ଯୁବି ଚାହୁଁଥିଲେ ମୁଁ ସେହବାଗ୍‌ଙ୍କ କୀର୍ତ୍ତିମାନ ଭାଙ୍ଗେ: ରୋହିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର୍‌ ଭାବେ ପୂର୍ବତନ ବିସ୍ଫୋରକ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ବୀରେନ୍ଦ୍ର ସେହବାଗ୍‌ଙ୍କ ନାମରେ ସର୍ବାଧିକ ଦିନିକିଆ ସ୍କୋର୍‌ କରିବାର କୀର୍ତ୍ତିମାନ ରହିଥିଲା। ୨୦୧୧ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଇନ୍ଦୋର ମ୍ୟାଚ୍‌ରେ ସେହବାଗ୍‌ ୨୧୯ ରନ୍‌ କରିଥିଲେ। ଯାହାକି କିଛି ବର୍ଷ ଧରି ସର୍ବାଧିକ ଦିନିକିଆ ସ୍କୋର୍‌ ଭାବେ ଅତୁଟ ରହିଥିଲା। ତେବେ ଏହାପରେ ଏବର ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ରୋହିତ ଶର୍ମା ଦିନିକିଆରେ ୨୦୯ ରନ୍‌ କରିଥିଲେ। ସେ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାର ଅନ୍ତିମ ମ୍ୟାଚ୍‌ରେ ଏହି ସ୍କୋର୍‌ କରିବା ସାଙ୍ଗକୁ ଭାରତକୁ ମଧ୍ୟ ଶୃଙ୍ଖଳା ବିଜୟ ଭେଟି ଦେଇଥିଲେ। ଏହା ଥିଲା ରୋହିତଙ୍କର ପ୍ରଥମ ଦିନିକିଆ ଦ୍ବିଶତକ। ହେଲେ ତାଙ୍କର ଏହି ପାଳି ବେଳେ ସେ ସେହଭାଗ୍‌ଙ୍କ କୀର୍ତ୍ତିମାନଙ୍କୁ ଭାଙ୍ଗିଦିଅନ୍ତୁ ବୋଲି ଚାହିଁଥିଲେ ପୂର୍ବତନ ଅଲ୍‌ରାଉଣ୍ଡର ଯୁବରାଜ ସିଂହ। କିନ୍ତୁ ରୋହିତ ୨୦୯ ରନ୍‌ରେ ଆଉଟ୍‌ ହୋଇଯାଇଥିଲେ। ଅବଶ୍ୟ ଏହାର ଗୋଟିଏ ବର୍ଷ ପରେ ସେହବାଗ୍‌ଙ୍କ କୀର୍ତ୍ତିମାନକୁ ରୋହିତ ଭାଙ୍ଗି ଦେଇଥିଲେ। ସାଥୀ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ଙ୍କ ସହ ସୋମବାର ଏକ ଇନ୍‌ଷ୍ଟାଗ୍ରାମ୍‌ ଲାଇଭ୍‌ ସେସନ୍‌ରେ ଯୁବିଙ୍କ ଇଛାକୁ ଖୋଲି କହିଥିଲେ ରୋହିତ। ମୁଁ ଯେତେବେଳେ ଦ୍ବିଶତକ ପୂରଣ କରିସାରିଲି, ସେତେବେଳେ କେହି ଜଣେ ମୋତେ ଆଉ କିଛି ଓଭର ବ୍ୟାଟିଂ କରିଦେଲେ ସେହବାଗ୍‌ଙ୍କ କୀର୍ତ୍ତିମାନକୁ ଭାଙ୍ଗି ଦେଇପାରିବେ ବୋଲି ମୁଁ ଶୁଣିବାକୁ ପାଇଥିଲି। ସେଥିପାଇଁ ଡ୍ରେସିଂ ରୁମ୍‌ରେ ମଧ୍ୟ ଆଶା ଉଚ୍ଚ ରହିଥିଲା‌। ଡ୍ରେସିଂ ରୁମ୍‌ରେ ଥିବା ତିନି ଚାରି ଜଣ ଖେଳାଳି ମୁଁ ଆଉ ୧୦ରୁ ୧୫ ରନ୍‌ କରିବାକୁ ଚାହୁଁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଯୁବରାଜ। ଅନ୍ୟମାନଙ୍କ ମଧ୍ୟରେ ଶିଖର ଧାୱନ୍‌ ବୋଧେ ଥିଲେ ବୋଲି ଅଶ୍ବିନ୍‌ଙ୍କ ସହ ସେହି ଲାଇଭ୍‌ ସେସନ୍‌ ଚର୍ଚ୍ଚା ବେଳେ ମଜାରେ ସ୍ମୃତି ଚାରଣ କରିଥିଲେ ରୋହିତ।

୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷ ସେହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ରୋହିତ ମନ୍ଥର ଗତିରେ ଆରମ୍ଭ କରିବା ପରେ ପାଳି ଗଢ଼ିବା ପାଇଁ କିଛଇ ସମୟ ନେଇଥିଲେ। ଯେତେବେଳେ ସେ ତାଙ୍କ ଲୟ ପାଇଗଲେ ସେତେବେଳେ ସ୍ପିନରଙ୍କୁ ପ୍ରହାର କରି ଶତକ ପୂରଣ କରିନେଇଥିଲେ। ଆଉ ଶତକ ହାସଲ ପରେ ସେ ତାଙ୍କ ଗିୟର ବଢ଼ାଇ ଦେଇଥିଲେ ଏବଂ ନିଜର ପ୍ରଥମ ଦିନିକିଆ ଦ୍ବିଶତକ ହାସଲ କରିନେଇଥିଲେ। ସେ ୧୫୮ ବଲ୍‌ରୁ ୨୦୯ ରନ୍‌ କରିଥିଲା ବେଳେ ଆଉଟ୍‌ ହୋଇଯାଇଥିଲେ। ତେବେ ତାଙ୍କର ଏହି ପାଳି ବଳରେ ଭାରତ ୩୩୮ ରନ୍‌ କରିନେଇଥିଲା। ଶେଷରେ ଭାରତ ଏହି ମ୍ୟାଚ୍‌କୁ ୫୭ ରନ୍‌ରେ ଜିତିନେଇଥିଲା। ଏବେ ଦିନିକିଆ ଦଳର ଉପଅଧିନାୟକ ଥିବା ରୋହିତ ୨୨୪ ଦିନିକିଆ, ୧୦୮ ଟ୍ବେଣ୍ଟି-୨୦ ଏବଂ ୩୨ ଟେଷ୍ଟ୍‌ ଖେଳି ସାରିଛନ୍ତି। ସେ ତିନି ଫର୍ମାଟ୍‌ରେ ମୋଟ ୧୪,୦୨୯ ରନ୍‌ କରିସାରିଛନ୍ତି। ରୋହିତ ମଧ୍ୟ ବିଶ୍ବର ଏକମାତ୍ର ଖେଳାଳି ଯିଏକି ଦିନିକିଆ ଆନ୍ତର୍ଜାତିକରେ ତିନିଟି ଦ୍ବିଶତକ ମାରିବାର କୀର୍ତ୍ତିମାନ କରିଛନ୍ତି। ସେ ମଧ୍ୟ ଦିନିକିଆ ଆନ୍ତର୍ଜାତିକରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ କରିବାର କୀର୍ତ୍ତିମାନ ପାଇଛନ୍ତି। କୋଲ୍‌କାତାର ଐତିହାସିକ ଇଡେନ୍‌ ଗାର୍ଡେନ୍‌ସ ଷ୍ଟାଡିୟମ୍‌ରେ ୨୦୧୪ରେ ଶ୍ରୀଲଙ୍କା ବିପକ୍ଷରେ ୨୬୪ ରନ୍‌ର ପାଳି ହେଉଛି ଦିନିକିଆ ଆନ୍ତର୍ଜାତିକରେ ତାଙ୍କର ଏକ ବିଶ୍ବ କୀର୍ତ୍ତିମାନଭରା ସ୍କୋର୍‌।

ସମ୍ବନ୍ଧିତ ଖବର