ଭୁବନେଶ୍ବର: ୱାଘା ବର୍ଡରରେ‌ ବୋତଲ ପାଣି ବିକିବାଠାରୁ ହକି ଇଣ୍ଡିଆ ଲିଗ୍-୨୦୨୪/୨୫ର ସର୍ବାଧିକ ଗୋଲ୍ ସ୍କୋରର୍‌ ହେବା ପର୍ଯ୍ୟନ୍ତ, ଏହି ପ୍ରେରଣାଦାୟୀ କ୍ରୀଡ଼ା ଯାତ୍ରାର ସଫଳ ନାୟକ ହେଉଛନ୍ତି ଭାରତୀୟ ହକି ତାରକା ଯୁଗରାଜ ସିଂହ। ହକି ପଡ଼ିଆରେ ଯୁଗରାଜଙ୍କ ଏଭଳି ନାଟକୀୟ ଉତ୍‌ଥାନ ପଛରେ ରହିଛି ଅଦମ୍ୟ ଇଚ୍ଛାଶକ୍ତି, ନିରନ୍ତର ପ୍ରୟାସ, ଅପୂର୍ବ ଏକାଗ୍ରତା ତଥା କଠିନ ପରିଶ୍ରମ। ୨୮ବର୍ଷୀୟ ଯୁଗରାଜ ହକି ଇଣ୍ଡିଆ ଲିଗ୍‌ରେ ବ୍ୟକ୍ତିଗତ ଭାବେ ୧୨ ଗୋଲ୍ ଦେବା ସହ ଶ୍ରାଚୀ ରା’ବେଙ୍ଗଲ ଟାଇଗର୍ସ ଦଳକୁ ବିଜେତା କରାଇବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି। ହାଇଦ୍ରାବାଦ ତୁଫାନ୍ସ ବିପକ୍ଷ ଫାଇନାଲ୍‌ରେ ହ୍ୟାଟ୍ରିକ୍ ଅର୍ଜନ କରିବା ହେଉଛି, ତାଙ୍କ ପ୍ରତିଶ୍ରୁତିଭରା ଖେଳ କ୍ୟାରିୟର୍‌ର ଅନ୍ୟତମ ହାଇଲାଇଟ୍ସ। 

Advertisment

ପଞ୍ଜାବର ଅଟାରୀଠାରେ ଜନ୍ମଗ୍ରହଣ କରିଥିବା ଯୁଗରାଜଙ୍କ ପିଲାବେଳ ଥିଲା ବେଶ୍ ସଂଘର୍ଷପୂର୍ଣ୍ଣ। ଆର୍ଥିକ ଅନଟନ ଭିତରେ ତାଙ୍କୁ ସବୁବେଳେ ଜୀବନର ଅତି ବଂଧୁର ପଥ ଦେଇ ଆଗକୁ ବଢ଼ିବାକୁ ପଡ଼ୁଥିଲା। ଭାରତୀୟ ସେନା ବାହିନୀରେ କୁଲି ଭାବେ କାର୍ଯ୍ୟ କରୁଥିବା ପିତା‌ ଯେତେବେଳେ ହଠାତ୍ ରୋଗଗ୍ରସ୍ତ ହୋଇ ଶଯ୍ୟାଶାୟୀ ହୋଇଥ‌ିଲେ, ସେତେବେଳେ ଅତି ଛୋଟ ବୟସରୁ ଯୁଗରାଜ ନିଜ ଗାଁ ପାଖ ଭାରତ-ପାକିସ୍ତାନ ୱାଘା-ଅଟାରୀ ସୀମାରେ ବୋତଲ ପାଣି ଓ ତ୍ରିରଙ୍ଗା ବିକ୍ରି କରି ଗୁଜୁରାଣ ମେଣ୍ଟାଇବାକୁ ବାଧ୍ୟ ହୋଇଥିଲେ। ଏତେ କଷ୍ଟ ସତ୍ତ୍ବେ ହକି ପ୍ରତି ଥିବା ନିଜ ଭଲପାଇବାକୁ ସେ କେବେ କମିବାକୁ ଦେଇ ନଥିଲେ। ବଡ଼ ଭାଇଙ୍କ ଦ୍ବାରା ଅନୁପ୍ରେରିତ ହୋଇ ମାତ୍ର ୭ବର୍ଷ ବୟସରୁ ହକି ଖେଳିବା ଆରମ୍ଭ କରିଥିବା ଯୁଗରାଜ ସବୁବାଧାବିଘ୍ନର ସଫଳତାର ସହ ସମ୍ମୁଖୀନ ହୋଇଥିଲେ। ଜୀବନ ଯୁଦ୍ଧରେ ଯେତେ ଯନ୍ତ୍ରଣା ଭୋଗିଲେ ମଧ୍ୟ ହକି ଖେଳିବା ଜାରି ରଖିଥିଲେ। ଯୁଗରାଜଙ୍କ ତ୍ୟାଗ ଓ ପରିଶ୍ରମର ଫଳ ସ୍ବରୂପ ପ୍ରଥମେ ତାଙ୍କୁ ପଞ୍ଜାବ ଓ ପରେ ଭାରତୀୟ ଦଳରେ ସୁଯୋଗ ମିଳିଥିଲା। ପୁଣି ନିଜ ପ୍ରଥମ ଋତୁରେ ଚଳିତ ବର୍ଷର କି ଇଣ୍ଡିଆ ଲିଗ୍‌ର ସବୁଠୁ ମୂଲ୍ୟବାନ ଖେଳାଳି ହେବା ତାଙ୍କ ଉତ୍ସାହ ଓ ଏକାଗ୍ରତାକୁ ଆହୁରି ବହୁଗୁଣ ବଢ଼ାଇଦେଇଛି। 

