ଯୁବ ବିଶ୍ବ ମୁଷ୍ଟିଯୁଦ୍ଧ: ଭାରତକୁ ୭ ସ୍ବର୍ଣ୍ଣ

ନୂଆଦିଲ୍ଲୀ: ପୋଲାଣ୍ଡର କେଲସିରେ ଚାଲିଥିବା ଯୁବ ବିଶ୍ବ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଫାଇନାଲ୍‌ରେ ପହଞ୍ଚିଥିବା ସମସ୍ତ ୭ ଭାରତୀୟ ମହିଳା ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। ଭାରତର ଏହା ‌ଶ୍ରେଷ୍ଠ ପ୍ରଦର୍ଶନ। ପୂର୍ବରୁ ୨୦୧୭ରେ ୫ ସ୍ବର୍ଣ୍ଣ ଶ୍ରେ‌ଷ୍ଠ ପ୍ରଦର୍ଶନ ରହିଥିଲା। ଗୀତିକା (୪୮ କେଜି), ବେବି ରୋଜିସାନା ଚ‌ାନୁ (୫୧ କେଜି), ଭିନିକା (୬୦ କେଜି), ପୁନମ୍‌ ପୂନିଆ (୫୭ କେଜି), ଅରୁନ୍ଧତୀ (୬୯ କେଜି), ସାନାମଚା ଚାନୁ (୭୫ କେଜି) ଓ ଆଲ୍‌ଫିଆ ପଠାନ (୮୧ କେଜି) ଭାରତ ପାଇଁ ଏହି ୭ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଗୁରୁବାର ଫାଇନାଲ୍‌ରେ ଗୀତିକା ୫-୦ରେ ପୋଲାଣ୍ଡର ନାତାଲିଆ କୁଜେସ୍କାଙ୍କୁ ଏବଂ ବେବିରୋଜିସାନା ରୁଷିଆର ଭାଲେରିଆ ଲିଙ୍କୋଭାଙ୍କୁ ସମାନ ୫-୦ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ କବ୍‌ଜା କରିଥିଲା ବେଳେ ପୁନମ୍‌ ଫ୍ରାନ୍‌ସର ଫେଲିନ ଗ୍ରସିଙ୍କୁ ୫-୦ ଓ ଭିନିକା କାଜାକସ୍ତାନର ଝୁଲଦିଜ୍‌ ସାୟାକନେଟୋଭାଙ୍କୁ ପରାସ୍ତ କରିଥିଲେ। ‌ସେହିପରି ଅରୁନ୍ଧତୀ ପୋଲାଣ୍ଡର ବର୍‌ବରା ମାର୍ସିନକୋସ୍କାଙ୍କୁ, ସାନାମଚା କାଜକସ୍ତାନର ଦିଦେ ଦାନାଙ୍କୁ ଏବଂ ଆଲ୍‌ଫିଆ ମୋଲଦୋଭାର କୋଜୋରେଜ ଦାରିଆଙ୍କୁ ହରାଇଥିଲେ।

ସମ୍ବନ୍ଧିତ ଖବର