ଭୁବନେଶ୍ବର: ସ୍ଥାନୀୟ ଲୟେଲା ସ୍କୁଲ୍ରୁ ପରିଚାଳିତ ଏବଂ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍ ୟୁସୁଫ୍ ଓ ଇର୍ଫାନ୍ ପଠାନଙ୍କ ପରିକଳ୍ପିତ ‘କ୍ରିକେଟ୍ ଏକାଡେମି ଅଫ୍ ପଠାନ୍ସ’ ବା କାପ୍, ଭୁବନେଶ୍ବର ଅନୁକୂଲ୍ୟରେ ଆୟୋଜିତ ହେବାକୁ ଯାଉଥିବା ୟଙ୍ଗଷ୍ଟର୍ ପ୍ରିମିୟର୍ ଲିଗ୍ (ୱାପିଏଲ୍)ର ଲୋଗୋ ରବିବାର ଉନ୍ମୋଚିତ ହୋଇଯାଇଛି। ଡିସେମ୍ବର ୨୦ରୁ ଖେଳାଯିବାକୁ ଥିବା ଏହି କନିଷ୍ଠସ୍ତରୀୟ (୧୯ ବର୍ଷରୁ କମ୍) ଟ୍ବେଣ୍ଟି-୨୦ କ୍ରିକେଟ୍ ଲିଗ୍ରେ ୮ଟି ଫ୍ରାଞ୍ଚାଇଜ୍ ଭିତ୍ତିକ ଦଳ ଅଂଶଗ୍ରହଣ କରିବେ। କନିଷ୍ଠସ୍ତରରୁ ପ୍ରତିଭା ଚିହ୍ନଟ ଏବଂ ସେମାନଙ୍କ ସାମଗ୍ରିକ ବିକାଶ ଲକ୍ଷ୍ୟ ନେଇ ଆୟୋଜିତ ହେବାକୁ ଯାଉଥିବା ଏହି ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ଲାଗି ପାଖାପାଖି ୪୫୬ଜଣ ଖେଳାଳି ନାମ ପଞ୍ଜୀକରଣ କରିସାରିଛନ୍ତି। ଖେଳାଳି ନିଲାମ ଡିସେମ୍ବର ପହିଲାରେ ଅନୁଷ୍ଠିତ ହେବ ଏବଂ ପ୍ରତ୍ୟେକ ଫ୍ରାଞ୍ଚାଇଜ ଏଥିଲଗି ୨ରୁ ୪ ଲକ୍ଷ ଟଙ୍କାର ପାଣ୍ଠି ବିନିଯୋଗ କରିପାରିବେ। ପ୍ରତ୍ୟେକ ଦଳରେ ସର୍ବାଧିକ ୨୧ଜଣ ଖେଳାଳି ରହିବେ।
୮ଟି ଦଳକୁ ନେଇ ଖେଳାଯିବ ପ୍ରତିଯୋଗିତା
ପ୍ରତିଭା ଚିହ୍ନଟ ଓ ବିକାଶ ଉପରେ ବିଶେଷ ଧ୍ୟାନ
ଡିସେମ୍ବର ୧ରେ ଖେଳାଳି ନିଲାମ, ୨୦ରୁ ଆରମ୍ଭ
ଏକ ନିଆରା ପ୍ରୟୋଗକ୍ରମେ ସେଥିମଧ୍ୟରୁ ଜଣେ ରାଜ୍ୟସ୍ତରୀୟ ଖେଳାଳି, ୪ଜଣ ୧୬ବର୍ଷରୁ କମ୍ ଖେଳାଳି ଏବଂ ଦୁଇ ଜଣ ୧୪ବର୍ଷରୁ କମ୍ ଖେଳାଳି ଚୂଡ଼ାନ୍ତ ଏକାଦଶରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି। ସେହିଭଳି ମହିଳା