ନୂଆଦିଲ୍ଲୀ : ପାକିସ୍ତାନ ବିପକ୍ଷ ୨୦୦୪ ମୁଲତାନ ଟେଷ୍ଟ୍ରେ ସଚିନ୍ ତେନ୍ଦୁଲକର ୧୯୪ ରନ୍ରେ ଅପରାଜିତ ରହିଥିଲା ବେଳେ ଅଧିନାୟକ ରାହୁଲ ଦ୍ରାବିଡ୍ ଭାରତର ପାଳି ଘୋଷଣା କରିଦେଇଥିଲେ। ମାଷ୍ଟର ବ୍ଲାଷ୍ଟର ଆଉ ମାତ୍ର ୬ ରନ୍ କରିଥିଲେ ଦ୍ବିଶତକ ପୂରଣ କରିଥା’ନ୍ତେ। ହେଲେ କାମଚଳା ଅଧିନାୟକ ଦ୍ରାବିଡଙ୍କ ଅଚାନକ ପାଳି ଘୋଷଣା କେବଳ ସଚିନ୍ଙ୍କୁ ଅସନ୍ତୁଷ୍ଟ କରିନଥିଲା ସେହ ଦଳର ଅଲ୍ରାଉଣ୍ଡର ଯୁବରାଜ ସିଂହଙ୍କୁ ମଧ୍ୟ ବ୍ୟଥିତ କରିଥିଲା। ତେଣୁ ଦ୍ରାବିଡ୍ଙ୍କ ସେହି ପାଳି ଘୋଷଣା ନିଷ୍ପତ୍ତି ଅତ୍ୟନ୍ତ ନିନ୍ଦନୀୟ ଥିଲା ବୋଲି ଯୁବି କହିଥିଲେ। ଏବେ ସେହି କୁଖ୍ୟାତି ପାଳି ଘୋଷଣା ନିଷ୍ପତ୍ତି ଉପରେ ମୁହଁ ଖୋଲିଛନ୍ତି ଯୁବି।
ଯୁବିଙ୍କ କହିବା କଥା, ସଚିନ୍ ଦ୍ବିଶତକ ପୂରଣ କରିବାକୁ ୬ ରନ୍ ଦୂରରେ ଥିଲେ। ହୁଏତ ସେ ସେହି ୬ ରନ୍ ଆଉ ଗୋଟିଏ କିମ୍ବା ଦୁଇଟି ଓଭରରୁ ସଂଗ୍ରହ କରିପାରିଥା’ନ୍ତେ। ହେଲେ ତାଙ୍କୁ ସେହି ସୁଯୋଗରୁ ବଞ୍ଚିତ କଲେ ଦ୍ରାବିଡ। ସେହି ମ୍ୟାଚ୍ରେ ବିସ୍ଫୋରକ ଓପ୍ନର ବୀରେନ୍ଦ୍ର ସେହବାଗ୍ (୩୦୯) ତ୍ରିଶତକ ଜମାଇ ସାରିଥିଲେ। ପୁଣି ସଚିନ୍ଙ୍କ ୧୯୪* ବଳରେ ଭାରତ ପ୍ରଥମ ପାଳିରେ ୬୭୫/୫ରେ ପହଞ୍ଚି ଯାଇଥିଲା। ଆମେ ପାଳି ଘୋଷଣା ପରେ ସେହି ଦିନ ୧୦/୧୨ ଓଭର ବୋଲିଂ କରିଥିଲୁ। ତେଣୁ ସଚିନ୍ଙ୍କୁ ୬ ରନ୍ କରିବା ପାଇଁ ଆଉ ଗୋଟିଏ ଦୁଇଟି ଓଭର ଖେଳିବାକୁ ଦେଇଥିଲେ ମ୍ୟାଚ୍ର ଫଳାଫଳ ଉପରେ ବିଶେଷ କିଛି ଫରକ ପଡ଼ିନଥା’ନ୍ତା। କିନ୍ତୁ ଦ୍ରାବିଡ୍ ଏହା ନକରି ପାଳି ଘୋଷଣା କରିଦେବା ନିଶ୍ଚିତ ନିନ୍ଦନୀୟ ଥିଲା ବୋଲି ଯୁବି କହିଛନ୍ତି। ଅପରାଜିତ ୧୯୪ ରନ୍ କରି ପାଭିଲିୟନ୍କୁ ଫେରିବା ପରେ ସଚିନ୍ଙ୍କ ମୁହଁରେ ଅସନ୍ତୋଷର ଭାବ ଫୁଟି ଉଠିଥିବା ମୁଁ ଦେଖିଥିଲି। ସେ ମଧ୍ୟ ପାଳି ଘୋଷଣା ନିଷ୍ପତ୍ତି ସଠିକ୍ ନଥିବା କହିଥିଲେ। ଆମକୁ ଦ୍ରୁତ ରନ୍ ସଂଗ୍ରହ କରିବାକୁ ମଝିରେ ବାର୍ତା