ଯୁବ ଟେଷ୍ଟ୍‌: ଶ୍ରୀଲଙ୍କାକୁ ପାଳି ଓ ୨୧ ରନ୍‌ରେ ହରାଇଲା ଭାରତ

କଲମ୍ବୋ: ଦୁଇଟି ଶତକ ପରେ ମୋହିତ ଜାଙ୍ଗ୍ରାଙ୍କ ୫ ଓ୍ଵିକେଟ୍‌ ସଫଳତା ବଳରେ ଶ୍ରୀଲଙ୍କା ବିପକ୍ଷ ଯୁବ (୧୯ ବର୍ଷରୁ କମ୍‌) ଟେଷ୍ଟ୍‍କୁ ଭ୍ରମଣକାରୀ ଭାରତ ଏକ ପାଳି ୨୧ ରନ୍‌ରେ ଜିତି ନେଇଛି। ପ୍ରଥମ ପାଳିରେ ଶ୍ରୀଲଙ୍କା ୨୪୪ ରନ୍‌ କରିଥିଲା। ଜବାବରେ ଭାରତ ଦୁଇଟି ଶତକ ସହାୟତାରେ ୫୮୯ ରନ୍‌ କରି ୩୪୬ ରନ୍‌ରେ ଆଗୁଆ ରହିଥିଲା। ହେଲେ ଭାରତୀୟ ବୋଲରମାନେ ଶ୍ରୀଲଙ୍କା ଦ୍ୱିତୀୟ ପାଳିକୁ ୩୨୪ ରନ୍‌ରେ ଅଟକାଇ ଦେଇଥିଲେ। ଶୁକ୍ରବାର ୧୭୭/୩ରୁ ଖେଳିଥିବା ଶ୍ରୀଲଙ୍କା ଆଉ ୧୪୭ ଯୋଡ଼ି ବଳକା ୭ ଓ୍ଵିକେଟ୍‌ ହରାଇଥିଲା। କେଏନ୍‌ଏମ୍‌ ଫର୍ଣ୍ଣାଣ୍ଡୋ (୧୦୪) ଶତକ,  ଏମ୍‌ଏନ୍‌କେ ଫର୍ଣ୍ଣାଣ୍ଡୋ ୭୮, ସୂରିଆବାନ୍ଦରା ୩୬ ଏବଂ ସାନ୍ଦୁନ ମେଣ୍ଡିସ୍‌ ୩୭ ରନ୍‌ କରିଥିଲେ। ଭାରତ ପକ୍ଷରୁ ମୋହିତ ଜାଙ୍ଗରା ୫, ଆୟୁଷ ବାଦୋନି  ୨ ଏବଂ ଅର୍ଜୁନ ତେନ୍ଦୁଲକର ଓ ଆକାଶ ପାଣ୍ଡେ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଏହି ବିଜୟ ସହ ଭାରତ ୨ ଟିକିଆ ଟେଷ୍ଟ୍‍ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି।  ଦ୍ୱିତୀୟ ଟେଷ୍ଟ୍‍ ଚଳିତ ମାସ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହାପରେ ୫ ଟିକିଆ ଦିନିକିଆ ଶୃଙ୍ଖଳା ଯଥାକ୍ରମେ ଜୁଲାଇ ୨୯, ଅଗଷ୍ଟ ୧, ୪, ୬ ଏବଂ ୯ ତାରିଖରେ ଖେଳାଯିବ।

ସଂକ୍ଷିପ୍ତ ସ୍କୋର୍‌: ଶ୍ରୀଲଙ୍କା ପ୍ରଥମ ପାଳି ୭୦.୩ ଓଭରରେ ୨୪୪ (ସୋରିୟାବନ୍ଦରା-୬୯, ହର୍ଷ ତ୍ୟାଗୀ-୪/୯୨, ଆୟୁଷ ବାଦୋନି-୪/୨୪)। ଭାରତ ପ୍ରଥମ ପାଳି ୧୩୪.୫ ଓଭରରେ ୫୮୯ (ଅଥରଓ୍ଵା ତାଇଡେ-୧୧୩, ଆୟୁଷ ବାଦୋନି-୧୮୫, ଅନୁଜ ରାଓ୍ଵତ-୬୩, ନେହରାଲ ଓ୍ଵାଧେରା-୮୨, ସେନାରତ୍ନେ-୬/୧୭୦)। ଶ୍ରୀଲଙ୍କା ଦ୍ୱିତୀୟ ପାଳି ୯୫.୨ ଓଭରରେ ୩୨୪ (କେଏନ୍‌ଏମ୍‌ ଫର୍ଣ୍ଣାଣ୍ଡୋ-୧୦୪, ଏମ୍‌ଏନ୍‌କେ ଫର୍ଣ୍ଣାଣ୍ଡୋ-୭୮, ମୋହିତ ଜାଙ୍ଗ୍ରା-୫/୭୨, ଆୟୁଷ ବାଦୋନି-୨/୫୭)।

ସମ୍ବନ୍ଧିତ ଖବର