୬ ଛକା ପଛର କାହାଣୀ କହିଲେ ଯୁବି: ସ୍ଲେଜିଂ ହିଁ ଉତ୍ତେଜିତ କରିଥିଲା, ପ୍ରହାର ପାଇଁ ଉସୁକାଇଥିଲା

ୱାଟ୍‌ସନ୍‌ଙ୍କ ସ୍ଲେଜିଂର ଶିକାର ବି ହୋଇଥିଲେ ୱାହାବ୍‌

ନୂଆଦିଲ୍ଲୀ: ୨୦୦୭ ବିଶ୍ବ ଆଇସିସି ଟି-ଟ୍ବେଣ୍ଟି ପ୍ରତିଯୋଗିତାରେ ମହାନାୟକ ସାଜିଥିଲେ ଭାରତୀୟ ଅଲ୍‌ରାଉଣ୍ଡର ଯୁବରାଜ ସିଂହ। ସେହି ପ୍ରତିଯୋଗିତାରେ ସେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ ତାଙ୍କର ଗୋଟିଏ ଓଭରରେ ୬ ଛକା ମାରି ଇତିହାସ ରଚିଥିଲେ। ରବିବାର ଏହି ଛକା ମାରିବା ପଛର ମଜାଦାର କାହାଣୀ ବଖାଣିଛନ୍ତି ଯୁବରାଜ। ଯୁବିଙ୍କ କହିବା କଥା ହେଲା ସ୍ଲେଜିଂ ହିଁ ମୋତେ ଉତ୍ତେଜିତ କରିଥିଲା ଏବଂ ପ୍ରହାର କରିବା ପାଇଁ ଉସୁକାଇଥିଲା। ଫଳସ୍ବରୂପ ବ୍ରଡ୍‌ଙ୍କୁ ଛକା ପରେ ଛକା ମାରିବାରେ ସହାୟକ ହୋଇଥିଲା। ବ୍ରଡ୍‌ଙ୍କ ସେହି ଓଭର ପୂର୍ବରୁ ଆଣ୍ଡ୍ରିଉ ଫ୍ଲିଣ୍ଟଫ୍‌ଙ୍କୁ ଯୁବି ୨ଟି ଚୌକା ମାରିଥିଲେ। ଅବଶ୍ୟ ଫ୍ଲିଣ୍ଟଫ୍‌ଙ୍କ ସେହି ଦୁଇଟି ବଲ୍‌ ବହୁତ ଭଲ ଥିଲା। ହେଲେ ଚୌକା ଖାଇବାକୁ ଯେମିତି ଫ୍ଲିଣ୍ଟଫ୍‌ ଗ୍ରହଣ କରିପାରିନଥିଲେ। ତେଣୁ ଓଭର ଶେଷରେ ଫ୍ଲିଣ୍ଟଫ୍ ଓ ଯୁବିଙ୍କ ମଧ୍ୟରେ କିଛି ଅଶୋଭନୀୟ ବାକ୍ୟ ବିନିମୟ ହୋଇଥିଲା। ‌ଯଦି ଅମ୍ପାୟାର ହସ୍ତକ୍ଷେପ କରିନଥାନ୍ତେ ତାହାଲେ ଘଟଣା ହାତାହାତି ପର୍ଯ୍ୟନ୍ତ ଯାଇଥାନ୍ତା। କିନ୍ତୁ ଏଥିରେ ଖୁବ୍‌ ଉତ୍ତେଜିତ ହୋଇଥିଲେ ଯୁବି। ଏତେମାତ୍ରାରେ ସେ ରାଗି ଯାଇଥିଲେ ଯେ ପରବର୍ତୀ ସମସ୍ତ ବୋଲରଙ୍କୁ ପ୍ରହାର କରିବାକୁ ନିଷ୍ପତ୍ତି ନେଇଯାଇଥିଲେ। ଯାହାକି ବ୍ରଡ୍‌ ହିଁ ଯୁବିଙ୍କ ରାଗର ପରବର୍ତୀ ଶିକାର ହୋଇଥିଲେ। ବ୍ରଡ୍‌ ଘଟଣାର ପର ଓଭର ବୋଲିଂ କରିବାକୁ ଆସିଥିଲା ବେଳେ ଯୁବି ହିଁ ତାଙ୍କ ପ୍ରତି ବଲ୍‌କୁ ଛକା ମାରିଥିଲେ। ଶେଷରେ ସେହି ପାଳିରେ ଯୁବରାଜ ୧୬ ବଲ୍‌ରୁ ୫୮ ରନ୍‌ କରି ଅପରାଜିତ ରହିଥିଲେ। ଭାରତ ୨୧୮/୪ କରିଥିଲା ଏବଂ ଶେଷରେ ଇଂଲଣ୍ଡ ୧୮ ରନ୍‌ରେ ମ୍ୟାଚ୍‌ ହାରିଯାଇଥିଲା। ଦଳର ଏହି ପରାଜୟ ପାଇଁ ସେତେବେଳେ ଫ୍ଲିଣ୍ଟଫ୍‌ଙ୍କୁ ଦାୟୀ କରାଯାଇଥିଲା। ତେଣୁ ଫ୍ଲିଣ୍ଟଫ୍ ଯଦି ଇଂଲଣ୍ଡର ଶୁଭଚିନ୍ତକ ହେବାକୂୁ ଚାହାଁନ୍ତି, ତାହାଲେ ତାଙ୍କୁ ପାଟି ବନ୍ଦ କରିବାକୁ ପଡ଼ିବ ବୋଲି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।