କ୍ରିକେଟର୍ମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ ଲାଗି ବଳିଷ୍ଠ ମଞ୍ଚ ଯୋଗାଇବା ଉଦ୍ଦେଶ୍ୟ ନେଇ ଏବର୍ଷ ଦୁଇଟି ବାଳିକା ଦଳକୁ ନେଇ ସମାନ୍ତରାଳ ଭାବେ ଅନ୍ୟଏକ ମିନି ଲିଗ୍ ଖେଳିବାକୁ ଯୋଜନା ରହିଛି। ଆସନ୍ତା ଋତୁରୁ ବାଳକଙ୍କ ଭଳି ବାଳିକା ଲିଗ୍ ମଧ୍ୟ ଆୟୋଜିତ ହେବ ବୋଲି କାପ୍, ଭୁବନେଶ୍ବରର ମାଲିକ ତଥା ଏଆର୍ ସ୍ପୋର୍ଟସର ପରିଚାଳନା ନିର୍ଦ୍ଦେଶକ ଆଶୋକ କୁମାର ସୂଚନା ଦେଇଛନ୍ତି। ମାତ୍ର ଦୁଇବର୍ଷ ତଳେ ଆରମ୍ଭ ହୋଇଥିବା କାପ୍, ଭୁବନେଶ୍ବରରୁ ରାଜ୍ୟ ୧୯ବର୍ଷରୁ କମ୍ ଦଳରେ ୫ଜଣ ଖେଳାଳି (ଉଭୟ ବାଳକ ଓ ବାଳିକା) ଯଥା ଆୟୁଷ ଚାନ୍ଦ, ପ୍ରତ୍ୟୁଷ ମହାନ୍ତି, ମିତାଲି ଶର୍ମା, ଶ୍ରେୟା ପ୍ରିୟଦର୍ଶିନୀ ଓ ଅନୁଷ୍କା ମିଶ୍ର ସାମିଲ ହୋଇଛନ୍ତି। ଆଗାମୀ ସମୟରେ ଏକାଡେମିରୁ ଆହୁରି ଅନେକ ରାଜ୍ୟସ୍ତରୀୟ ଖେଳାଳି ସୃଷ୍ଟି ହେବେ ବୋଲି ସେ ଦୃଢ଼ ଆଶା ପୋଷଣ କରିଛନ୍ତି। ପ୍ରତିଯୋଗିତାର ସଫଳ ଆୟୋଜନ ଲାଗି ଶ୍ରୀ କୁମାର ମଧ୍ୟ ଓଡ଼ିଶା କ୍ରିକେଟ୍ ସଂଘର ସହଯୋଗ ଲୋଡ଼ିଛନ୍ତି।
ରବିବାର ସଂଧ୍ୟାର ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଲୟେଲା ସ୍କୁଲ୍ର ପ୍ରଧାନଶିକ୍ଷକ ଫାଦର ଏ. ଅମଲଦୋସ, ଏସ୍ଜେ ଆଣ୍ଡ ରିଆକ୍ଟର ଫାଦର ଅଗଷ୍ଟିନ୍, ଦଧିଚି ପବ୍ଲିକ୍ ସ୍କୁଲ୍ ଭୁବନେଶ୍ବରର ଅଧ୍ୟକ୍ଷ ମନୋଜ କୁମାର ଦାସ, ବିବିଏନ୍ ପ୍ଲାଷ୍ଟିକ୍ସର ଅଧ୍ୟକ୍ଷ ୟୁସି ଭଞ୍ଜ ଏବଂ କ୍ରୀଡ଼ା ପରିଚାଳନା କଂପାନି ‘ଇନସିଙ୍ଗ୍ ଏଡୁ ସ୍ପୋର୍ଟର ଏଲଏଲପି’ର ସହପ୍ରତିଷ୍ଠାତା ଅଜିଜା ଖାନମ୍ ଓ ସାଗରିକା ମହାପାତ୍ର, ସୁକାନ୍ତ କୁମାର ଦଶ ପ୍ରମୁଖ ଉପସ୍ଥିତ ଥିଲେ।