ଯୁବ ଫିଫା ବିଶ୍ୱକପ୍‌ ପରିଚାଳନା କରିବେ ଉଭେନା

ନୂଆଦିଲ୍ଲୀ: ଭାରତର ଉଭେନା ଫର୍ନାଣ୍ଡେଜ୍‌ ଚଳିତ ବର୍ଷର ଯୁବ ଫିଫା ବିଶ୍ୱକପ୍‌ (୨୦ ବର୍ଷରୁ କମ୍‌) ପରିଚାଳନା କରିବାର ସୁଯୋଗ ପାଇଛନ୍ତି। ଅଗଷ୍ଟ ୫ରୁ ୨୪ ତାରିଖ ପର୍ଯ୍ୟନ୍ତ ଏହା ଫ୍ରାନସରେ ଆୟୋଜିତ ହୋଇଛି। ପୂର୍ବରୁ ଉଭେନା ପ୍ରଥମ ଭାରତୀୟ ମହିଳା ସହକାରୀ ରେଫରି ଭାବେ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଫାଇନାଲ୍‌ (ଜାପାନ-ଉତ୍ତର କୋରିଆ) ପରିଚାଳନା କରିଥିଲେ। ୨୦୧୬ ମସିହାରେ ସେ ମଧ୍ୟ ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ର ୪ଟି ମ୍ୟାଚ୍‌ ପରିଚାଳନା କରିଥିଲେ। ‘ବିଶ୍ୱକପ୍‌ ପରିଚାଳନା କରିବା ମୋ ପାଇଁ ଆଉ ଏକ ସ୍ୱପ୍ନ ସାକାର ହେବା ଭଳି। ୨ ବର୍ଷ ଭିତରେ ମୁଁ ନିଜର ଦ୍ୱିତୀୟ ଫିଫା ବିଶ୍ୱକପ୍‌ ପରିଚାଳନା କରିବାକୁ ଯାଉଥିବା ବିଶ୍ୱାସ କରିପାରୁନି’ ବୋଲି ଉଭେନା ପ୍ରକାଶ କରିଛନ୍ତି। ସର୍ବଭାରତୀୟ ଫୁଟ୍‌ବଲ୍‌ ସଂଘ (ଏଆଇଏଫ୍‌ଏଫ୍‌)ର ମାର୍ଗଦର୍ଶନ ସହାୟକ ହୋଇଛି। ଏହା କେବଳ ମୋ ପାଇଁ ନୁହେଁ ଦେଶର ମହିଳା ଫୁଟ୍‌ବଲ୍‌ ଏବଂ ମହିଳା ଫୁଟ୍‌ବଲ୍‌ ରେଫରିଙ୍କ ପାଇଁ ପ୍ରୋତ୍ସାହନ ଓ ପ୍ରେରଣାର କଥା। ଭାରତୀୟ ରେଫରିମାନେ ନିୟମିତ ଭାବେ ବଡ଼ ମଇଦାନକୁ ଆସିପାରିବା ପ୍ରମାଣିତ କରିଛନ୍ତି ବୋଲି ଉଭେନା କହିଛନ୍ତି। ଉଭେନାଙ୍କୁ ଅଭିନନ୍ଦନ ଜଣାଇ ଏଆଇଏଫ୍‌ଏଫ୍‌ ସାଧାରଣ ସମ୍ପାଦକ କୌଶଲ ଦାସ କହିଛନ୍ତି ରେଫରି ବିକାଶ କାର୍ଯ୍ୟକ୍ରମ ଉପରେ ସଂଘର ଗୁରୁତ୍ୱ ହିଁ ଉଭେନାଙ୍କ ନିଯୁକ୍ତିର ପ୍ରତିଫଳନ।

ସମ୍ବନ୍ଧିତ ଖବର