ଯୁବରାଜ ବିଦାୟୀ ସମ୍ବର୍ଧନାର ହକ୍‌ଦାର ଥିଲେ: ରୋହିତ

ନଟିଂହାମ୍‌: ଭାରତୀୟ ଦଳର ଉପଅଧିନାୟକ ରୋହିତ ଶର୍ମା ସୋମବାର ଅବସର ନେଇଥିବା ଯୁବରାଜ ସିଂହଙ୍କୁ ପ୍ରଶଂସା କରିଛନ୍ତି। ୧୭ ବର୍ଷ ଧରି କ୍ରିକେଟ୍‌ରେ ରାଜୁତି କରୁଥିବା ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌ ଏକ ବଡ଼ ବିଦାୟୀ ସମ୍ବର୍ଧନାର ହକ୍‌ଦାର ଥି‌ଲେ ବୋଲି ‌ରୋହିତ କହିଛନ୍ତି। ଆପଣ ଜାଣି ନାହାନ୍ତି, ଆପଣ ଏପର୍ଯ୍ୟନ୍ତ କ’ଣ ପାଇଛନ୍ତି। ଭାଇ ତୁମକୁ ମୁଁ ଭଲପାଏ। ଆପଣ ନିଶ୍ଚିତ ଏକ ବଡ଼ ବିଦାୟୀ ସମ୍ବର୍ଧନାର ହକ୍‌ଦାର ଥିଲେ ବୋଲି ଯୁବରାଜଙ୍କ ଅବସର ପରେ ନିଜ ଟ୍ବିଟର୍‌ ପୃଷ୍ଠାରେ ରୋହିତ ଉଲ୍ଲେଖ କରିଛନ୍ତି। ଯୁବରାଜ ଭାରତ ପାଇଁ ୪୦ ଟେଷ୍ଟ୍‌, ୩୦୪ ଦିନିକିଆ ଏବଂ ୫୮ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ‌ଟେଷ୍ଟ୍‌ରେ ୧୯୦୦ ରନ୍‌ କରିଥିଲା ବେଳେ ଦିନିକିଆ (୮୭୦୧ ରନ୍‌)ରେ ସବୁଠୁ ଅଧିକ ସଫଳତା ପାଇଥିଲେ। ରନ୍‌ ସଂଗ୍ରହରେ ସେ ଭାରତୀୟଙ୍କ ମଧ୍ୟରେ ୨୨ତମ ସ୍ଥାନରେ ରହିଛନ୍ତି। ହେଲେ ବୀରେନ୍ଦ୍ର ସେହବାଗ, ରାହୁଲ ଦ୍ରାବିଡ଼, ଭିଭିଏସ୍‌ ଲକ୍ଷ୍ମଣ ଏବଂ ଗୌତମ ଗମ୍ଭୀରଙ୍କ ଭଳି ତାଙ୍କୁ ମଧ୍ୟ ବିଦାୟୀ ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିନାହିଁ। ଶେଷ ଥର ଲାଗି ଯୁବରାଜ ୨୦୧୭ ଜୁନ୍‌ରେ ଭାରତ ପାଇଁ ଖେଳିଥିଲେ।

ସମ୍ବନ୍ଧିତ ଖବର