ବୁଏନସ୍ ଏରିସ୍,,: ଚଳିତ ଯୁବ ଅଲିମ୍ପିକ୍ସରେ ତାବାବି ଦେବୀ ଥାଙ୍ଗଜାମ ଜୁଡ଼ୋରେ ଐତିିହାସିକ ରୌପ୍ୟ ପଦକ ଜିତିଛନ୍ତି। ଏହା ହେଉଛି ଅଲିମ୍ପିକ୍ସ ଜୁଡ଼ୋରେ ଭାରତର ପ୍ରଥମ ପଦକ। ପୂର୍ବରୁ ଅଲିମ୍ପିକ୍ସ ଜୁଡ଼ୋରେ ବରିଷ୍ଠ କି କନିଷ୍ଠ ବର୍ଗରେ ଭାରତ କେବେବି ପଦକ ଜିତିନଥିଲା। େସାମବାର ୪୪ କିଲୋଗ୍ରାମ ମହିଳା ବର୍ଗ ଫାଇନାଲ୍ରେ ଭେନ୍ଜୁଏଲାର ମରିଆ ଗିମିନେଜଙ୍କଠୁ ୧୧-୦ରେ ହାରି ଦେବୀ ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ୧୬ ବର୍ଷୀୟା ଏହି ଭାରତୀୟ ଲଳନା ସେମିଫାଇନାଲ୍ରେ କ୍ରୋଏସିଆର ଆନ୍ନା ଭିକ୍ଟୋରିଜାଙ୍କୁ ୧୦-୦ ହରାଇ ସ୍ବର୍ଣ୍ଣ ଦୌଡ଼ରେ ସାମିଲ ହୋଇଥିଲେ। ଏହା ପୂର୍ବରୁ ସେ ପ୍ରି-କ୍ବାର୍ଟର୍ରେ କଶୋଭର ଏର୍ଜା ମୁମିନୋଭିକ୍ ଓ କ୍ବାର୍ଟର୍ରେ ଭୁଟାନ୍ର ୟାଙ୍ଗଚେନ୍ ୱାଙ୍ଗ୍ମୋଙ୍କୁ ହରାଇଥିଲେ। ଦେବୀଙ୍କ ଏହି ପଦକ ସହ ସୋମବାର ଭାରତକୁ ବନ୍ଧୁକ ଚାଳନାରେ ଆଉ ଏକ ରୌପ୍ୟ ମିଳିଛି। ୧୦ ମିଟର ଏୟାର ରାଇଫଲ୍ରେ ସିଉଳି ଘୋଷ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଥିଲେ। ଏହି ପଦକ ସହ ଭାରତ ଏ ପର୍ଯ୍ୟନ୍ତ ୩ ରୌପ୍ୟ ଜିତି ଗତ ସଂସ୍କରଣକୁ ଟପିଛି। ଗତ ସଂସ୍କରଣରେ ଭାରତ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ଜିତିଥିଲା।
ଭୁବନେଶ୍ବର: ବୁଏନସ୍ ଏରିସ୍ରେ ଚାଲିଥିବା ଯୁବ ଅଲିମ୍ପିକ୍ସର ହକିରେ ଭାରତୀୟ ମହିଳା ଦଳ ବିଜୟ ଜାରି ରଖିଛି। ରବିବାର ଅଷ୍ଟ୍ରିଆକୁ ୪-୨ ଗୋଲ୍ରେ ହରାଇଥିବା ଭାରତ ସୋମବାର ଉରୁଗୁଏକୁ ୨-୧ ଗୋଲ୍ରେ ମାତ୍ ଦେଇଛି। ୫ ଏ ସାଇଡ୍ ଏହି ମ୍ୟାଚ୍ର ପ୍ରଥମ ମିନିଟ୍ରେ ଷ୍ଟ୍ରାଇକର ଲାଲରେମସିଆମି ଗୋଲ୍ ଦେଇ ଭାରତକୁ ଆରମ୍ଭରୁ ଅଗ୍ରଣୀ ଦେଇଥିଲେ। ଦଶମ ମିନିଟ୍ରେ ଉରୁଗୁଏର ମାଗଦାଲିନା ଭର୍ଗା ଏହି ଗୋଲ୍କୁ ଶୁଝାଇ ସ୍ଥିତି ସମାନସ୍ତରକୁ ଆଣିଥିଲେ। ୧୯ତମ ମିନିଟ୍ରେ ଲାଲରେମସିଆମି ଆଉ ଏକ ଗୋଲ୍ ଦେଇ ଦଳକୁ ବିଜୟ ଭେଟି ଦେଇଥିଲେ। ଭାରତ ପରବର୍ତୀ ମ୍ୟାଚ୍ରେ ମଙ୍ଗଳବାର ଭାନୁଆତୁକୁ ଭେଟିବ।