ଅଧିନାୟକ ପଦ ଛାଡ଼ିବାର କାରଣ କହିଲେ ୟୁନିସ

କରାଚି: ପୂର୍ବତନ ଅଧିନାୟକ ୟୁନିସ୍‌ ଖାନ୍‌ଙ୍କ ନେତୃତ୍ବରେ ୨୦୦୯ରେ ପାକିସ୍ତାନ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜେତା ହେବାର ଗୌରବ ପାଇଥିଲା। ଏହା ସତ୍ତ୍ବେ ୟୁନିସ୍‌ଙ୍କୁ ଅଧିନାୟକ ପଦ ଛାଡ଼ିବାକୁ ପଡ଼ିଥିଲା। ଏହାର କାରଣ ସୋମବାର ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ୟୁନିସ। ଜୀବନର ମୁଁ ଏମିତି ଏକ ପରିସ୍ଥିତିକୁ ସାମ୍ନା କରିଥିଲି। ଯେଉଁଠାରେ ସତ କଥା କହିଲେ ପାଗଳ ଭାବରେ ପରିଗଣିତ କରାଯାଇଥିଲା। ଦେଶ ପାଇଁ କଠିନ ପରିଶ୍ରମ କରିବାକୁ ଖେଳାଳିମାନେ ଚାହୁଁ ନଥିଲେ। ମୋର ଦୋଷ ସେମାନଙ୍କୁ ଏଥିଲାଗି ବିରୋଧ କରିବା। ଖେଳାଳିମାନେ ପରେ ଏହି ଭୁଲ୍‌ ବୁଝିଥିଲେ। କାରଣ ପଦ ଛାଡ଼ିବା ପରେ ସେମାନଙ୍କ ସହ ବହୁତ ଦିନ ଧରି ଖେଳିଥି‌ଲି। ମୁଁ ଜାଣେ ମୋର କୌଣସି ଭୁଲ୍‌ ନଥିଲା। ଏହା ଏକ ଶିକ୍ଷା ଥିଲା। ମୁଁ ମୋ ବାପାଙ୍କଠୁ ସବୁବେ‌େଳ ସତ କହିବା ଓ ନମ୍ର ରହିବା ଶିଖିଥିଲି ବୋଲି ୨୦୧୭ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିବା ୟୁନିସ୍‌ କହିଛନ୍ତି।

ସେହି ପୁରୁଣା ସ୍ମୃତିକୁ ମନେ ପକାଇ ୟୁନିସ୍‌ କହିଛନ୍ତି ଯେ ପଦ ଛାଡ଼ିବା ପୂର୍ବରୁ ମୁଁ ଜାଣିଥିଲି ୮-୯ ଜଣ ଖେଳାଳି ମୋତେ ଅଧିନାୟକ ପଦରୁ ବିଦା କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ମୋତେ ଲାଗିଥିଲା ଯେ ମୋର ଦଳ ଉପରେ କୌଣସି ପ୍ରଭାବ ନାହିଁ। ଜଣେ ଅଧିନ‌ାୟକ ଭାବେ ଖେଳାଳିମାନେ ଯଦି ମାନିବେନି ତେବେ ନେତୃତ୍ୱ ନେବାର କ’ଣ ଆବଶ୍ୟକ? ଜାଭେଦ ମିଆଁଦାଦ୍‌ଙ୍କ ପାଇଁ ଅଧିକ ଶତକ ଅର୍ଜନ କରିପାରିଛି। ସେ ପ୍ରଶିକ୍ଷକ ଥିଲା ବେଳେ କହୁଥିଲେ ଥରେ ତୁମେ ୧୦୦ରେ ପହଞ୍ଚିବା ପରେ ଭାବ, ତୁମେ ଶୂନରୁ ଆରମ୍ଭ କରୁଛ। ଏହା ଶୁଣିବାକୁ ଧାରଣା ପରି ଲାଗିପାରେ, କିନ୍ତୁ କରିବା ଏକ କଷ୍ଟସାଧ୍ୟ କାର୍ଯ୍ୟ। ଏଥିପାଇଁ ଶାରୀରିକ ସୁସ୍ଥତା ସହିତ ମାନସିକ ସୁସ୍ଥତାର ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି। ଯଦି ଆପଣ ଭାରତୀୟ କ୍ରିକେଟ୍‌କୁ ଦେଖିବେ, ସଚିନ ତେନ୍ଦୁଲକର ଥିଲା ବେଳେ ବିରାଟ କୋହଲି କିମ୍ବା ରୋହିତ ଶର୍ମାଙ୍କ ଭଳି ଖେଳାଳି ଆସିଥିଲେ। ଜଣେ ମହାନ ବ୍ୟାଟ୍ସମ୍ୟାନ୍ କିପରି ଭଲ ପାଳି ଖେଲିବା ପାଇଁ ନିଜକୁ ପ୍ରସ୍ତୁତ କରନ୍ତି ତାହା ସେମାନେ ଦେଖିଲେ। ଫଳରେ ପରବର୍ତ୍ତୀ ସମୟରେ ‌ଭଲ କରିବା ଲାଗି ସେମାନେ ଉତ୍ସାହିତ ହୋଇପାରିଥିଲେ ବୋଲି ୟୁନିସ କହିଛନ୍ତି। ନିଜ ଦେଶର ଯୁବ କ୍ରିକେଟର୍‌ମାନଙ୍କୁ ପରାମର୍ଶ ଦେଇ ୟୁନିସ କହିଛନ୍ତି ଯେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ ଲାଗି ଅନେକ ଶକ୍ତି ଦରକାର। ଏଥିଲାଗି ପ୍ରତିଦ୍ୱନ୍ଦ୍ୱୀ ଦଳର ବିରାଟ, ରୋହିତ କିମ୍ବା ଷ୍ଟିଭ ସ୍ମିଥଙ୍କ ଭିଡିଓ ଫୁଟେଜକୁ କ୍ରମାଗତ ଭାବରେ ବିଶ୍ଳେଷଣ କର। ତେବେ ନିଶ୍ଚିତ ସଫଳ ହୋଇପାରିବ।

ସମ୍ବନ୍ଧିତ ଖବର