Sportskeeda

କେବଳ ଫ୍ଲିଣ୍ଟଫ୍‌ କାହିଁକି ଅନ୍ୟ କିଛି ସେଭଳି ଖେଳାଳି ଅଛନ୍ତି ଯେଉଁମାନେ ସ୍ଲେଜିଂ କରିବା ଦ୍ବାରା ତାଙ୍କ ଦଳ କ୍ଷତିଗ୍ରସ୍ତ ହୋଇଥିବାର ନଜିର ରହିଛି। ଯୁବରାଜ-ଫ୍ଲିଣ୍ଟଫ୍‌ଙ୍କ ଘଟଣା ଭଳି ଅଷ୍ଟ୍ରେଲିଆ-ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ୍‌ରେ ସେନ୍‌ ୱାଟ୍‌ସନ୍‌ ମଧ୍ୟ ୱାହାବ୍‌ ରିଆଜ୍‌ଙ୍କୁ ସ୍ଲେଜିଂ କରିବା ମହଙ୍ଗା ପଡ଼ିଥିଲା। ମ୍ୟାଚ୍‌ଟି ଥିଲା ୨୦୧୫ ବିଶ୍ବକପ୍‌ ବେଳର। ଯେତେବେଳେ ରିଆଜ୍‌ ବ୍ୟାଟିଂ ପାଇଁ ଆସିଲେ ସେତେବେଳେ ତାଙ୍କୁ ଅଷ୍ଟ୍ରେଲୀୟ ଖେଳାଳିଙ୍କଠାରୁ ଅପପ୍ରୟୋଗ ଶବ୍ଦ ଶୁଣିବାକୁ ମିଳିଥିଲା। ମିଚେଲ ଜନ୍‌ସନ୍‌, ଜେମ୍‌ସ ଫକ୍‌ନର ଓ ବ୍ରାଡ୍‌ ହାଦିନ୍‌ ଜାଣିଥିଲେ ରିଆଜ୍‌ ଭଲ ବ୍ୟାଟିଂ କରିପାରନ୍ତି ନାହିଁ। ହେଲେ ୱାଟ୍‌ସନ୍‌ ତାଙ୍କୁ ଅଧିକ ଲଜ୍ଜିତ କରିଥିଲେ। ତୁମକୁ ବ୍ୟାଟ୍‌ ଧରି ଆସେ ନା ନାହିଁ ବୋଲି ରିଆଜ୍‌ଙ୍କୁ ପଚାରିଥିଲେ ୱାଟ୍‌ସନ୍‌। ଯାହାକି ରିଆଜ୍‌ଙ୍କ ରକ୍ତକୁ ଗରମ କରିଦେଇଥିଲା। କିନ୍ତୁ ଏହାର ଜବାବ ସେ ବୋଲିଂ ବେଳେ ଦେଇଥିଲେ। ପାକିସ୍ତାନ ଅଧିନାୟକ ମିସ୍‌ବା ଉଲ୍‌ ହକ୍‌ ରିଆଜ୍‌ଙ୍କୁ ନୂଆ ବଲ୍‌ ବୋଲିଂ ପାଇଁ ଦେଇଥିଲେ। ଏହା ତାଙ୍କର ମସ୍ତବଡ଼ ଭୁଲ୍‌ ଥିଲା। ତେବେ ନବମ ଓଭରରେ ହିଁ ରିଆଜ୍‌ଙ୍କୁ ବୋଲିଂ ଆକ୍ରମଣକୁ ନେଇଥିଲେ। ସେହି ଓଭରରେ ହିଁ ରିଆଜ୍‌ ଏକ ବାଉଁସର ବଲ୍‌ରେ ଡେଭିଡ୍‌ ୱାର୍ନରଙ୍କୁ ଆଉଟ୍‌ କରିଥିଲେ। ଆଉ ରିଆଜ୍‌ ତାଙ୍କ ଦ୍ବିତୀୟ ଓଭରରେ ମାଇକେଲ କ୍ଲାର୍କଙ୍କୁ ଆଉଟ୍‌ କରି ମ୍ୟାଚ୍‌ ପାକିସ୍ତାନ ପଟକୁ ନେଇଆସିଥିଲେ। ଯାହାଫଳରେ ୱାଟ୍‌ସନ୍‌ଙ୍କୁ କ୍ରିଜ୍‌କୁ ଆସିବାକୁ ପଡ଼ିଥିଲା। ହେଲେ ଚାର୍ଜ ହୋଇଥିବା ରିଆଜ୍‌ ପ୍ରଥମ ବଲ୍‌ ୱାଟ୍‌ସନ୍‌ଙ୍କୁ ବାଉଁସର ମାରିଥିଲେ। ଯେଉଁଥିରେ ୱାଟ୍‌ସନ୍‌ ରକ୍ଷଣାତ୍ମକ ଶୈଳୀରେ ନିଜକୁ ଦୂରେଇ ନେଇଥିଲେ। ଏହାର ପର ବଲ୍‌ ସାମାନ୍ୟ ଅଧିକ ଗତିର ଥିଲା, ଏହାକୁ ୱାଟ୍‌ସନ୍‌ ଛାଡ଼ି ଦେଇଥିଲେ। ହେଲେ ତାଙ୍କ ପରର୍ବତୀ ଓଭର ମଧ୍ୟ ୱାଟ୍‌ସନ୍‌ଙ୍କ ପାଇଁ ଏକାପରି ଥିଲା। ତାଙ୍କ ବଲ୍‌କୁ ଠିକ୍‌ ଭାବେ ଖେଳିପାରୁନଥିବାରୁ ୱାଟ୍‌ସନ୍‌ ଲଜ୍ଜିତ ହୋଇଥିଲେ। ଅନ୍ୟପଟେ ରିଆଜ୍‌ ପ୍ରତି ବଲ୍‌ ପକାଇବା ପରେ ତାତ୍ସଲ୍ୟରେ ତାଳି ମାରୁଥିଲେ। ତେବେ ନିସନ୍ଦେହରେ କୁହାଯାଇପାରେ ଯେ ରିଆଜ୍‌ଙ୍କ ସେହି ଓଭର କ୍ରିକେଟ୍‌ ଇତିହାସରେ ଅନ୍ୟତମ କଠିନ ସ୍ପେଲ୍‌ ଥିଲା। ନିଜର ପଞ୍ଚମ ଓଭରରେ ହିଁ ରିଆଜ୍‌ ଯୋଜନାବଦ୍ଧ ଭାବେ ୱାଟ୍‌ସନ୍‌ଙ୍କୁ ବଲ୍‌ ମାରି ଘାଇଲା କରିଥିଲେ। ତେବେ ଫାଇନ୍‌ ଲେଗ୍‌ ଅଞ୍ଚଳରେ ତାଙ୍କର ଏକ କ୍ୟାଚ୍‌କୁ ରାହତ ଅଲ୍ଲୀ ଖସାଇ ‌ଦେଇଥିଲେ। ଏଥି‌ରେ ଉଭୟ ୱାଟ୍‌ସନ୍‌ ଓ ରିଆଜ୍‌ ନିଜ ନିଜର ଭାଗ୍ୟକୁ ବିଶ୍ବାସ କରିପାରିନଥିଲେ। ଯାହାହେଉ ଶେଷରେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌ ଜିତିନେଇଥିଲା। ହେଲେ ଷ୍ଟାଡିୟମ୍‌ରେ ଉପସ୍ଥିତ ୩୫,୦୦୦ରୁ ଅଧିକ ଦର୍ଶକ ପ୍ରକୃତ ବିଜେତା କିଏ ତାହା ଟେଲିଭିଜନ୍‌ ପରଦାରେ ପରଖି ନେଇଥିଲେ।

ସମ୍ବନ୍ଧିତ ଖବର