ଯୁବ ଏସିଆ କପ୍‌: ଅର୍ଜୁନ ଓ ତିଲକଙ୍କ ଶତକ, ପାକିସ୍ତାନକୁ ୬୦ ରନରେ ହରାଇଲା ଭାରତ

ପାକିସ୍ତାନକୁ ୬୦ ରନ୍‌ରେ ହରାଇଲା ଭାରତ

ମୋରାତୁୱା: ଗୁରୁବାରଠୁ ଆରମ୍ଭ ହୋଇଥିବା ଯୁବ (୧୯ ବର୍ଷରୁ କମ୍‌) ଏସିଆ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ୬ ଥରର ବିଜେତା ଭାରତ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ଗ୍ରୁପ୍‌-ଏରେ ସ୍ଥାନ ପାଇଥିବା ଭାରତ ଗୁରୁବାର ପ୍ରଥମ ମ୍ୟାଚ୍‌ରେ କୁଏତକୁ ୭ ୱିକେଟ୍‌ରେ ହରାଇଥିଲା। ଏହାପରେ ଶନିବାର ନିଜର ଦ୍ବିତୀୟ ମ୍ୟାଚ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୬୦ ରନ୍‌ରେ ପରାସ୍ତ କରିଦେଇଛି। ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଅର୍ଜୁନ ଆଜାଦ କ୍ରମାଗତ ଦ୍ବିତୀୟ ମ୍ୟାଚ୍‌ରେ ବି ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ।

ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ସୁଭେଦ୍‌ ପାର୍କର (୩) ଅଷ୍ଟମ ଓଭରର ଶେଷ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ହେଲେ କୁଏତ୍‌ ବିପକ୍ଷ ମ୍ୟାଚ୍‌ରେ ଅପରାଜିତ ୬୦ ରନ୍‌ କରି ‌ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିବା ଅର୍ଜୁନ ଆଜାଦ (୧୨୧ ରନ୍‌, ୧୧୧ ବଲ୍‌, ୧୧ ଚୌକା ଓ ୪ ଛକା) ଏବଂ ତିଲକ ବର୍ମା (୧୧୦ ରନ୍‌, ୧୧୯ ବଲ୍‌, ୧୦ ଚୌକା, ୧ ଛକା)ଙ୍କ ଦମ୍‌ଦାର ଶତକ ବଳରେ ଭାରତ ୫୦ ଓଭରରେ ୯ ୱିକେଟ୍‌ ହରାଇ କରିଥିଲା ୩୦୫ ରନ୍‌। ଅର୍ଜୁନ ଓ ତିଲକ ଦ୍ବିତୀୟ ୱିକେଟ୍‌ରେ ୧୮୩ ରନ୍ ଯୋଡ଼ି ଭାରତକୁ ବଡ଼ ସ୍କୋର୍‌ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଧ୍ରୁବ ଜୁରେଲ୍‌ (୧୦), ସାସ୍ବତ ରାଉତ (୧୮) ଏବଂ ଅଥର୍ବ ଅଙ୍କୋଲେକର (୧୬*) ଦୁଇ ଅଙ୍କ ଛୁଇଁଥିଲେ। ପାକିସ୍ତାନ ପକ୍ଷରୁ ନସିମ୍‌ ସାହା ଓ ଆବାସ ଆଫ୍ରିଦି ୩ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ବିଶାଳ ସ୍କୋର୍‌ର ପିଛା କରିଥିବା ପାକିସ୍ତାନ ଅଧିନାୟକ ରୋହେଲ ନାଜିର (୧୧୭ ରନ୍‌, ୧୦୮ ବଲ୍‌, ୧୨ ଚୌକା, ୩ ଛକା)ଙ୍କ ଲଢ଼ୁଆ ଶତକ ସତ୍ତ୍ବେ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇବାରୁ ୨୪୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ହାରିସ୍‌ ଖାନ୍‌ ୪୩ ରନ୍‌ କରିଥିଲା ବେଳେ ଦଳ ୪୬.୪ ଓଭରରେ ଆଉଟ୍‌ ହୋଇଯାଇଥିଲା। ଭାରତ ପକ୍ଷରୁ ଅଲ୍‌ରାଉଣ୍ଡର ଅଙ୍କୋଲେକର ୩, ବିଦ୍ୟାଧର ପାଟିଲ ଓ ସୁଶାନ୍ତ ମିଶ୍ର ୨ ଲେଖାଏଁ ଏବଂ ଆକାଶ ସିଂହ ଓ କରନ ଲାଲ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଏହି ବିଜୟ ସହିତ ଭାରତ ୨ ମ୍ୟାଚ୍‌ରୁ ୪ ପଏଣ୍ଟ୍‌ ପାଇ ଆଫ୍‌ଗାନିସ୍ତାନ (୪ ପଏଣ୍ଟ୍‌) ପଛକୁ ଦ୍ବିତୀୟରେ ରହିଛି।

ସମ୍ବନ୍ଧିତ ଖବର