୬ ଛକା ସ୍ମୃତିକୁ ପୁଅ ସହ ରୋମନ୍ଥନ କଲେ ଯୁବି

ଚଣ୍ଡିଗଡ଼: ଦକ୍ଷିଣ ଆଫ୍ରିକାରେ ଆଜକୁ ଠିକ୍ ୧୫ ବର୍ଷ ତଳେ ପୂର୍ବତନ ଭାରତୀୟ ବାମହାତୀ ଅଲରାଉଣ୍ଡର୍‌ ଯୁବରାଜ ସିଂହ ଇତିହାସ ରଚିଥିଲେ। ୨୦୦୭ ମସିହା ସେପ୍ଟେମ୍ବର ୧୯ ତାରିଖର ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମୁକାବିଲାରେ ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରର ସମସ୍ତ ୬ ବଲ୍‌କୁ ଛକା‌ ମାରି କ୍ରିକେଟ୍ ଜଗତରେ ଚହଳ ସୃଷ୍ଟି କରିଥିଲେ ସେ। ଟ୍ବେଣ୍ଟି-୨୦ କ୍ରିକେଟ୍‌ର ଗୋଟିଏ ଓଭରରେ ୬ ଛକା ମାରିବାରେ ପ୍ରଥମ ଖେଳାଳି ହେବାର ବିରଳ କୀର୍ତ୍ତିମାନ କରିଥିଲେ ଯୁବି।

ଦେଢ଼ ଦଶନ୍ଧି ପରେ ଯୁବରାଜ ନିଜ କ୍ରିକେଟ୍ ଜୀବନର ସେହି ଗୌରବମୟ ଅଧ୍ୟାୟକୁ ୮ ମାସର ପୁଅ ଓରିଅନ୍ କିଚ୍ ସିଂହଙ୍କ ସହ ରୋମନ୍ଥନ କରିଛନ୍ତି। ବ୍ରଡ୍‌ଙ୍କୁ ଛକା ବର୍ଷା କରିବାର ଦୃଶ୍ୟକୁ ଓରିଅନ ସହ ଦେଖୁଥିବାର ଭିଡିଓ ଟ୍ବିଟ୍ କରି ପୁରୁଣା ଦିନର ଅଭୁଲା ସ୍ମୃତିକୁ ପୁଣି ଥରେ ଉଜାଗର କରିଛନ୍ତି ସେ। ଭିଡିଓ ତଳେ ଯୁବି ଲେଖିଛନ୍ତି ଯେ ୧୫ ବର୍ଷ ପରେ ଏହାକୁ ଦେଖିବା ଲାଗି ଏହି ବାବୁଙ୍କଠାରୁ ଭଲ ଯୋଡ଼ିଦାର ମୁଁ ଆଉ ପାଇଲି ନାହିଁ। ଯୁବିଙ୍କ ଏହି ଭିଡିଓ ଦେଖି ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇର୍ଫାନ୍ ପଠାନ ଲେଖିଥିଲେ ଯେ ତୁମ କୌଶଳ ଉପରେ ଜୁନିଅର ପୁରା ତୀକ୍ଷ୍ଣ ନଜର ରଖିଛି।

ସମ୍ବନ୍ଧିତ ଖବର