କାକାମିଗାହାରା (ଜାପାନ): ଭାରତ ପ୍ରଥମ ଥର ଲାଗି ମହିଳା କନିଷ୍ଠ (ଯୁବା) ଏସିଆ କପ୍‌ ହକି ପ୍ରତିଯୋଗିତାରେ ବିଜେତା ହୋଇଛି। ୨୦୧୨ରେ ଭାରତ ଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ଚୀନ୍‌ଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। କିନ୍ତୁ ଚଳିତ ସଂସ୍କରଣରେ ସେହି ଭୁଲ୍‌ କରିନଥିଲା ଭାରତ। ରବିବାର ଜାପାନର କାକମିଗାହାରାରେ ଖେଳାଯାଇଥିବା ଫାଇନାଲ୍‌ରେ ଭାରତ ୨-୧ ଗୋଲ୍‌ରେ ‌ଶକ୍ତିଶାଳୀ କୋରିଆକୁ ପରାସ୍ତ କରି ଟ୍ରଫି କରାୟତ୍ତ କରି ଇତିହାସ ରଚିଛି। ଭାରତୀୟ କନିଷ୍ଠ ପୁରୁଷ ଦଳ ମଧ୍ୟ ଚଳିତ ବର୍ଷ ବିଶ୍ବକପ୍‌ ଯୋଗ୍ୟତା ସହ ଏସିଆ କପ୍‌ କରାୟତ୍ତ କରିଥିଲା। ଏଥି ସହ ଭାରତୀୟ ହକିକୁ କନିଷ୍ଠ ବର୍ଗରେ ମାସକ ଭିତରେ ୨ ଏସୀୟ ମୁକୁଟ ମିଳିଛି।

Advertisment

ଆକ୍ରଣାତ୍ମକ ଖେଳରୁ ମ୍ୟାଚ୍‌ ଆରମ୍ଭ କରିଥିବା ଭାରତ ପ୍ରଥମ ମିନିଟ୍‌ରେ ପେନାଲ୍‌ଟି କର୍ଣ୍ଣର ଅର୍ଜନ କରିଥିଲା। ହେଲେ ଏହାକୁ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇନଥିଲା। ଏହାପରେ କୋରିଆ ମଧ୍ୟ ପ୍ରତିଆକ୍ରମଣ କରି ପେନାଲ୍‌ଟି କର୍ଣ୍ଣର ପାଇଥିଲା। ନୀଲମ ଗୋଲ୍‌ ପୋଷ୍ଟ ନିକଟରେ ଏହାକୁ ଅଟକାଇ ‌ଦଳକୁ ଗୋଲ୍‌ ବରଣରୁ ବଞ୍ଚାଇଥିଲେ। ଉଭୟ ଦଳ ଆକ୍ରମଣାତ୍ମକ ଖେଳିଥିଲେ ମଧ୍ୟ ପ୍ରଥମ କ୍ବାର୍ଟର ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା। ଦ୍ବିତୀୟ କ୍ବାର୍ଟରରେ ଭାରତର ଅନୁ (୨୨ ମିନିଟ୍‌) ‌ଏକ ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଏହି ଅଗ୍ରଣୀ ବେଶୀ ସମୟ ରହିନଥିଲା। ୨୫ତମ ମିନିଟ୍‌ରେ ସିଓୟିଓନ ପାର୍କଙ୍କ ଗୋଲ୍‌ରେ କୋରିଆ ପ୍ରଥମାର୍ଦ୍ଧ ସ୍ଥିତିକୁ ୧-୧ ସମାନ ସ୍ତରରେ ରଖିଥିଲା। ତୃତୀୟ କ୍ବାର୍ଟରରେ ନୀଲମ ଚମତ୍କାର ଢଙ୍ଗରେ ‌ଏକ ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ଭାରତକୁ ୨-୧ରେ ଆଗୁଆ କରିଥିଲେ। ଚତୁର୍ଥ କ୍ବାର୍ଟର ଭାରତ ରକ୍ଷଣାତ୍ମକ ଖେଳ ଖେଳି ବଲ୍‌ ନିଜ ପାଖରେ ରଖିବାରୁ କୋରିଆ ମ୍ୟାଚ୍‌ ସମାନସ୍ତରକୁ ଆଣିବାକୁ ବିଫଳ ହୋଇ ପରାଜୟ ବରଣ କରିଥିଲା। ପୂର୍ବରୁ ତୃତୀୟ ସ୍ଥାନ ଲାଗି ହୋଇଥିବା ମ୍ୟାଚ୍‌ରେ ଜାପାନ ୨-୧ ଗୋଲ୍‌ରେ ଚୀନ୍‌କୁ ହରାଇ କାଂସ୍ୟ ପଦକ ଜିତିଥିଲା। ଏଥିସହ ଜାପାନ ମଧ୍ୟ ବିଶ୍ବକପ୍‌କୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିନେଇଥିଲା।

ହକି ଇଣ୍ଡିଆର ପୁରସ୍କାର ଘୋଷଣା
ଭାରତୀୟ ଦଳ ଏସିଆ ବିଜେତା ହେବା ପରେ ପରେ ହକି ଇଣ୍ଡିଆର କାର୍ଯ୍ୟକାରିଣୀ ବୋର୍ଡ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ପାଇଁ ପୁରସ୍କାର ଘୋଷଣା କରିଛି। ଏହି ଦଳ ମଧ୍ୟ ଫାଇନାଲ୍‌ରେ ପହଞ୍ଚି ଚିଲିରେ ଚଳିତ ବର୍ଷ ହେବାକୁ ଥିବା ଏଫ୍‌ଆଇଏଚ୍‌ ମହିଳା କନିଷ୍ଠ ବିଶ୍ବକପ୍‌କୁ ଯୋଗ୍ୟତା ଅର୍ଜନ କରିଥିଲା। ଏହି ସଫଳତା ଲାଗି ବୋର୍ଡ ପ୍ରତି ଖେଳାଳିଙ୍କୁ ୨ ଲକ୍ଷ ଏବଂ ସପୋର୍ଟ ଷ୍ଟାଫ୍‌ଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦେବାକୁ ଘୋଷଣା କରିଛି। ‘‘ଭାରତୀୟ ଯୁବା ଦଳ ପ୍ରଥମ ଥର ଏସିଆ କପ୍‌ ଜିତିଥିବାରୁ ଆମେ ଗର୍ବିତ। ସେମାନେ ଅସାଧାରଣ ପ୍ରଦର୍ଶନ ଦେଇଥିଲେ। ଅଗାମୀ ବିଶ୍ବକପ୍‌ରେ ସେମାନେ ନିଶ୍ଚିତ ଭଲ ପ୍ରଦର୍ଶନ କରିବେ ବୋଲି ମୋର ଅଶା। ଏହି ସଫଳତା ଲାଗି ପ୍ରତ୍ୟେକ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ପୁରସ୍କାର ସହ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛୁ ଏବଂ ସମସ୍ତଙ୍କୁ ହୃଦୟରୁ ଅଭିନନ୍ଦନ’’ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି କହିଛନ୍ତି।