ସଂଜୟଙ୍କ ଆଶୁ ଆରୋଗ୍ୟ କାମନା କଲେ ଯୁବି: ଅନୁଭବି ବାର୍ତା ପୋଷ୍ଟ କଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳାର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ବୁଧବାର ଫୁସ୍‌ଫୁସ୍‌ କର୍କଟରେ ପୀଡ଼ିତ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଆଶୁ ଆରୋଗ୍ୟ କାମନା କରି ଏକ ହୃଦୟସ୍ପର୍ଶୀ ବାର୍ତ୍ତା ନିଜ ଟ୍ବିଟର୍‌‌ ପୃଷ୍ଠାରେ ପୋଷ୍ଟ୍‌ କରିଛନ୍ତି। ୨୦୦୭ ଟି-୨୦ ବିଶ୍ୱକପ୍‌ ଏବଂ ୨୦୧୧ ବିଶ୍ୱକପ୍‌ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌ ସଂଜୟଙ୍କୁ ଜଣେ ‘ଯୋଦ୍ଧା’ ଭାବେ ବର୍ଣ୍ଣନା କରିଛନ୍ତି। ମୁଁ ମଧ୍ୟ କର୍କଟକୁ ଜିତି ଆନ୍ତର୍ଜାତିକ କ୍ରିକେଟ୍‌କୁ ଫେରିଥିଲି। ସେହି ଅନୁଭୂତିରୁ କହୁଛି, ଠିକ୍‌ ସେହିପରି ତୁମେ ମଧ୍ୟ କର୍କଟକୁ ଜିତି ବଲିଉଡ୍‌କୁ ଖୁବ୍‌ ଶୀଘ୍ର ଫେରିବ।

“ତୁମେ ସବୁବେଳେ ଜଣେ ଯୋଦ୍ଧା। ଏହି ରୋଗର ଯନ୍ତ୍ରଣା କ’ଣ ମୁଁ ନିଜେ ଅନୁଭବ କରିଛି। କିନ୍ତୁ ଏହା ବି ମୁଁ ଜାଣେ ତୁମେ ଜଣେ ଦୃଢ଼ମନା‌ ବ୍ୟକ୍ତି ଏବଂ ଏହି କଠିନ ପର୍ଯ୍ୟାୟକୁ ନିଶ୍ଚିତ ଜିତିବ। ତୁମେ ଶୀଘ୍ର ସୁସ୍ଥ ହୁଅ ଏହା ହିଁ ଈଶ୍ବରଙ୍କ ନିକଟରେ ମୋର ପ୍ରାର୍ଥନା ଏବଂ ଶୁଭେଚ୍ଛା” ବୋଲି ଯୁବି ତାଙ୍କ ଟ୍ୱିଟର ପୃଷ୍ଠାରେ ଉଲ୍ଲେଖ କରିଛନ୍ତି। ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ଶନିବାର ସଂଜୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ‌କରୋନା ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ନେଗେଟିଭ ଆସିଥିଲା। ଏହା‌ପରେ ତାଙ୍କର ଅନ୍ୟାନ୍ୟ ପରୀକ୍ଷା କରାଯିବାରୁ ସେ ଫୁସ୍‌ଫୁସ୍‌ କର୍କଟର ଚତୁର୍ଥ ପର୍ଯାୟରେ ପୀଡ଼ିତ ଥିବା ଜଣାପଡ଼ିଥିଲା।

ସୂଚନାଯୋଗ୍ୟ ଯେ ଯୁବି ୨୦୧୨ରେ ଫୁସ୍‌ଫୁସ୍‌ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ଆମେରିକାରେ ଚିକିତ୍ସିତ ହୋଇ ଏହି ରୋଗକୁ ମାତ୍‌ ଦେଇଥିଲେ। ସୁସ୍ଥ ହେବା ପରେ ଭାରତ ପକ୍ଷରୁ ସୀମିତ ଓଭର କ୍ରିକେଟ୍‌‌ ଖେଳି ସଫଳତା ମଧ୍ୟ ପାଇଥିଲେ। ଗତ ବର୍ଷ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ। ସେ ୪୦ ଟେଷ୍ଟ୍‌, ୩୭୮ ଦିନିକିଆ ଓ ୫୮ ଟି-୨୦ ଖେଳି ଯଥାକ୍ରମେ ୧୯୦୦, ୯୭୦୧ ଓ ୧୧୭୭ ରନ୍ କରିଛନ୍ତି।

ସମ୍ବନ୍ଧିତ ଖବର