ଭୁବନେଶ୍ବର: ୨୦୨୦ ଜାନୁଆରି ୧୨, ଜାତୀୟ ଯୁବ ଦିବସରେ ସାରା ଭୁବନେଶ୍ବର ଦୌଡ଼ିବ। କେବଳ ଭୁବନେଶ୍ବର ନୁହେଁ, ରାଜ୍ୟ ବାହାରର ଏବଂ ଆଖ ପାଖର ଧାବକ ଧାବିକା ରାଜଧାନୀ ରାଜରାସ୍ତାରେ ନିଜ ସୁସ୍ଥତାର ପ୍ରମାଣ ଦେବେ। ଶାରୀରିକ ଫିଟନେସର ମହତ୍ବ ଏବଂ ଗୁରୁତ୍ବର ବାର୍ତା ନେଇ ଏହି ଦିନ ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ, ସମସ୍ତେ ଟାଟା ଷ୍ଟିଲ୍ ହାଫ୍ ମାରାଥନ୍ରେ ଅଂଶଗ୍ରହଣ କରିବେ। ଏହି ପ୍ରତୀକ୍ଷିତ ମାରାଥନ୍ ତିନିଟି ବର୍ଗରେ ଆୟୋଜିତ ହେବ। ୨୧ କିଲୋମିଟର ଦୂରତା ବିଶିଷ୍ଟ ହାଫ୍ ମାରାଥନ ସହ ୧୦ କିଲୋମିଟର୍ ଏବଂ ୫ କିଲୋମିଟର୍ ବର୍ଗରେ ମଧ୍ୟ ପ୍ରତିଦ୍ବନ୍ଦ୍ବିତା ହେବ। ସବୁ ବର୍ଗର ଉଭୟ ପୁରୁଷ ଏବଂ ମହିଳାରେ ଟ୍ରଫି ଏବଂ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ହାଫ୍ ମାରାଥନ୍ ଲାଗି ୧୮ ବର୍ଷରୁ ଊର୍ଧ୍ବ, ୧୦ କିଲୋମିଟର ଲାଗି ୧୫ ବର୍ଷରୁ ଊର୍ଧ୍ବ ଏବଂ ୫ କିଲୋମିଟର ଲାଗି ୧୨ରୁ ୧୬ ବର୍ଷ ବୟସ୍କ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ କରିବାର ଅନୁମତି ମିଳିବ। ହାଫ୍ ମାରାଥନ ଲାଗି ୩୦୦, ୧୦ କିଲୋମିଟର୍ ପାଇଁ ୨୦୦ ଏବଂ ୫ କିଲୋମିଟର୍ ଲାଗି ୧୦୦ ଟଙ୍କାର ପ୍ରବେଶିକା ଦେୟ ରଖା ଯାଇଛି। ହାଫ୍ ମାରାଥନର ଉଭୟ ପୁରୁଷ ଓ ମହିଳା ବିଜେତାଙ୍କୁ ୧ ଲକ୍ଷ, ୧୦ କିଲୋମିଟର ବିଜେତାଙ୍କୁ ୫୧,୦୦୦ ଏବଂ ୫ କିଲୋମିଟର ବିଜେତାଙ୍କୁ ୧୧,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ମିଳିବ। ହାଫ୍ ମାରାଥନ ଜାନୁଆରି ୧୨ ତାରିଖ ସକାଳ ୬ଟା, ୧୦ କିଲୋମିଟର ସକାଳ ୭ଟା ୧୫, ୫ କିଲୋମିଟର ବାଳକ ସକାଳ ୮ ଏବଂ ବାଳିକା ସକାଳ ୮ଟା ୧୫ରେ ଆରମ୍ଭ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରତିଯୋଗିତାରେ ମୋଟ ୮, ୬୪, ୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ।
ଓଡ଼ିଶା ସରକାର ଓ ଟାଟା ଷ୍ଟିଲ୍ର ମିଳିତ ସହଯୋଗରେ ଆୟୋଜିତ ହେଉଥିବା ଏହି ହାଫ୍ ମାରାଥନ୍ ପାଇଁ ଅନ୍ଲାଇନ ପଞ୍ଜୀକରଣ ଆରମ୍ଭ ହୋଇ ସାରିଛି। ଆଗ୍ରହୀ ଆଥଲେଟ୍ମାନେ www.tatasteelbbsr-run.com କୁ ଯାଇ ନାମ ପଞ୍ଜୀକରଣ କରି ପାରିବେ। ଟାଟା ଷ୍ଟିଲ୍ ଭୁବନେଶ୍ବର ହାଫ୍ ମାରାଥନ୍ ଆପ୍ ଡାଉନ୍ଲୋଡ୍ କରି ସେଥିରେ ମଧ୍ୟ ସେମାନେ ପଞ୍ଜୀକରଣ କରି ପାରିବେ। ତା’ ସହ ଅଫ୍ଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଛି। ଏଥିଲାଗି କଳିଙ୍ଗ ଷ୍ଟାଡିୟମ୍ରେ ମଙ୍ଗଳବାରଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଫର୍ମ ଉପଲବ୍ଧ ହେବ। ସବୁଥର ଭଳି ଏଥର ମଧ୍ୟ ସର୍ବାଧିକ ୫,୦୦୦ ଧାବକ ଧାବିକାଙ୍କୁ ଫାଷ୍ଟ କମ୍ ଫାଷ୍ଟ ସର୍ଭ ଭିତ୍ତିରେ ନାମ ପଞ୍ଜୀକରଣ କରିବାର ସୁଯୋଗ ମିଳିବ। ମାରାଥନ୍ କଳିଙ୍ଗ ଷ୍ଟାଡିୟମର ଗେଟ୍ ନମ୍ବର ୪ରୁ ଆରମ୍ଭ ହୋଇ ରାଜଧାନୀର ବିଭିନ୍ନ ସ୍ଥାନ ଦେଇ ଗେଟ୍ ନମ୍ବର ୯ ଦେଇ ସ୍କାଏ ୱାକ୍ ୪’ଠାରେ ଶେଷ ହେବ। ମଙ୍ଗଳବାର ଏଥିନେଇ ଏକ ସ୍ଥାନୀୟ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟାଟା ଷ୍ଟିଲ୍ ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ ଯୋଗଦେଇ ମାରାଥନ ଆୟୋଜନର ବ୍ୟବସ୍ଥା ନେଇ ବିସ୍ତୃତ ବିବରଣୀ ଦେଇଥିଲେ। ଏହି ଅବସରରେ କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ମନୋଜ ପାଢ଼ୀ, ଟାଟା ଷ୍ଟିଲ୍ କର୍ପୋରେଟ୍ ସର୍ଭିସେସ୍ ଉପସଭାପତି ଚାଣକ୍ୟ ଚୌଧୁରୀ, ଟାଟା ଷ୍ଟିଲ୍ କଳିଙ୍ଗ ନଗର ପ୍ରକଳ୍ପର କର୍ପୋରେଟ୍ ସର୍ଭିସ୍ ମହାପ୍ରବଦ୍ଧକ ଆର୍ଆର୍ ଶତପଥୀ, ଦୁଇ ବ୍ରାଣ୍ଡ୍ଆମ୍ବାସାଡାର ଅଭିନେତ୍ରୀ ଅର୍ଚିତା ସାହୁ, ସବ୍ୟସାଚୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରତିଯୋଗିତାର ଟି-ସାର୍ଟ ମଧ୍ୟ ଉନ୍କୋଚିତ ହୋଇଥିଲା।