ପୁରୁଣା ‌ଦିନକୁ ମନେ ପକାଇଲେ ଯୁବି

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ବାମହାତୀ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂହ ସୋମବାର ପୁରୁଣା ଦିନର ଏକ ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେରେ ଛାଡ଼ିଛନ୍ତି। ଏହି ଫଟୋରେ ଯୁବିଙ୍କ ସହ ତାଙ୍କ ପୂର୍ବତନ ସାଥୀ ଭିଭିଏସ୍‌ ଲକ୍ଷ୍ମଣ, ବୀରେନ୍ଦ୍ର ସେହବାଗ ଓ ଆଶିଷ ନେହେରା ସର୍ବସାଧରଣ ଟେଲିଫୋନ୍‌ ବୁଥ୍‌ରେ ଠିଆ ହୋଇ କଥା ହେଉଥିବା ଦେଖିବାକୁ ମିଳିଛି। ଏହି ଫଟୋର ଶିରୋନାମା ଯୁବି ଲେଖିଛନ୍ତି ଯେ ‘ଖରାପ ପ୍ରଦର୍ଶନ ‌ପରେ ଯଦି ତୁମ ଅଭିଭାବକ ତୁମର ମୋବାଇଲ୍ ଫୋନ୍ ବିଲ୍ ଦେବେ ନାହିଁ!’। ଏହି ଲେଖା ସହ ଯୁବି ଭାରତର ତିନିଜଣ ପୂର୍ବତନ କ୍ରିକେଟରଙ୍କୁ ଟ୍ୟାଗ୍ କରିଥିଲେ।
ଏହି ଫଟୋଟି କେବେ ଉଠାଯାଇଥିଲା ଠିକ୍‌ ଭାବେ କହିହେଉନି। କିନ୍ତୁ ୨୦୦୧ ଶ୍ରୀଲଙ୍କା ଗସ୍ତ ସମୟର ବୋଲି ଅନୁମାନ କରଯାଉଛି। ଏହି ଗସ୍ତରେ ଭାରତ ଏକ ତ୍ରିକୋଣୀୟ ଶୃଙ୍ଖଳା ସହ ଶ୍ରୀଲଙ୍କା ବିପକ୍ଷରେ ୨ ଟେଷ୍ଟ୍‌ ଖେଳିଥିଲା। ‌ଉଭୟ ଶୃଙ୍ଖଳାକୁ ସନଥ ଜୟସୂରିୟାଙ୍କ ନେତୃତ୍ବଧୀନ ଘରୋଇ ଦଳ ଜିତିଥିଲା।

ଏହି ଗସ୍ତରେ ସାମିଲ ଥିବା ଯୁବରାଜଙ୍କ ଦୀର୍ଘ ଦିନର ବନ୍ଧୁ ହରଭଜନ ସିଂହ ସଙ୍ଗେ ସଙ୍ଗେ ‘ମାଗଣା କଲ୍‌?’ ବୋଲି ଏହା ଉପରେ ମନ୍ତବ୍ୟ ଦେଇଥିଲେ। ଯୁବରାଜ ଏହାର ଉତ୍ତରରେ କହିଥିଲେ: “ଶ୍ରୀଲଙ୍କାରୁ ଭାରତକୁ କଲ କରିବା! ହଁ ମା’ ମୁଁ ପହଞ୍ଚୁଛି। ବୋଧହୁଏ ଅଶୁ (ନେହେରା) କହୁଛନ୍ତି ଆବେ ସୁନ୍‌ ମୁଁ ପହଞ୍ଚିଗଲି ମ୍ୟାଚ୍‌ ପରେ କଥା ହେବା! ଚାଲ୍ ବାଏ।”

ସମ୍ବନ୍ଧିତ ଖବର