ପୋଚେଫଷ୍ଟ୍ରମ୍: ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି ଲିଗ୍ ଲାଗି ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତ ମଙ୍ଗଳବାର ସ୍ପେନ୍କୁ ୫-୦ ଗୋଲ୍ରେ ହରାଇ ଚଳିତବର୍ଷର ଅଭିଯାନ ଆରମ୍ଭ କରିଥିଲା। ବୁଧବାର ଭ୍ରମଣକାରୀ ଭାରତ ୧୦-୨ ଗୋଲ୍ରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି। ମ୍ୟାଚ୍ର ଦ୍ବିତୀୟ ମିନିଟ୍ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ହରମନ୍ପ୍ରୀତ ସିଂହ ଦଳକୁ ଅଗ୍ରଣୀ କରିଥିଲେ। ଏହାପରେ ଯୁଗରାଜ ସିଂହ (୪, ୬ ମିନିଟ୍) ଦୁଇ ମିନିଟ୍ ଅନ୍ତରରେ ଦୁଇଟି ଗୋଲ୍ ଲଦି ଦେଇଥିଲେ। ୧୨ତମ ମିନିଟ୍ରେ ଅଭିଷେକଙ୍କ ଗୋଲ୍ରେ ଭାରତ ପ୍ରଥମ କ୍ବାର୍ଟରକୁ ୪-୦ରେ ଶେଷ କରିଥିଲା। ଦ୍ବିତୀୟ କ୍ବାର୍ଟରରେ ଯୁଗରାଜ (୨୩ ମିନିଟ୍) ଆଉ ଏକ ଗୋଲ୍ ଦେଇ ବ୍ୟକ୍ତିଗତ ହ୍ୟାଟ୍ରିକ ଅର୍ଜନ କରିଥିଲେ।
ଏହାପରେ ଗୁରସାହିବଜିତ ସିଂହ (୨୪ ମିନିଟ୍), ଦିଲ୍ପ୍ରୀତ ସିଂହ (୨୫ ମିନିଟ୍) ଓ ମନଦୀପ ସିଂହ (୨୭ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇ ପ୍ରଥମାର୍ଦ୍ଧରେ ଦଳକୁ ୮-୦ରେ ଆଗୁଆ ରଖିଥିଲେ। ତୃତୀୟ କ୍ବାର୍ଟରରେ ଭାରତ ପକ୍ଷରୁ କେବଳ ଗୁରସାହିବଜିତ (୩୬ ମିନିଟ୍) ଗୋଟିଏ ଗୋଲ୍ ଦେଇଥିଲେ। ହେଲେ ଏହି କ୍ବାର୍ଟରର ଶେଷ ଦୁଇ ମିନିଟ୍ରେ ଦକ୍ଷିଣ ଆଫ୍ରିକାର ଡାନିଏଲ ବେଲ୍ (୪୪ ମିନିଟ୍) ଓ ରିକାର୍ଡ ପୌଜ୍ (୪୫ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଶୁଝି ସ୍ଥିତି ୨-୯ କରିଥିଲେ। ଚତୁର୍ଥ କ୍ବାର୍ଟରରେ ଦିଲପ୍ରୀତ (୫୮ ମିନିଟ୍) ବ୍ୟକ୍ତିଗତ ଯୁଗଳ ସଫଳତା ପାଇବା ସହ ଭାରତକୁ ୧୦-୨ରେ ବିଜୟ ଭେଟି ଦେଇଥିଲେ। ଭାରତ ପରବର୍ତ୍ତୀ ମ୍ୟାଚ୍ ୧୨ ତାରିଖରେ ଫ୍ରାନ୍ସ ଏବଂ ୧୩ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳି ଏହି ଗସ୍ତ ଶେଷ କରିବ।