିନିମୟରେ ୪୪୦ ରନ୍‌ ସଂଗ୍ରହ କରିଛି। ଏଥି ସହିତ ଏମୋଲିଆ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ କମ ବୟସରେ ଦ୍ୱିଶତକ ହାସଲ କରିବାର ରେକର୍ଡ(ପୁରୁଷ ଓ ମହିଳା କ୍ରିକେଟ) ସ୍ଥାପନ କରିଛନ୍ତି।

ଏମୋଲିଆ ୧୮ ବର୍ଷ(୧୭ ବର୍ଷ ୨୪୩ ଦିନ) ବୟସରେ ଦ୍ୱି-ଶତକ ଯୋଡ଼ି ପାକିସ୍ତାନର ପୂର୍ବତନ କ୍ରିକେଟର ଜାଭେଦ ମିୟାଦାଦଙ୍କୁ ପଛରେ ପକାଇ ଦେଇଛନ୍ତି। ମିୟାଦାଦ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚରେ ୧୯୭୬ରେ ୨୦ ବର୍ଷ(୧୯ ବର୍ଷ ୧୪୦ ଦିନ) ବୟସରେ ଦ୍ୱି-ଶତକ(୨୦୬ ରନ୍‌) ସଂଗ୍ରହ କରିଥିଲେ।

ଏମୋଲିଆ ମହିଳା ଦିନିକିଆରେ ଅପରାଜିତ ୨୩୨ ରନ୍‌ ସଂଗ୍ରହ କରି ମହିଳା କ୍ରିକେଟରେ ସର୍ବାଧିକ ସ୍କୋର କରିଛନ୍ତି। ସେ ଅଷ୍ଟ୍ରେଲିଆର ବେଲିଣ୍ଡା କ୍ଲାର୍କ(ଅପରାଜିତ ୨୨୯ ରନ୍‌)କୁ ମଧ୍ୟ ପଛରେ ପକାଇଛନ୍ତି। ବେଲିଣ୍ଡା ତାଙ୍କର ରେକର୍ଡ ୧୯୯୭ରେ ଡେନମାର୍କ ବିପକ୍ଷରେ ମୁମ୍ବାଇରେ ସ୍ଥାପନା କରିଥିଲେ।

ସମ୍ବନ୍ଧିତ ଖବର