‘‘ହକି ଇଣ୍ଡିଆ ଲିଗ୍  ମୋ ପାଇଁ ବହୁତ ବଡ଼ ସୁଯୋଗ ଥିଲା। ଏଥିରେ କିଛି କରି ଦେଖାଇବାକୁ ମୁଁ ପ୍ରତିଶ୍ରୁତିବଦ୍ଧ ଥିଲି। ଲକ୍ଷ୍ୟ ପୂରଣ ହୋଇଥିବାରୁ ବହୁତ ଖୁସି ଲାଗୁଛି। ପ୍ରତି ମ୍ୟାଚ୍ ପୂର୍ବରୁ ପ୍ରତିପକ୍ଷ ଗୋଲ୍‌ରକ୍ଷକଙ୍କ ଯୋଜନାକୁ ପଢ଼ିବାରେ ମୁଁ ଢେର୍‌ ସମୟ ଲଗାଇଥିଲି। ଆଉ ସେଥିପାଇଁ ହିଁ ସଫଳ ହେଲି। ଏବେ ମୋର ପରବର୍ତ୍ତୀ ଲକ୍ଷ୍ୟ ‌ହେଉଛି ବିଶ୍ବକପ୍, ଏସୀୟ କ୍ରୀଡ଼ା ଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା। ଏଥିଲାଗି କଠିନ ପରିଶ୍ରମ କରୁଛି ଏବଂ ପ୍ରତିଟି ଆହ୍ବାନ ପାଇଁ ନିଜକୁ ପ୍ରସ୍ତୁତ କରୁଛି। ଯେତେବେଳ ଯାଏ ଶକ୍ତି ଓ ସାମର୍ଥ୍ୟ ଥିବ, ସେତେ ଦିନ ଯାଏ ଭାରତ ପାଇଁ ଖେଳିବି। କାରଣ ମୋ ଦେଶ ମୋତେ ସବୁକିଛି ଦେଇଛି’’ ବୋଲି ଯୁଗରାଜ କହିଛନ୍ତି।

ଭାରତ ପକ୍ଷରୁ ୬୪ରୁ ଅଧିକ ମ୍ୟାଚ୍ ଖେଳି ସାରିଥିବା ଯୁଗରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ଏବଂ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକିରେ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍ ଖେଳିବାକୁ ସଂପ୍ରତି ଭୁବନେଶ୍ବରରେ ଥିବା ଏହି ପ୍ରତିଭାବାନ ରକ୍ଷଣଭାଗ ଖେଳାଳି କଳିଙ୍ଗ ଷ୍ଟାଡିୟମ୍‌ର ଦର୍ଶକଙ୍କୁ ହକି ଇଣ୍ଡିଆ ଲିଗ୍ ଭଳି ପୁଣି ଥରେ ଭରପୂର ମନୋରଞ୍ଜନ ତଥା ରୋମାଞ୍ଚକ ହକି ଖେଳ ଦେଖାଇବା ଲକ୍ଷ୍ୟ‌ରେ ରହିଛନ୍ତି।