କଲମ୍ବୋ: ଭାରତ-ଶ୍ରୀଲଙ୍କା ଯୁବ (୧୯ ବର୍ଷରୁ କମ୍) ଟେଷ୍ଟ୍ ମଙ୍ଗଳବାରଠୁ ଆରମ୍ଭ ହୋଇଛି। କଲମ୍ବୋରେ ଖେଳାଯାଇଥିବା ଏହି ଟେଷ୍ଟ୍ର ପ୍ରଥମ ଦିବସରେ ଶ୍ରୀଲଙ୍କା ପ୍ରଥମ ପାଳିରେ ୨୪୪ ରନ୍ କରିପାରିଛି। ଜବାବରେ ଭାରତ ପ୍ରଥମ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ଅନୁଜ ରାଓ୍ଵତ୍ (୬୩)ଙ୍କ ଓ୍ଵିକେଟ୍ ହରାଇ ୯୨ ରନ୍ କରିଛି। ଆଥର୍ଓ୍ଵା ତାଇଦେ ୨୬ ରନ୍ରେ ବ୍ୟାଟିଂ ଜାରି ରଖିଛନ୍ତି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଶ୍ରୀଲଙ୍କା ପକ୍ଷରୁ ପାସିନ୍ଦୁ ସୂରିଆବାନ୍ଦରା (୬୯) ଅର୍ଧଶତକ ହାସଲ କରିଥିଲା ବେଳେ ନିସାନ ମୁଦୁସ୍କା, ନିପୁନ ଧନଞ୍ଜୟ, ଏସ୍ଟି ମେଣ୍ଡିସ୍ ୩୯ ରନ୍ ଲେଖାଏଁ କରିଥିଲେ। ଭାରତ ପକ୍ଷରୁ ଆୟୁଷ ବାଦୋନି ଓ ହର୍ଷ ତ୍ୟାଗୀ ୪ ଲେଖାଏଁ ଏବଂ ଅର୍ଜୁନ ତେନ୍ଦୁଲକର ଓ ମୋହିତ ଜାଙ୍ଗରା ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଭାରତ ଏହି ଗସ୍ତରେ ୨ ଟେଷ୍ଟ୍ ଏବଂ ୫ ଦିନିକିଆ ମ୍ୟାଚ୍ ଖେଳିବ। ଦ୍ୱିତୀୟ ଟେଷ୍ଟ୍ ଜୁଲାଇ ୨୩ରୁ ୨୬ ଏବଂ ଦିନିକିଆ ଗୁଡ଼ିକ ଜୁଲାଇ ୨୯, ଅଗଷ୍ଟ ୧, ୪, ୬ ଏବଂ ୯ ତାରିଖରେ ଖେଳାଯିବ।
ଅର୍ଜୁନ ତେନ୍ଦୁଲକରଙ୍କୁ ପ୍ରଥମ ଅନ୍ତର୍ଜାତୀୟ ଓ୍ଵିକେଟ୍
ଭାରତୀୟ କିମ୍ବଦନ୍ତୀ କ୍ରିକେଟର୍ ସଚିନ୍ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ମଙ୍ଗଳବାର ପ୍ରଥମ ଅନ୍ତର୍ଜାତୀୟ ଓ୍ଵିକେଟ୍ ଅକ୍ତିଆର କରିଛନ୍ତି। ଭାରତୀୟ ୧୯ ବର୍ଷରୁ କମ୍ ଦଳର ସଦସ୍ୟ ଥିବା ଅର୍ଜୁନ ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଏହି ୪ ଦିନିଆ ମ୍ୟାଚ୍ରେ ଭାରତ ପକ୍ଷରୁ ସେ ବୋଲିଂ ଆକ୍ରମଣ ଆରମ୍ଭ କରିଥିଲେ। ନୂଆ ବଲ୍ରେ ସେ ନିଜର ଦ୍ୱିତୀୟ ଓଭରର ଶେଷ ବଲ୍ରେ କାମିଲ ମିସାରାଙ୍କୁ ଏଲ୍ବିଡବ୍ଲୁ କରି ପ୍ରଥମ ଅନ୍ତର୍ଜାତୀୟ ଓ୍ଵିକେଟ୍ ଅକ୍ତିଆର କରିଥିଲେ। ମଧ୍ୟାହ୍ଣ ଭୋଜନ ବିରତି ମଧ୍ୟରେ ସେ ୫ ଓଭର ପକାଇ ୧୮ ରନ୍ ଦେଇ ଏହି ଓ୍ଵିକେଟ୍ ପାଇଥିଲେ। ପ୍ରଥମ ପାଳିରେ ତାଙ୍କ ବୋଲିଂ ଚିତ୍ର ୧୧-୨-୩୩-୧ ଥିଲା। ଅର୍ଜୁନ ଦ୍ରୁତ ବୋଲିଂ କରୁଥିବା ସାଙ୍ଗକୁ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍। ତାଙ୍କର ଏହି ସଫଳତାକୁ ସଚିନଙ୍କ ବାଲ୍ୟ ବନ୍ଧୁ ତଥା ପୂର୍ବତନ କ୍ରିକେଟର୍ ବିନୋଦ କାମ୍ବଲି ଟ୍ଵିଟ୍ ଜରିଆରେ ଭାବପ୍ରବଣ ବାର୍ତା ଛାଡ଼ିଥିଲେ। କାମ୍ବଲି ଏତେ ଭାବବିହ୍ଵଳ ହୋଇପଡ଼ିଥିଲେ ଯେ ଅର୍ଜୁନଙ୍କ ପ୍ରଥମ ଆନ୍ତର୍ଜାତିକ ଓ୍ଵିକେଟ୍ ଦଖଲରେ ତାଙ୍କ ଆଖିରେ ଲୋତକ ଆସିଯାଇଥିଲା। ଅବଶ୍ୟ ଏହାକୁ କାମ୍ବଲି ଆନନ୍ଦର ଅଶ୍ରୁ ବୋଲି ଟ୍ଵିଟରରେ ଉଲ୍ଲେଖ କରିଥିଲେ। ଅର୍ଜୁନ ମଧ୍ୟ ଆଗକୁ ଶତକରେ ଶତକୀୟ ସଫଳତା ହାସଲ କରୁନ୍ତୁ ବୋଲି କାମ୍ବଲି କାମନା କରିଥିଲେ।
ଯୁବ ଟେଷ୍ଟ୍: ଶ୍ରୀଲଙ୍କା ୨୪୪, ଭାରତ ୯୨/୧
/sambad/media/post_attachments/wp-content/uploads/2018/07/12-arjun-tendulkar-afp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)