ଆସିଥିଲା। ଆମେ ମଧ୍ୟ ସେହି ଅନୁଯାୟୀ ବ୍ୟାଟିଂ କରୁଥିଲୁ। ତେବେ ମୁଁ ଶେଷ ବ୍ୟାଟର୍ ଭାବେ ଆଉଟ୍ ହୋଇଥିଲି। ହେଲେ ସଚିନ୍ଙ୍କୁ ଦ୍ବିଶତକ ପୂରଣ କରିବାକୁ ଦିଆନଯିବା ଯଥାର୍ଥ ନଥିଲା ବୋଲି ସ୍ପୋର୍ଟସ୧୮ର ନୂଆ କାର୍ଯ୍ୟକ୍ରମ ‘ହୋମ୍ ଅଫ୍ ହିରୋ’ ସହ ଏକ ସ୍ବତନ୍ତ୍ର ବାର୍ତାଳାପ ବେଳେ ଯୁବି କହିଛନ୍ତି।
ତେବେ ୨୦୧୫ରେ ତେନ୍ଦୁଲକରଙ୍କ ଆତ୍ମଜୀବନୀ ‘‘ପ୍ଲେଇଂ ଇଟ୍ ମାଇ ୱେ’’ର ଉନ୍ମୋଚନ ଉତ୍ସବରେ ସଚିନ୍, ଦ୍ରାବିଡ୍ ଓ ସୌରଭ ଗାଙ୍ଗୁଲି ପୂରା ଘଟଣା ଉପରେ ସନ୍ତୁଷ୍ଟ ଥିବା ଦେଖାଯାଇଥିଲା। ପାଳି ଘୋଷଣା ପରେ ସେ ଓ ଅଧିନାୟକଙ୍କ ମଧ୍ୟରେ ସେଭଳି କିଛି ମନୋମାଳିନ୍ୟ ନଥିବା ସଚିନ୍ କହିଥିଲେ। କିନ୍ତୁ ପାଳି ଘୋଷଣା ପରେ ଦ୍ରାବିଡ୍ ମୋ ପାଖକୁ ଆସିଥିଲେ ଏବଂ ତୁମେ ଦ୍ବିଶତକ ପୂରଣରୁ ବଞ୍ଚିତ ଯୋଗୁଁ ଭାଙ୍ଗିପଡ଼ିଥିବା ଶୁଣିବାକୁ ପାଇଲି ବୋଲି କହିଥିଲେ। ସେଥିପାଇଁ ତୁମ ସହ କଥା ହେବାକୁ ଆସିଛି ବୋଲି କହିଥିବା ସଚିନ୍ କହିଥିଲେ। ମୁଁ କିନ୍ତୁ ବାସ୍ତବରେ ଭାଙ୍ଗି ପଡ଼ିଥିଲି। ତେଣୁ ସେହି ସମୟରେ ପାଳି ଘୋଷଣା କରିବା ପଛରେ ପ୍ରକୃତ ଭାବନା କ’ଣ ଥିଲା ବୋଲି ଦ୍ରାବିଡ୍ଙ୍କୁ ପଚାରିଥିଲି। ମୁଁ ଦଳ ପାଇଁ ଖେଳୁଥିଲି। ୧୯୪ ରନ୍ରେ ବ୍ୟାଟିଂ କରୁଥିଲି। ମୋର ବ୍ୟକ୍ତିଗତ ଯୋଗଦାନ ଦଳ ପାଇଁ ସହାୟକ ହୋଇଥିଲା। ଦ୍ବିଶତକ ପୂରଣ କରିଥିଲେ ବ୍ୟକ୍ତିଗତ ମାଇଲଖୁଣ୍ଟ ଛୁଇଁଥା’ନ୍ତି। ହେଲେ ଦଳର ବୃହତର ସ୍ବାର୍ଥ ଦୃଷ୍ଟିରୁ ପାଳି ଘୋଷଣା ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ତାହା ଠିକ୍ ନଥିଲା ବୋଲି ସଚିନ୍ କହିଥିଲେ। ଅନ୍ୟପକ୍ଷରେ ଆମେ ଦୁହେଁ ୧୬ ବର୍ଷ ଧରି ଏକାଠ ଖେଳିଥିଲୁ। ସେମଧ୍ୟରେ ପରସ୍ପର ମଧ୍ୟରେ କିଛି ରାଜି ବା ଅରାଜି ଥାଇପାରେ। କିନ୍ତୁ ମୋର କୌଣସି ସ୍ବାର୍ଥ କିମ୍ବା କାହାରି କ୍ଷତି ପାଇଁ ପାଳି ଘୋଷଣା ନିଷ୍ପତ୍ତି ନେଇନଥିଲି ବୋଲି ଦ୍ରାବିଡ୍ କହିଥିଲେ।