କ୍ରିକେଟ୍ ମୋତେ ଲଢ଼ିବା ଶିଖାଇଛି। ପଡ଼ିବା ପରେ ଉଠି ଦେହରୁ ଧୂଳି ଝାଡ଼ିବା ଏବଂ ଆଗକୁ ବଢ଼ିବାର ସାହସ ଦେଇଛି। ସଫଳ ହେବାଠାରୁ ଅଧିକ ଥର ମୁଁ ବିଫଳ ହୋଇଛି। ହେଲେ କେବେ ବି ଲଢ଼ିବା ଛାଡ଼ିନାହିଁ। ଆଗକୁ ମଧ୍ୟ ଛାଡ଼ିବି ନାହିଁ। ସମ୍ଭବତଃ ଶେଷ ନିଶ୍ବାସ ପର୍ଯ୍ୟନ୍ତ ନୁହେଁ।’
ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ୍ରୁ ଯୁବି ଯୁଗ ଶେଷ ହୋଇଛି। ଅବସର ଘୋଷଣା କରିଛନ୍ତି ସିକ୍ସ ମାଷ୍ଟର ଯୁବରାଜ ସିଂହ। ଦୁର୍ଦ୍ଧର୍ଷ, ଖୁସ୍ମିଜାଜ ତଥା ସୀମିତ ଓଭର କ୍ରିକେଟ୍ର ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର ଯୁବି ସୋମବାର ଏକ ଭାବବିହ୍ବଳ ସାମ୍ବାଦିକ ସମ୍ମିଳନୀରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଅଲବିଦା କହିଛନ୍ତି। ତା’ ସହ ନିଜ ଆଇପିଏଲ୍ ଜୀବନରେ ମଧ୍ୟ ପୂର୍ଣ୍ଣଛେଦ ଟାଣିଛନ୍ତି। ଜାଜ୍ଜୁଲ୍ୟମାନ କ୍ରିକେଟ୍ ଜୀବନ ସହ କର୍କଟ ଭଳି ମାରାତ୍ମକ ରୋଗକୁ ହରାଇ ଯୁବି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ। ତାଙ୍କ ଅବସର ଘୋଷଣା ସହ ଭାରତୀୟ କ୍ରିକେଟ୍ର ଏକ ସୁନେଲି ଫର୍ଦରେ ଯବନିକା ପଡ଼ିଛି। ଏକଦା ଭାରତୀୟ କ୍ରିକେଟର ପୋଷ୍ଟରବୟ ଥିବା ଯୁବରାଜ ତିନିଟି ବିଶ୍ବ ବିଜୟୀ (୨୦୦୦ ମସିହା ୧୯ ବର୍ଷରୁ କମ୍, ୨୦୦୭ ଟ୍ବେଣ୍ଟି-୨୦, ୨୦୧୧ ଏକଦିବସୀୟ) ଭାରତୀୟ ଦଳର ସଦସ୍ୟ ଥିଲେ। ଦୁଇଟି ଯାକ କ୍ରିକେଟ୍ ମହାକୁମ୍ଭରେ ବ୍ୟକ୍ତିଗତ ପ୍ରଦର୍ଶନର ବଳିଷ୍ଠ ଛାପ ଛାଡ଼ିଥିଲେ। ୨୦୦୦ ମସିହାରେ ଏକଦିବସୀୟ ଏବଂ ୨୦୦୩ରେ ଟେଷ୍ଟ୍ କ୍ରିକେଟ୍ ଜୀବନ ଆରମ୍ଭ କରିଥିବା ଯୁବରାଜ ଭାରତ ପକ୍ଷରୁ ୪୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେଥିମଧ୍ୟରୁ ୩୦୪ ଦିନିକିଆରୁ ୮୭୦୧, ୪୦ ଟେଷ୍ଟରୁ ୧୯୦୦ ଏବଂ ୫୮ ଟ୍ବେଣ୍ଟି-୨୦ରେ ୧୧୭୭ ରନ୍ କରିଛନ୍ତି। ଯୁବି ୮ ବର୍ଷ ତଳେ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ବିଶ୍ବକପ୍ ତୋଳି ଧରିବାର ସୌଭାଗ୍ୟ ଲାଭ କରିଥିଲେ। ସେହି ୱାଙ୍ଖଡ଼େ ନିକଟରେ ଥିବା ସିଟି ହୋଟେଲରେ ହିଁ ସେ କ୍ରିକେଟ୍ରୁ ସନ୍ୟାସ ଘୋଷଣା କରିଥିଲେ।
ମିଳିଲାନି ବିଦାୟୀ ମ୍ୟାଚ୍
