ଯୁବା ଏସିଆ କପ୍‌: ଭାରତର ବିଜୟ ଜାରି

ହକି ଇଣ୍ଡିଆ ସହ ଯୋଡ଼ି ହେଲେ ନୂଆ ଏକାଡେମୀ, ସହଯୋଗୀ ୟୁନିଟ

କାକାମିଗାହାରା (ଜାପାନ): କନିଷ୍ଠ ମହିଳା (ଯୁବା) ଏସିଆ କପ୍‌ ହକି ପ୍ରତିଯୋଗିତାରେ ଭାରତର ବିଜୟ ଜାରି ରହିଛି। ପୁଲ୍‌-ଏ’ରେ ସ୍ଥାନ ପାଇଥିବା ଭାରତ ପ୍ରଥମ ମ୍ୟାଚ୍‌ରେ ଉଜବେକିସ୍ତାନକୁ ୨୨-୦ ଗୋଲ୍‌ରେ ହରାଇଥିଲା ‌ବେଳେ ସୋମବାର ଦ୍ବିତୀୟ ମ୍ୟାଚ୍‌ରେ ୨-୧ ଗୋଲ୍‌ରେ ମାଲେସିଆକୁ ମାତ୍‌ ଦେଇଛି। ଫଳରେ ଭାରତ ୨ ମ୍ୟାଚ୍‌ରୁ ୨ ବିଜୟ ସହ ପୁଲ୍‌-ଏ‌’ରେ ଶୀର୍ଷ ସ୍ଥାନ ଦଖଲ କରିଛି। ଭାରତ ପରବର୍ତ୍ତୀ ମ୍ୟାଚ୍‌ ମଙ୍ଗଳବାର କୋରିଆ ବିପକ୍ଷରେ ଖେଳିବ।

ସୋମବାର ମ୍ୟାଚ୍‌ ଆରମ୍ଭରୁ ମାଲେସିଆ ବଲ୍ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦେଇଥିଲା ବେଳେ ଭାରତ ଆକ୍ରମଣାତ୍ମକ ଖେଳିଥିଲା। ଫଳରେ ଭାରତ ଆରମ୍ଭରୁ ୨ଟି ‌କ୍ରମାଗତ ପେନାଲ୍ଟି କର୍ଣ୍ଣର ମଧ୍ୟ ଅର୍ଜନ କରିଥିଲା। ହେଲେ ଏହାକୁ ଗୋଲ୍‌ କରିବାରେ ବିଫଳ ହୋଇଥିଲା। ଏହାପରେ ମାଲେସିଆ ପ୍ରତିଆକ୍ରମଣ କରି ସଫଳତା ପାଇଥିଲା। ଡିଆନ୍‌ ନାଜେରି (୬ ମିନିଟ୍‌)ଙ୍କ ଗୋଲ୍‌ରେ ମାଲେସିଆ ୧-୦ରେ ଆଗୁଆ ହୋଇଯାଇଥିଲା। ଦଶମ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ମମତାଜ ଖାନ ଗୋଲ୍‌ରେ ପରିଣତ କରି ସ୍ଥିତି ୧-୧ କରି ଦେଇଥିଲେ। ଦ୍ବିତୀୟ କ୍ବାର୍ଟରରେ ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ଦୀପିକା (୨୬ ମିନିଟ୍‌) ଗୋଲ୍‌ ଦେଇ ଭାରତକୁ ୨-୧ରେ ଆଗୁଆ ରଖିଥି‌ଲେ। ତୃତୀୟ ଓ ଚତୁର୍ଥ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ଶେଷ ହେବାରୁ ଭାରତ ‌୨-୧ ବ୍ୟବଧାନରେ ବିଜୟୀ ହୋଇଥିଲା।

ହକି ଇଣ୍ଡିଆ ସହ ଯୋଡ଼ି ହେଲେ ନୂଆ ଏକାଡେମୀ, ସହଯୋଗୀ ୟୁନିଟ
ଭୁବନେଶ୍ବର: ହକି ଇଣ୍ଡିଆ ସହ ସୋମବାର ୨ ଲେଖାଏଁ ନୂଆ ଏକାଡେମୀ ଓ ସହଯୋଗୀ ସଦସ୍ୟ ୟୁନିଟ୍‌ ଯୋଡ଼ି ହୋଇଛନ୍ତି। ଉତ୍ତରପ୍ରଦେଶର ନନପାରାଠାରେ ଥିବା ସେଥ ଆନାନ୍ଦ୍ରମ ଜୟପୁରିଆ ସ୍କୁଲ ଓ ତାମିଲନାଡ଼ୁର କୁଡ଼ାଲୋର ହକି ଏକାଡେମୀକୁ ନୂଆ ଏକାଡେମୀ ସଦସ୍ୟ ଭାବେ ହକି ଇଣ୍ଡିଆ ସହ ଗ୍ରହଣ କରିଛି। ସେହିଭଳି ୟୁନିୟନ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଏବଂ ମୁମ୍ବାଇର ନାରିମନ ପଏଣ୍ଟକୁ ନୂଆ ସହଯୋଗୀ ସଦସ୍ୟ ୟୁନିଟ୍‌ ଭେବେ ସାମିଲ କରିଛି। ଏହି ନୂଆ ସଦସ୍ୟ ମିଶିବା ପରେ ହକି ଇଣ୍ଡିଆ ନିକଟରେ ୨୭ ସ୍ଥାୟୀ ସଦସ୍ୟ, ୩୩ ସହଯୋଗୀ ସଦସ୍ୟ, ୪୯ ଏକାଡେମୀ ସଦସ୍ୟ ଏବଂ ୨ ହକ୍‌-କି ସଦସ୍ୟ ରହିଛନ୍ତି। ‘ନୂଆ ଏକାଡେମୀ ଓ ସହଯୋଗୀ ସଦସ୍ୟ ଯୋଡ଼ିହେବା ଆମ ପାଇଁ ଗୌରବର ବିଷୟ’ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ପ୍ରକାଶ କରିଛନ୍ତି।

 

ସମ୍ବନ୍ଧିତ ଖବର