ମୁମ୍ବାଇ ଇଣ୍ଡିଆନ୍‌ସ ଶିବିରରେ ଯୁବି

ମୁମ୍ବାଇ: ଭାରତୀୟ ଦଳର ପୂର୍ବତନ ଅଲ୍‌ରାଉଣ୍ଡର ଯୁବରାଜ ସିଂହ ଏଥର ଆଇପିଏଲ୍‌ ପାଇଁ ମୁମ୍ବାଇ ଇଣ୍ଡିଆନ୍‌ସ ପକ୍ଷରୁ ଖେଳିବେ। ଏଥିପାଇଁ ସେ ଦଳର ପ୍ରସ୍ତୁତି ଶିବିରରେ ‌ଯୋଗ ଦେଇଛନ୍ତି। ୨୦୧୯ ଆଇପିଏଲ୍‌ ନିଲାମୀ ବେଳେ ଯୁବିଙ୍କୁ କିଣିବାକୁ କୌଣସି ଫ୍ରାଞ୍ଚାଇଜ୍‌ ଆଗ୍ରହ ପ୍ରକାଶ କରିନଥିଲା ବେଳେ ମୁମ୍ବାଇ ଇଣ୍ଡିଆନ୍‌ସ ଶେଷରେ ତାଙ୍କୁ ମୂଳ ଦର ୧ କୋଟିରେ କିଣିଥିଲା। ଫଳରେ ମୁମ୍ବାଇ ଇଣ୍ଡିଆନ୍‌ସ ଯୁବିଙ୍କ ପାଇଁ ଷଷ୍ଠ ଆଇପିଏଲ୍‌ ଦଳ ହୋଇଛି। ଏହା ପୂର୍ବରୁ ଯୁବି କିଙ୍ଗ୍‌ସ ଏକାଦଶ ପଞ୍ଜାବ, ପୁନେ ୱାରିଅର୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଦିଲ୍ଲୀ ଡେୟାର ଡେଭିଲ୍‌ସ ଓ ସନ୍‌ ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିସାରିଛନ୍ତି। ତେବେ ଏଥର ମୁ୍ମ୍ବାଇକୁ ଆସିଥିବା ଯୁବିଙ୍କ ପାଇଁ ଦଳର ଘରୋଇ ପଡ଼ିଆ ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ ସ୍ବତନ୍ତ୍ର ହେବ। ୱାଙ୍ଖ୍‌ଡେ ହେଉଛି ସେହି ପଡ଼ିଆ ଯେଉଁଠି ଯୁବି ଜଣେ ନନ୍‌ ଷ୍ଟ୍ରାଇକର୍‌ ଭାବେ ମହେନ୍ଦ୍ର ସିଂହ ଧୋନି ଛକା ମାରି ଭାରତକୁ ୨୦୧୧ ବିଶ୍ବ ବିଜେତା କରାଇବାର ମୁହୂର୍ତ୍ତକୁ ଦେଖିଥିଲେ। ସବୁଠୁ ବଡ଼ କଥା ହେଲା ସେହି ବିଶ୍ବକପ୍‌ରେ ଯୁବି ହିଁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଯୁବି ଶେଷ ଥର ପାଇଁ ୨୦୧୭ରେ ଭାରତ ପକ୍ଷରୁ ଦିନିକିଆ ଶୃଙ୍ଖଳା ଖେଳିଥିଲେ। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଏହି ଶୃଙ୍ଖଳା ପରେ ଯୁବି ଆଉ ଜାତୀୟ ଦଳକୁ ଫେରିପାରିନାହାନ୍ତି। ହେଲେ ଯୁବିଙ୍କ ଭଳି ଜଣେ ବିସ୍ଫୋରକ ଖେଳାଳିଙ୍କ ପାଇଁ ୨୦୧୮ ଆଇପିଏଲ୍‌ ନିରାଶାଜନକ ଥିଲା। ଯେଉଁଥିରେ ମୋଟ ୮ ମ୍ୟାଚ୍‌ ଖେଳି ଯୁବି କରିଥିଲେ ମାତ୍ର ୬୫ ରନ୍‌। ମୋଟାମୋଟି ଭାବେ ଯୁବି ୨୦୦୮ରୁ ୨୦୧୮ ପର୍ଯ୍ୟନ୍ତ ଆଇପିଏଲ୍‌ରେ ଖେଳିଥିବା ମୋଟ ୧୨୮ ମ୍ୟାଚ୍‌ରୁ ସଂଗ୍ରହ କରିଛନ୍ତି ୨୬୫୨ ରନ୍। କିନ୍ତୁ ଏଥର ତାଙ୍କ ଉପରେ ଭରସା କରିଛନ୍ତି ମୁମ୍ବାଇ ଇଣ୍ଡିଆନ୍‌ସ ଦଳର ଅଧିନାୟକ ରୋହିତ ଶର୍ମା। ତେଣୁ ରୋହିତ ଓ ପାଣ୍ଡ୍ୟା ଭ୍ରାତା (କ୍ରୁନାଲ ଓ ହାର୍ଦିକ୍‌)ଙ୍କ ସହ ଖେଳିବାକୁ ଯୁବି ମଧ୍ୟ ବ୍ୟଗ୍ର ଅଛନ୍ତି।

ସମ୍ବନ୍ଧିତ ଖବର