ସାଫ୍ ଯୁବ ଫୁଟ୍‌ବଲ୍ ଫାଇନାଲ୍ ଆଜି: ଦର୍ଶକଙ୍କୁ ଅନୁମତି

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସାଫ୍ ୨୦ ବର୍ଷରୁ କମ୍ ଫୁଟବଲ୍ ପ୍ରତିଯୋଗିତାର ଫାଇନାଲ୍ ଶୁକ୍ରବାର ଖେଳାଯିବ। ଏଥିରେ ଆୟୋଜକ ଭାରତକୁ ପଡ଼ୋଶୀ ବାଂଲାଦେଶ ଭେଟିବ। ବାଂଲା‌ଦେଶ ଲିଗ୍ ଟପର ଭାବେ ଫାଇନାଲ୍‌କୁ ଯାଇଥିଲା ବେଳେ ଭାରତ ଦ୍ବିତୀୟ ସ୍ଥାନରେ ରହି ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହୋଇଛି। ଏହା ପୂର୍ବରୁ ବାଂଲାଦେଶ ଲିଗ୍ ପର୍ଯ୍ୟାୟରେ ଭାରତକୁ ୨-୧ରେ ପରାସ୍ତ କରିଥିଲା। ତେବେ ଏହି ପ୍ରତିଯୋଗିତାର ଗତ ସଂସ୍କରଣରେ ବାଂଲାଦେଶକୁ ହରାଇ ଭାରତ ବିଜେତା ହୋଇଥିଲା। ଏଣୁ ଉଭୟ ଦଳ ପାଇଁ ଶୁକ୍ରବାର ମ୍ୟାଚ୍‌ରେ ପରସ୍ପରଠାରୁ ପ୍ରତିଶୋଧ ନେବାର ସୁଯୋଗ ରହିବ। ଏହି ମ୍ୟାଚ୍‌ ରାତି ୭ଟାରୁ ଆରମ୍ଭ ହେବ।
ଦର୍ଶକଙ୍କୁ ଅନୁମତି

ଫାଇନାଲ୍ ଲାଗି ସାଧାରଣ ଦର୍ଶକଙ୍କୁ ଅନୁମତି ଦେଇଛନ୍ତି କଳିଙ୍ଗ ଷ୍ଟାଡିୟମ୍ କର୍ତ୍ତୃପକ୍ଷ। ଫୁଟବଲ୍‌ପ୍ରେମୀ ମାଗଣାରେ ଗ୍ୟାଲେରିରେ ବସି ମ୍ୟାଚ୍‌କୁ ଉପଯୋଗ କରିପାରି‌ବେ। ସାଧାରଣ ଦର୍ଶକଙ୍କ ପାଇଁ ଷ୍ଟାଡିୟମ୍ ଗେଟ୍ ଅପରାହ୍ଣ ୪ଟାରେ ଖୋଲାହେବ। ଚାରି ଚକିଆରେ ଆସୁଥିବା ସାଧାରଣ ଦର୍ଶକ ୮ ନମ୍ବର ଗେଟ୍‌ରେ ପ୍ରବେଶ କରି ପାର୍କି-୬ରେ ଗାଡ଼ି ରଖିପାରିବେ। ଦୁଇ ଚକିଆ ଯାନରେ ଆସୁଥିବା ଦର୍ଶକମାନେ ୩ ନମ୍ବର ଗେଟ୍‌ରେ ପ୍ରବେଶ କରି ପାର୍କିଂ-୧‌ ଓ ପାର୍କିଂ-୨ରେ ଗାଡ଼ି ରଖି ପାରିବେ।

ସମ୍ବନ୍ଧିତ ଖବର