ଗ୍ଲୋବାଲ୍ ଟି-୨୦ରେ ଯୁବିଙ୍କ ଜଲୱା

ନୂଆଦିଲ୍ଲୀ: ଦୁଇ ମାସ ତଳେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିବା ଯୁବରାଜ ସିଂହ ଏବେ କାନାଡ଼ାରେ ଚାଲିଥିବା ଗ୍ଲୋବାଲ୍ ଟି-୨୦ରେ ଖେଳୁଛନ୍ତି। କେବଳ ଖେଳୁ ନାହାନ୍ତି, ଯୁବିଙ୍କ ଜଲୱା ତାଙ୍କ ପ୍ରଶଂସକଙ୍କୁ ଖୁସି ହେବାର ଖୋରାକ ବି ଯୋଗାଇଛି। ରବିବାର ରାତିରେ ଯୁବି ଆକର୍ଷଣୀୟ ଅର୍ଧଶତକ ଜମାଇବା ସହିତ ଏବଂ ସୁନ୍ଦର କ୍ୟାଚ୍‌ ନେବା ସବୁଠାରୁ ଅଧିକ ଚର୍ଚ୍ଚାକୁ ଆସିଛି। ଟରଣ୍ଟୋ ନ୍ୟାସନାଲ୍ସ ପକ୍ଷରୁ ଖେଳୁଥିବା ଯୁବି ମଣ୍ଟ୍ରିଲ୍ ଟାଇଗର୍ସ ବିପକ୍ଷରେ ଚମତ୍କାର ଭାବେ ପ୍ରତିପକ୍ଷ ଲେଣ୍ଡଲ୍ ସିମନ୍ସଙ୍କ କ୍ୟାଚ୍‌ ନେଇଥିଲେ। ବଲ୍ ମିଡ୍‌ଅଫରେ ଥିବା ଯୁବରାଜଙ୍କ ହାତକୁ ସିଧା ସଳଖ ଯାଇଥିଲା, କିନ୍ତୁ ସେ ସନ୍ତୁଳନ ରକ୍ଷା କରିବା ସହିତ ୩ ଥର ହାତଛଡ଼ା କରି ଶେଷକୁ ଧରିନେଇଥିଲେ। ଏହି ମ୍ୟାଚ୍‌କୁ ନ୍ୟାସନାଲ୍ସ ମଧ୍ୟ ୪ ୱିକେଟ୍‌ରେ ଜିତିଥିଲା। ପୂର୍ବରୁ ଯୁବରାଜ ବ୍ର‌ମ୍ପଟନ୍‌ ୱଲ୍‌ଭ୍ସ ବିପକ୍ଷରେ ୨୨ ବଲରୁ ୫ ଛକା ସହାୟତାରେ ୫୧ ରନ୍ କରିଥିଲେ। ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିଥିବା ଯୁବରାଜ ମଧ୍ୟ ୪ ଚୌକା ସହାୟତାରେ ପ୍ରତିଯୋଗିତାରେ ତାଙ୍କ ପ୍ରଥମ ଅର୍ଧଶତକ ହାସଲ କରିଥିଲେ। ପୂର୍ବରୁ ଆଉ ଏକ ମ୍ୟାଚ୍‌ରେ ଏଡମଣ୍ଟନ୍‌ ରୟାଲ୍ସ ବିପକ୍ଷରେ ସେ ୨୧ ବଲ୍‌ରୁ ୩୫ ରନ୍‌ କରି ନିଜ ଦଳକୁ ବିଜୟୀ କରାଇଥିଲେ।

ସମ୍ବନ୍ଧିତ ଖବର