ଯୁବା ବାସ୍କେଟବଲ୍‌ ଆଜିଠୁ:ଭାଗନେବେ ୧୬ ଦଳ: ଜର୍ସି ଓ ଟ୍ରଫି ଉନ୍କୋଚିତ

ଭୁବନେଶ୍ୱର: ଯୁବା ବାସ୍କେଟ୍‌ବଲ୍‌ ପ୍ରତିଯୋଗିତାର ଅଷ୍ଟମ ସଂସ୍କରଣ ଆସନ୍ତାକାଲି (ବୁଧବାର)ଠୁ ଆରମ୍ଭ ହେବ। ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ସାଙ୍ଗକୁ ଗ୍ରାମାଞ୍ଚଳରେ ବାସ୍କେଟବଲ୍‌ର ପ୍ରସାର ଓ ପ୍ରଚାର ଲକ୍ଷ୍ୟ ନେଇ ସହିଦ ନଗରସ୍ଥିତ ସନ୍‌ସାଇନ୍‌ ଯୁବ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ଗତ ସଂସ୍କରଣରେ ୧୨ ଦଳ ଭାଗ ନେଇଥିଲା ବେଳେ ଏଥର ଅଧିକ ୪ ଦଳ (ମୋଟ ୧୬) ଭାଗ ନେବେ। ଦଳଗୁଡ଼ିକୁ ୪ ଗ୍ରୁପ୍‌ରେ ଭାଗ କରାଯାଇ ଲିଗ୍‌ ଭିତ୍ତିରେ ଖେଳାଯିବ। ଗ୍ରୁପ୍‌-ଏରେ ଯୁବା, ଯୁବା ସିନିଅର୍‌, ୟଙ୍ଗ୍‌ ବାସ୍କେଟ୍‌ବଲ୍‌ କ୍ଲବ୍‌ (ଓ୍ଵାବିସି) ଓ ଜାମ୍‌ସେଦ୍‌ପୁର, ଗ୍ରୁପ୍‌-ବିରେ କିଟ୍‌, ରାୟୁଡୁ ଓ୍ଵାରିଅର୍‌, ବାଲେଶ୍ୱର ଓ ରୋଭର୍ସ, ଗ୍ରୁପ୍‌-ସିରେ ଟ୍ରୋଟର୍ସ, କଳିଙ୍ଗ ବାସ୍କେଟ୍‌ବଲ୍‌ ଓ୍ଵାରିଅର୍‌ (କେବିଡବ୍ଲୁ), ବ୍ରହ୍ମପୁର ଓ ଏସ୍‌ଆଇଏସ୍‌ସି ଏବଂ ଗ୍ରୁପ୍‌-ଡିରେ ସାଇନିଂ ଷ୍ଟାର୍‌, ମଦର୍ସ ବାସ୍କେଟବଲ୍‌ କ୍ଲବ୍‌ (ଏମ୍‌ବିସି), ସନ୍‌ସାଇନ୍‌ ଓ କଟକ ବାସ୍କେଟ୍‌ବଲ୍‌ ୟୁନିଅନ୍‌ (ସିବିୟୁ) ସାମିଲ ହୋଇଛନ୍ତି। ସହିଦ ନଗର ଇମ୍ଫା ପାର୍କ ବାସ୍କେଟ୍‌ବଲ୍‌ ପଡ଼ିଆରେ ମ୍ୟାଚ୍‌ଗୁଡ଼ିକ ଖେଳାଯିବ। ପ୍ରଥମ ଥର ଲାଗି ଏହି ପ୍ରତିଯୋଗିତାରେ ରାଜ୍ୟ ବାହାର (ଜାମ୍‌ସେଦ୍‌ପୁର)ର ଏକ ଦଳ ଭାଗ ନେଉଛି। ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଅବସରରେ ଆୟୋଜକଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଥିଲା ବେଳେ ଆୟୋଜକ ଦଳ (ଯୁବା)ର ଜର୍ସି ସାଙ୍ଗକୁ ଟ୍ରଫି ଉନ୍ମୋଚିତ ହୋଇଥିଲା।

ଆୟୋଜକ ସଂଘର ଅଧ୍ୟକ୍ଷ ବିଶ୍ୱଜିତ୍‌ ମହାନ୍ତି, ସଂପାଦକ ଚନ୍ଦ୍ରଶେଖର ସାହୁ, ମୁଖ୍ୟ ଉପଦେଷ୍ଠା ସରୋଜ କୁମାର ପାତ୍ର, ସହ ଉପଦେଷ୍ଠା ଉମାନାଥ ମିଶ୍ର ଏବଂ କାର୍ଯ୍ୟନିର୍ବାହୀ ସଦସ୍ୟ ସିଦ୍ଧାନ୍ତ ଦାଶ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ବିଜେତା ଦଳକୁ ଟ୍ରଫି ସହ ୨୧,୦୦୦ ଟଙ୍କା, ଉପବିଜେତା ଦଳକୁ ୧୦,୦୦୦ ଏବଂ ଦ୍ୱିତୀୟ ଉପବିଜେତାକୁ ୫୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ପ୍ରତିଯୋଗିତା ଅବସରରେ ବିଭିନ୍ନ କ୍ରୀଡ଼ାରେ ପାରଦର୍ଶିତା ଲାଭ କରିଥିବା ରାଜ୍ୟର ୬ ସ୍ୱନାମଧନ୍ୟ ଖେଳାଳି ଭାଲେନା ଭାଲିଣ୍ଟିନା, ଜାଫର ଇକ୍‌ବାଲ୍‌, ରୁଦ୍ରକାନ୍ତ ସାହୁ, ରାଜଶ୍ରୀ ସ୍ୱାଇଁ, ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ, ପଜ୍ଞା ପାରମିତା ମହାନ୍ତିଙ୍କୁ ସର୍ମ୍ଧିତ କରାଯିବ। ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର ପ୍ରତିଯୋଗିତାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ଥିଲା ବେଳେ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ତଥା ସାଂସଦ ପଦ୍ମଶ୍ରୀ ଦିଲିପ ତିର୍କି ମୁଖ୍ୟ ଆକର୍ଷଣ ରହିବେ। ଗତଥର ଦୁଇ କଟକ ଦଳ ରାୟୁଡୁ ଓ୍ଵାରିଅର୍‌ ଓ ସିବିୟୁ ଯଥାକ୍ରମେ ବିଜେତା ଓ ଉପବିଜେତା ହୋଇଥିଲେ।

ସମ୍ବନ୍ଧିତ ଖବର