ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଅଧିନାୟକ ୟୁନିସ୍ ଖାନ୍ଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଏହି ଦେଶର ପୂର୍ବତନ ବ୍ୟାଟିଂ ପ୍ରଶିକ୍ଷକ ଗ୍ରାଣ୍ଟ ଫ୍ଲାୱାର। ଜିମ୍ବାୱେର ଏହି କ୍ରିକେଟର ଅବସର ପରେ ପ୍ରଶିକ୍ଷଣକୁ ପେସା କରିଥିଲେ ଏବଂ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ପାକିସ୍ତାନର ବ୍ୟାଟିଂ ପ୍ରଶିକ୍ଷକ ଥିଲେ। ପାକିସ୍ତାନ ଦଳ ସହ କାର୍ଯ୍ୟ କରୁଥିଲା ବେଳେ ୟୁନିସ୍ କିଭଳି ହଠାତ୍ ଦିନେ ତାଙ୍କ ତଣ୍ଟିରେ ଛୁରି ଲଗାଇ ଦେଇଥିଲେ, ସେ ବିଷୟ ବର୍ଣ୍ଣନା କରିଛନ୍ତି ଫ୍ଲାୱାର। ନିଜ ଭାଇ ଆଣ୍ଡି ଫ୍ଲାୱାର ଓ ଉପସ୍ଥାପକ ନିଲ ମନଥ୍ରୋପଙ୍କ ସହ ‘ଫଲୋଇଂ ଅନ୍ କ୍ରିକେଟ୍ ପଡସଟ୍’ ନାମକ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଫ୍ଲାୱାର କହିଛନ୍ତି ଯେ ୟୁନିସଙ୍କୁ ସମ୍ଭାଳିବା ବହୁତ କଷ୍ଟକର ଥିଲା। ବ୍ରିସବନରେ ଘଟିଥିବା ଏକ ଘଟଣା ମୋର ଏବେ ବି ମନେ ଅଛି।
ଜଳଖିଆ ଖାଇଲା ବେଳେ ମୁଁ ୟୁନିସଙ୍କୁ କିଛି ବ୍ୟାଟିଂ ପରାମର୍ଶ ଦେବାକୁ ଚେଷ୍ଟା କରିଥିଲି। ହେଲେ ସେ ମୋ ପରାମର୍ଶକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ବରଂ ଏକ ଛୁରି ଆଣି ମୋ ତଣ୍ଟିରେ ଲଗାଇ ଦେଇଥିଲେ। ମୁଖ୍ୟ ପ୍ରଶିକ୍ଷକ ମିକି ଆର୍ଥରଙ୍କ ଉପସ୍ଥିତିରେ ଏହି ଘଟଣା ଘଟିଥିଲା। ସେ ହସ୍ତକ୍ଷେପ କରିବା ପରେ ଯାଇ ୟୁନିସ୍ ଶାନ୍ତ ପଡ଼ିଥିଲେ। ମୁଁ ଭାବେ ଏହା ପ୍ରଶିକ୍ଷଣର ଏକ ଅଂଶ। କଷ୍ଟକର ଯାତ୍ରା ହେଲେ ମଧ୍ୟ ପାକିସ୍ତାନ କାର୍ଯ୍ୟକାଳକୁ ମୁଁ ମନଭରି ଉପଭୋଗ କରିଥିଲି। ମୁଁ ଏବେ ବି ବହୁତ କିଛି ଶିଖୁଛି। ଏବେ କିନ୍ତୁ ଯେଉଁ ସ୍ଥିତିରେ ଅଛି, ସେଥିପାଇଁ ନିଜକୁ ଭାଗ୍ୟଶାଳୀ ମନେ କରୁଛି। ଫ୍ଲାୱାର ସୂଚନା ଦେଇଥିଲେ ଯେ ଏହି ଘଟଣା ପାକିସ୍ତାନର ୨୦୧୬ ଅଷ୍ଟ୍ରେଲିଆ ଗସ୍ତବେଳେ ଘଟିଥିଲା। ବ୍ରିସବନ୍ ଟେଷ୍ଟ୍ର ପ୍ରଥମ ପାଳିରେ ୟୁନିସ୍ ଖାତା ଖୋଲି ପାରି ନଥିଲେ। ଦ୍ବିତୀୟ ପାଳିରେ ଅବଶ୍ୟ ୬୫ ରନ୍ କରିଥିଲେ। ସିଡ୍ନି ଟେଷ୍ଟ୍ରେ ସେ ଫର୍ମକୁ ଫେରି ୧୭୫* ରନ୍ର ପାଳି ଖେଳିଥିଲେ। ପାକିସ୍ତାନ କିନ୍ତୁ ତିନି ଟିକିଆ ଶୃଙ୍ଖଳାକୁ ୦-୩ରେ ହାରିଥିଲା। ୟୁନିସଙ୍କ ଭଳି ପାକିସ୍ତାନର ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଅହମ୍ମଦ ସେହଜାଦ ମଧ୍ୟ ଆଉ ଜଣେ ରହସ୍ୟମୟ ବ୍ୟକ୍ତି ଥିଲେ ବୋଲି ସଂପ୍ରତି ଶ୍ରୀଲଙ୍କାର ବ୍ୟାଟିଂ ପ୍ରଶିକ୍ଷକ ଥିବା ଫ୍ଲାୱାର ଏହି ଅବସରରେ କହିଥିଲେ। ‘‘ ସେହଜାଦ ଜଣେ କୁଶଳୀ କ୍ରିକେଟର, ହେଲେ ବିଦ୍ରୋହୀ ସ୍ବଭାବର। ସବୁ ଦଳରେ ଏମିତି ଜଣେ ଦୁଇ ଜଣ ଖେଳାଳି ଥାଆନ୍ତି। କେବେ କେବେ ସେମାନଙ୍କୁ ଏହା ଭଲ ଖେଳାଳି ହେବାରେ ସହାୟକ ହୋଇଥାଏ। ଫ୍ଲାୱାର ଜିମ୍ବାୱେ ପକ୍ଷରୁ ୬୭ ଟେଷ୍ଟ୍ ଖେଳି ୩୪୫୭ ଓ ୨୨୧ ଦିନିକିଆରୁ ୬୫୭୧ ରନ୍ କରିଛନ୍ତି। ସେପଟେ ୟୁନିସ୍ ୧୧୮ ଟେଷ୍ଟ୍ ଓ ୨୬୫ ଦିନିକିଆରେ ପାକିସ୍ତାନର ପ୍ରତିନିଧିତ୍ବ କରିଛନ୍ତି। ସେ ୨୦୧୭ରେ ଟେଷ୍ଟ୍ ଓ ୨୦୧୫ରେ ଦିନିକିଆରୁ ଅବସର ଘୋଷଣା କରିଥିଲେ। ନିକଟରେ ସେ ଇଂଲଣ୍ଡ ଗସ୍ତରେ ଥିବା ପାକିସ୍ତାନ କ୍ରିକେଟ୍ ଦଳର ବ୍ୟାଟିଂ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/younis.jpg)