କାକାମିଗାହାରା (ଜାପାନ): ଚଳିତ କନିଷ୍ଠ ମହିଳା (ଯୁବା) ଏସିଆ କପ୍ ହକି ପ୍ରତିଯୋଗିତାର ସେମିଫାଇନାଲ୍ରେ ଭାରତ ପ୍ରବେଶ କରିଛି। ପୁଲ୍-ଏ’ରେ ସ୍ଥାନ ପାଇଥିବା ଭାରତ ଗୁରୁବାର ଶେଷ ଲିଗ୍ ମ୍ୟାଚ୍ରେ ଚାଇନିଜ୍ ତାଇପେକୁ ୧୧-୦ ଗୋଲ୍ରେ ହରାଇଥିଲା। ଫଳରେ ୪ ମ୍ୟାଚ୍ରୁ ୩ ବିଜୟ ଓ ୧ ଅମୀମାଂସିତରୁ ୧୦ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଥିଲା। ଭାରତ ଶନିବାର ସେମିଫାଇନାଲ୍ରେ ଜାପାନକୁ ଭେଟିବ।
ଗୁରୁବାର ମ୍ୟାଚ୍ର ପ୍ରଥମ ମିନିଟ୍ରେ ହିଁ ବୈଷ୍ଣବୀ ଭିଥାଲ ଫାଲ୍କେଙ୍କ ଫିଲ୍ଡ ଗୋଲ୍ରେ ଭାରତ ଅଗ୍ରଣୀ ନେଇଥିଲା। ଏହାପରେ ଦୀପିକା (୩ ମିନିଟ୍) ପେନାଲ୍ଟି ଗୋଲ୍ ଦେଇଥିଲେ। ପ୍ରଥମ କ୍ବାର୍ଟରର ଶେଷ ୫ ମିନିଟ୍ରେ ଅନୁ (୧୦ ମିନିଟ୍) ଓ ଋତୁଜା ଦାଦାସୋ ପିସାଲ (୧୨ ମିନିଟ୍)ଙ୍କ ଗୋଲ୍ରେ ଭାରତ ୪-୦ରେ ଆଗୁଆ ହୋଇଯାଇଥିଲା। ଦ୍ବିତୀୟ କ୍ବାର୍ଟରରେ ମଧ୍ୟ ସମାନ ଆରମ୍ଭ କରିଥିଲା ଭାରତ। ୧୯ତମ ମିନିଟ୍ରେ ନୀଲମ ଗୋଲ୍ ଦେଇ ଭାରତକୁ ୫-୦ରେ ଅଗ୍ରଣୀ ଦେଇଥିଲେ। ତୃତୀୟ କ୍ବାର୍ଟରରେ ମଞ୍ଜୁ ଚୌରାସିଆ (୩୩ ମିନିଟ୍) ଏବଂ ଓଡ଼ିଶାର ସୁନେଲିତା ଟପ୍ପୋ (୪୪ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇ ସ୍ଥିତି ୭-୦ କରିଥିଲେ। ଶେଷ ତଥା ଚତୁର୍ଥ କ୍ବାର୍ଟରରେ ଦୀପିକା ସୋରେଙ୍ଗ (୪୬ ମିନିଟ୍), ଅନୁ (୫୨ ମିନିଟ୍), ମମତାଜ ଖାନ (୫୫ ମିନିଟ୍) ଓ ସୁନେଲିତା (୫୭ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇ ଭାରତକୁ ବଡ଼ ବିଜୟ ଭେଟି ଦେଇଥିଲେ। ଦୀପିକା ସୋରେଙ୍ଗ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।