ପ୍ୟାରିସ୍: ଫ୍ରେଞ୍ଚ୍ ଓପନ୍କୁ ମିଳିଗଲା ଜଣେ ନୂଆ ବିଜୟୀନି। ସେ ହେଉଛନ୍ତି ପୋଲାଣ୍ଡ୍ ଲଳନା ଇଗା ସ୍ବେତକ୍। ଶନିବାର ମହିଳା ଏକକ ଫାଇନାଲ୍ରେ ବିଶ୍ବ ମାନ୍ୟତାର ୫୪ ତଥା ଏଠାରେ ଅଣମାନ୍ୟତା ଭାବେ ଅଂଶଗ୍ରହଣ କରିଥିବା ସ୍ବେତକ୍ ଚତୁର୍ଥ ମାନ୍ୟତାପ୍ରାପ୍ତ ଆମେରିକାର ସୋଫିଆ କେନିନ୍ଙ୍କୁ ସିଧାସଳଖ ସେଟ୍ରେ ପରାସ୍ତ କରି ଫ୍ରେଞ୍ଚ୍ ଓପନ୍ ମୁକୁଟ ପିନ୍ଧି ନେଇଛନ୍ତି। ଏହା ମଧ୍ୟ ସ୍ବେତକ୍ଙ୍କ କ୍ୟାରିୟରରେ ପ୍ରଥମ ଗ୍ରାଣ୍ଡ୍ସ୍ଲାମ୍ ଟ୍ରଫି। ଦୀର୍ଘ ୨୯ ବର୍ଷ ପରେ ସର୍ବକନିଷ୍ଠ ମହିଳା ଖେଳାଳି ଭାବେ ଫ୍ରେଞ୍ଚ୍ ଓପନ୍ ଫାଇନାଲ୍ରେ ପହଞ୍ଚିବାର ଗୌରବ ବହନ କରିଥିବା ୧୯ ବର୍ଷ ବୟସ୍କା ସ୍ବେତକ୍ ୬-୪ ଓ ୬-୧ ସେଟ୍ରେ କେନିନ୍ଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ଏଥି ସହିତ ସ୍ବେତକ୍ ମଧ୍ୟ ପ୍ରଥମ ପୋଲାଣ୍ଡ (ମହିଳା ହେଉ ବା ପୁରୁଷ) ଖେଳାଳି ଭାବେ ଏକକ ବର୍ଗରେ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ତୋଳିଧରିଲେ। ଫଳରେ କେନିନ୍ଙ୍କ ଦ୍ବିତୀୟ ଗ୍ରାଣ୍ଡ୍ସ୍ଲାମ୍ ଟ୍ରଫି ଜିତିବାର ଆଶା ଧୂଳିସାତ୍ ହୋଇଗଲା। କେନିନ୍ ଚଳିତ ବର୍ଷ ଫେବ୍ରୁଆରିରେ ଅଷ୍ଟ୍ରେଲିଆନ୍ ଓପନ୍ ଟ୍ରଫି ଜିତିଥିଲେ। ଯାହାକି ତାଙ୍କ କ୍ୟାରିୟରର ପ୍ରଥମ ଗ୍ରାଣ୍ଡ୍ସ୍ଲାମ୍ ବିଜୟ ଥିଲା। ସେ ମଧ୍ୟ ଚଳିତ ବର୍ଷ ଦ୍ବିତୀୟ ଗ୍ରାଣ୍ଡ୍ସ୍ଲାମ୍ ଫାଇନାଲ୍ ପ୍ରବେଶ କରିଥିଲେ। ହେଲେ ରୋଲାଁ ଗ୍ୟାରୋସ୍ର କ୍ଲେ-କୋର୍ଟରେ ସ୍ବେତକ୍ଙ୍କ ନିକଟରେ ତାଙ୍କ ଚମକ ପୂରା ମଳିନ ପଡ଼ିଯାଇଥିଲା। ୧୯୯୨ରେ ମୋନିକା ସେଲେସ୍ ସୁଜାନେ ଲେଙ୍ଗ୍ଲେନ୍ କପ୍ ଜିତିବା ପରେ ସ୍ବେତକ୍ ସର୍ବକନିଷ୍ଠା ଭାବେ ଟ୍ରଫି ଜିତିବାର ଗୌରବ ହାସଲ କଲେ।
ପ୍ୟାରିସ୍: ଚଳିତ ବର୍ଷର ଫ୍ରେଞ୍ଚ୍ ଓପନ୍ ଗ୍ରାଣ୍ଡସ୍ଲାମ୍ ପୁରୁଷ ଏକକ ଫାଇନାଲରେ ବିଶ୍ବ ଟେନିସ୍ର ଦୁଇ ମହାରଥୀ ସ୍ପେନ୍ ତାରକା ରାଫେଲ ନାଦାଲ ଓ ସର୍ବିୟାର ନୋଭାକ ଜୋକୋଭିକ ମୁହାଁମୁହିଁ ହେବେ। କ୍ଲେ-କୋର୍ଟ ମହାରାଜା ଭାବେ ପରିଚିତ ନାଦାଲ ଶୁକ୍ରବାର ପ୍ରଥମ ସେମିଫାଇନାଲ୍ରେ ଦ୍ବାଦଶ ସିଡ୍ ଆର୍ଜେଣ୍ଟିନାର ଡିଏଗୋ ସ୍କ୍ବାର୍ଜମ୍ୟାନଙ୍କୁ ସହଜରେ ୬-୩, ୬-୩, ୭-୬ (୦) ସେଟ୍ରେ ପରାସ୍ତ କରି ଲଗାତାର ଚତୁର୍ଥ ଏବଂ ମୋଟ ଉପରେ ତ୍ରୟୋଦଶ ଥର ପାଇଁ ଫ୍ରେଞ୍ଚ ଓପନ ଫାଇନାଲରେ ପ୍ରବେଶ କରିଥିଲେ। ସେହିଦିନ ବିଳମ୍ବିତ ରାତିରେ ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲ୍ରେ ଅନ୍ୟତମ ଟ୍ରଫି ଦାବିଦାର ଜୋକୋଭିକ ପାଞ୍ଚ ସେଟ୍ ବିଶିଷ୍ଟ ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଗ୍ରିସ୍ର ଷ୍ଟିଫାନସ୍ ସିସିପାସ୍ଙ୍କୁ ୬-୩, ୬-୨, ୫-୭, ୪-୬, ୬-୧ ସେଟ୍ରେ ପରାସ୍ତ କରି ୨୭ତମ ଥର ପାଇଁ ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ ଟିକେଟ ହାସଲ କରିଥିଲେ। ଫିଲିପ କାର୍ଟର କୋର୍ଟରେ ଖେଳାଯାଇଥିବା ଏହି ମ୍ୟାଚ୍ ଜିତିବାକୁ ଜୋକୋଭିକ୍ଙ୍କୁ ଦୀର୍ଘ ୩ ଘଣ୍ଟା ୩୪ ମିନିଟ୍ ସମୟ ଲାଗିଥିଲା।
ନାଦାଲଙ୍କ ପାଖରେ ଫେଡେରରଙ୍କ ସମକକ୍ଷ ସୁଯୋଗ
ରବିବାରର ପ୍ରତୀକ୍ଷିତ ଫାଇନାଲ୍ ଲଢ଼େଇରେ ଉଭୟ, ବିଶ୍ବର ଏକ ନମ୍ବର ଟେନିସ୍ ତାରକା ଜୋକୋଭିକ ଏବଂ ଦ୍ବିତୀୟ ମାନ୍ୟତାପ୍ରାପ୍ତ ୩୪ ବର୍ଷୀୟ ବାମହାତୀ ତାରକା ନାଦାଲଙ୍କ ପାଖରେ ନୂଆ କୀର୍ତ୍ତିମାନ କରିବାର ସୁଯୋଗ ରହିବ। ନାଦାଲ ବିଜେତା ହେଲେ ସ୍ବିଜରଲାଣ୍ଡର କିଂବଦନ୍ତି ଖେଳାଳି ରୋଜର ଫେଡେରରଙ୍କ ୨୦ ଗ୍ରାଣ୍ଡସ୍ଲାମ୍ ଟ୍ରଫି ବିଜୟର ସର୍ବକାଳୀନ କୀର୍ତ୍ତିମାନ ସମକକ୍ଷ ହେବେ। ଅନ୍ୟପକ୍ଷରେ ମଜାଳିଆ ବ୍ୟକ୍ତିତ୍ବ ପାଇଁ ପରିଚିତ ଜୋକୋଭିକ ମହିଳା ଲାଇନମ୍ୟାନ୍ଙ୍କୁ ବଲ୍ରେ ହିଟ୍ କରି ୟୁଏସ୍ ଓପନ୍ରେ ଅଯୋଗ୍ୟ ଘୋଷିତ ହେବା ପରେ ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟ୍ରଫି ତୋଳି ଧରିବାର ଗୌରବ ଅର୍ଜନ କରିବେ। ମୁହାଁମୁହିଁ ମୁକାବିଲାରେ ୩୩ ବର୍ଷୀୟ ଜୋକୋଭିକ କିନ୍ତୁ ନାଦାଲଙ୍କଠାରୁ ଆଗରେ ରହିଛନ୍ତି। ନାଦାଲଙ୍କ ବିପକ୍ଷରେ ତାଙ୍କ ଜୟ/ପରାଜୟ ପ୍ରଦର୍ଶନ ୨୯-୨୬ ରହିଛି। ଫାଇନାଲ୍ ମୁକାବିଲାରେ ମଧ୍ୟ ଜୋକୋଭିକ ୧୫-୧୧ରେ ନାଦାଲଙ୍କଠାରୁ ଆଗରେ ରହିଛନ୍ତି। ତେବେ ରୋଲାଁ ଗ୍ୟାରୋସରେ ପରସ୍ପର ଖେଳିଥିବା ୭ ମୁକାବିଲାକୁ ନାଦାଲ ଏକତରଫା ଭାବେ ୬ଟିରେ ବିଜୟୀ ହୋଇଛନ୍ତି। ୨୦୧୨, ୨୦୧୪ ଫାଇନାଲରେ ଜୋକୋଭିକଙ୍କୁ ହରାଇ ହିଁ ସେ ଏଠାରେ ବିଜେତା ଆଖ୍ୟା ଅର୍ଜନ କରିଥିଲେ। ହେଲେ ୨୦୧୫ରେ ହୋଇଥିବା ଶେଷ ଫ୍ରେଞ୍ଚ ଓପନ୍ ମୁକାବିଲା (କ୍ବାର୍ଟର ଫାଇନାଲ୍)ରେ ନାଦାଲଙ୍କୁ ଜୋକୋଭିକ ପରାସ୍ତ କରିଥିଲେ। ଜୋକୋଭିକ ସଂପ୍ରତି ୧୮ ଗ୍ରାଣ୍ଡସ୍ଲାମ୍ ଜିତି ନାଦାଲଙ୍କଠାରୁ ଗୋଟିଏ ଏବଂ ଫେଡେରରଙ୍କଠାରୁ ଦୁଇଟି ଟ୍ରଫି ପଛରେ ରହିଛନ୍ତି।