ଆଇପିଏଲ୍‌‌ରେ ସ୍ଥାନ ପାଇନଥିବା ଏହି ସବୁ ଭାରତୀୟ କ୍ରିକେଟର୍‌ ଏବେ ବିଦେଶୀ ଲିଗ୍ ମୁହାଁ

ନୂଆଦିଲ୍ଲୀ: ଆଇପିଏଲ ଖେଳିବାକୁ ଦେଶ ବିଦେଶର ଅଧିକାଂଶ ଖେଳାଳି ଚାତକ ଭଳି ଚାହିଁ ରହିଥାନ୍ତି । ଏପରିକି ଆଇପିଏଲ ଟିମରେ ସ୍ଥାନ ପାଇବାକୁ ଖେଳାଳି ମାନେ କଠିନ ପରିଶ୍ରମ କରିଥାନ୍ତି । କିନ୍ତୁ ପ୍ରତ୍ୟେକ ଥର ଆଇପିଏଲ ଟିମରେ ସ୍ଥାନ ପାଇବା ଏତେ ସହଜ ନୁହେଁ । କିନ୍ତୁ ଏବେ କିଛି ନାମୀ ଭାରତୀୟ କ୍ରିକେଟର ବିଦେଶୀ କ୍ରିକେଟ ଲିଗ୍ ଖେଳିବାକୁ ମୁହାଁଇଛନ୍ତି । ଯେଉଁମାନଙ୍କ ମଧ୍ୟରେ ସୁଦୀପ ତ୍ୟାଗୀ, ମନବିନ୍ଦର ବିସଲା, ୟୁସୁଫ ପଠାନଙ୍କ ଭଳି ଖେଳାଳି ରହିଛନ୍ତି ।

ଭାରତୀୟ ପୂର୍ବତନ ଦ୍ରୁତ ବୋଲର ସୁଦୀପ ତ୍ୟାଗୀ, ଆଇପିଏଲ ଖେଳିଥିବା ବିସଲା, ପୂର୍ବ ଭାରତୀୟ କ୍ରିକେଟର ୟୁସୁଫ ପଠାନ୍ ଏବେ ଲଙ୍କା ପ୍ରିମିୟର ଲିଗ ଖେଳିବାକୁ ନାମ ପଞ୍ଜୀକରଣ କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଚଳିତବର୍ଷ ୩୦ ଜୁଲାଇରୁ ୨୨ ଅଗଷ୍ଟ ମଧ୍ୟରେ ଲଙ୍କା ପ୍ରିମିୟର ଲିଗ୍ ଖେଳାଯିବ । ତେବେ ଶ୍ରୀଲଙ୍କା ପକ୍ଷରୁ ୟୁସୁଫ ପଠାନଙ୍କ ନାଁ ଉଲ୍ଲେଖ କରିଛି । ଅନ୍ୟ କୌଣସି ଖେଳାଳିଙ୍କ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଏହାପୂର୍ବରୁ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଇରଫାନ ପଠାନ ଗତବର୍ଷ କ୍ୟାଣ୍ଡି ଫ୍ରାଞ୍ଚାଇଜ ପକ୍ଷରୁ ଖେଳିଥିଲେ । ସେହିଭଳି ତ୍ୟାଗୀ ମଧ୍ୟ ଗତବର୍ଷ ଡାମ୍ବୁଲା ଭିକିଙ୍ଗ ପକ୍ଷରୁ ଖେଳିଛନ୍ତି । ପୂର୍ବରୁ ତ୍ୟାଗୀ ସନରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଆଇପିଏଲରେ ଖେଳିଛନ୍ତି । ଏପରିକି ଭାରତ ପକ୍ଷରୁ ତ୍ୟାଗୀ ୪ଟି ଏକଦିବସୀୟ ଓ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ବିସିସିଆଇ ଭାରତୀୟ ଖେଳାଳିଙ୍କୁ କୌଣସି ବିଦେଶୀ ଲିଗରେ ଖେଳିବାକୁ ଅନୁମତି ଦିଏନାହିଁ । ଯଦି କୌଣସି ଖେଳାଳି ବିଦେଶୀ ଲିଗରେ ଭାଗ ନେବାକୁ ଚାହୁଁଥାନ୍ତି ତେବେ ପ୍ରଥମେ ତାଙ୍କୁ ଭାରତୀୟ କ୍ରିକେଟରୁ ସନ୍ନ୍ୟାସ ନେବାକୁ ପଡିଥାଏ । ପୂର୍ବରୁ ଇରଫାନ, ୟୁସୁଫ, ତ୍ୟାଗୀ ଓ ମୁନାଫ ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି । ତେଣୁ ଲଙ୍କା ପ୍ରିିମିୟର ଲିଗରେ ଭାଗ ନେବାରେ ଏମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ ନାହିଁ ।

ସମ୍ବନ୍ଧିତ ଖବର