ମୁମ୍ବାଇ: ଅଧିକ ସଂଖ୍ୟକ ଟେଷ୍ଟ୍ ମ୍ୟାଚ୍ ଖେଳିବାର ସୁଯୋଗ ମିଳିନଥିବା ଯୁବିଙ୍କ ପାଇଁ ଅବସୋସ ରହିଯାଇଥିଲା ବେଳେ ତାଙ୍କୁ ବିଦାୟୀ ମ୍ୟାଚ୍ଟିଏ ନମିଳିବା ମଧ୍ୟ ଦୁଃଖ ଦେଇଛି। ତେବେ ସୋମବାର ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଘୋଷଣା କରିଥିବା ଯୁବି ବିଦାୟୀ ମ୍ୟାଚ୍ ନମିଳିବାର କାରଣ ଦର୍ଶାଇଛନ୍ତି। ଯୁବରାଜ କହିଛନ୍ତି, ଯଦି ସେ ୟୋ-ୟୋ ପରୀକ୍ଷାରେ ବିଫଳ ହୁଅନ୍ତି, ତେବେ ତାଙ୍କୁ ଏକ ବିଦାୟୀ ମ୍ୟାଚ୍ ଖେଳିବାର ସୁଯୋଗ ଦେବାକୁ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ପ୍ରତିଶ୍ରୁତି ଦେଇଥିଲା। ହେଲେ ୟୋ-ୟୋ ପରୀକ୍ଷାରେ ଯୁବି କୃତକାର୍ଯ୍ୟ ହୋଇଯିବାରୁ ପଡ଼ିଆ ଭିତରେ ଅବସର ନେବାର ସୁଯୋଗ ତାଙ୍କୁ ମିଳିଲାନି। ଏହାପରେ ଅବଶ୍ୟ ଯୁବି ଏନେଇ ବିସିସିଆଇ କିମ୍ବା ଅନ୍ୟ କାହାକୁ ବିଦାୟୀ ମ୍ୟାଚ୍ ପାଇଁ କହି ନଥିଲେ। ଅନ୍ୟପକ୍ଷରେ ବିସିସିଆଇ ମଧ୍ୟ ତାଙ୍କୁ ବିଦାୟୀ ମ୍ୟାଚ୍ ପାଇଁ କୌଣସି ସୁଯୋଗ ଦେଇନଥିଲା ବୋଲି ୩୭ ବର୍ଷ ବୟସ୍କ ଯୁବରାଜ ଅବସର ଘୋଷଣା ବେଳେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ସୂଚନାଯୋଗ୍ୟ, ଯୁବିଙ୍କ ପୂର୍ବରୁ ବୀରେନ୍ଦ୍ର ସେହବାଗ୍, ରାହୁଲ ଦ୍ରାବିଡ୍ ଏବଂ ଭିଭିଏସ୍ ଲକ୍ଷ୍ମଣଙ୍କ ଭଳି ମହାନ୍ ଖେଳାଳିମାନଙ୍କୁ ମଧ୍ୟ ବିସିସିଆଇ ବିଦାୟୀ ମ୍ୟାଚ୍ ଖେଳିବାର ସୁଯୋଗ ଦେଇନଥିଲା। ଏଥିପାଇଁ ସେମାନେ ସମସ୍ତେ ଦାବିଦାର ଥିଲେ ମଧ୍ୟ ଅବସୋସ ମଧ୍ୟରେ ସମସ୍ତଙ୍କ ଆନ୍ତର୍ଜାତିକ ଜୀବନ ଶେଷ ହୋଇଥିଲା।
କର୍କଟ ପୀଡ଼ିତଙ୍କ ପାଇଁ କାମ କରିବେ
୨୨ ଗଜ କ୍ରିକେଟ୍ ପିଚ୍ ଭିତରେ ଓ ବାହାରେ ୨୫ ବର୍ଷ ଏବଂ ପାଖାପାଖି ୧୭ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନରେ ଭାରତ ପକ୍ଷରୁ ୪୦୦ ମ୍ୟାଚ୍ ଖେଳିବା ପରେ ଆଗକୁ ବଢ଼ି ଯିବାକୁ ମୁଁ ନିଷ୍ପତ୍ତି ନେଇଛି। ମୁଁ କେବେ ସ୍ବପ୍ନରେ ବି ଭାବି ନଥିଲି ଯେ ଭାରତ ପକ୍ଷରୁ ଏତେ ମ୍ୟାଚ୍ ଖେଳିବି। କ୍ରିକେଟ୍ ସହ ମୋର ସ୍ନେହ ଏବଂ ଘୃଣାର ସଂପର୍କ ରହି ଆସିଛି। ଆତ୍ମସମୀକ୍ଷା ପରେ କିନ୍ତୁ କ୍ରିକେଟ୍କୁ ମୁଁ କେବେ ଘୃଣା କରୁନଥିଲି ବୋଲି ହୃଦୟଙ୍ଗମ କରୁଛି। ଏହି ଭଲ ପାଇବା ଜୀବନ ଥିଲା ଯାଏ ରହିବ। ଭାବନାକୁ ମୁଁ ଶବ୍ଦରେ ବର୍ଣ୍ଣନା କରି ପାରିବି ନାହିଁ ବୋଲି ଆବେଗଭରା କଣ୍ଠରେ ଯୁବି କହିଥିଲେ।
୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଗୋଟିଏ ଓଭରରେ ୬ ଛକା ମାରିବାଠାରୁ ଆରମ୍ଭ କରି ୨୦୧୧ ଏକଦିବସୀୟ ବିଶ୍ବକପ୍ରେ ଭାରତକୁ ବିଜେତା ମୁକୁଟ ପିନ୍ଧାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ଯୁବରାଜ। କର୍କଟ ରୋଗରେ ପୀଡ଼ିତ ହୋଇ ମଧ୍ୟ ସେହି ବିଶ୍ବକପ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ସହ ଚାରିଟି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଲାଭ କରିଥିଲେ ସେ। ଯୁବି କର୍କଟ ରୋଗକୁ କେବଳ ପରାସ୍ତ କରି ନଥିଲେ ଏଥିରୁ ମୁକ୍ତ ହେବା ପରେ କଠିନ ପରିଶ୍ରମ ଏବଂ ଏକାଗ୍ରତା ଦେଖାଇ ଭାରତୀୟ ଦଳକୁ ମଧ୍ୟ ପ୍ରତ୍ୟାବର୍ତନ କରିଥିଲେ। ତାଙ୍କ କ୍ରିକେଟ୍ ଜୀବନ ୨୫ ବର୍ଷ ଧରି ଲମ୍ବିଥିଲା। ସେଥିମଧ୍ୟରୁ ଦୀର୍ଘ ୧୭ ବର୍ଷ କାଳ ଯୁବି ଅନ୍ତର୍ଜାତୀୟ କ୍ରିକେଟ୍ରେ ସକ୍ରୀୟ ରହିଥିଲେ। ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପରେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ ଯୁବି ଲଗାତାର ୬ ଛକା ମାରିବାର ଦୃଶ୍ୟ କୌଣସି କ୍ରିକେଟ୍ ପ୍ରେମୀ କେବେବି ଭୁଲି ପାରିବେ ନାହିଁ। ୨୦୦୨ ନାଟୱେଷ୍ଟ ସିରିଜ୍ର ଫାଇନାଲ୍ ହେଉ କି ୨୦୦୪ରେ ପାକିସ୍ତାନ ବିପକ୍ଷରେ ପ୍ରଥମ ଟେଷ୍ଟ୍ ଶତକ, ୨୦୦୭ରେ ଇଂଲଣ୍ଡରେ ଟେଷ୍ଟ୍ ଶୃଙ୍ଖଳା ବିଜୟ, ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟ, ଭାରତୀୟ କ୍ରିକେଟ୍ର ଏହି ଯୁବରାଜ ଖେଳ ଜୀବନ ଅନେକ ପ୍ରେରଣାଦାୟକ ଫର୍ଦରେ ସମୃଦ୍ଧ। ଭାରତର ଏହି ବିଶ୍ବକପ୍ ହିରୋ ଚଳିତ ଏକଦିବସୀୟ ବିଶ୍ବକପ୍ ଭିତରେ ଅବସର ଘୋଷଣା କରିବା ତାଙ୍କ ପ୍ରଶଂସକଙ୍କୁ ଚକିତ କରିଛି। ତେବେ ଅବସର ଘୋଷଣା ପରେ ସମଗ୍ର କ୍ରିକେଟ୍ ଦୁନିଆ ସହ ବଲିଉଡ୍ ଏବଂ ସମାଜର ବିଭିନ୍ନ ବର୍ଗରୁ ତାଙ୍କୁ ପରବର୍ତୀ ଜୀବନ ଲାଗି ଶୁଭେଚ୍ଛାର ସୁଅ ଛୁଟିଛି। ଅବସର ପରେ ୩୭ ବର୍ଷୀୟ ଯୁବି ଜଣେ ପାସାଦାର ଭାବେ ବିଶ୍ବର ବିଭିନ୍ନ ଲୋକପ୍ରିୟ ଟ୍ବେଣ୍ଟି-୨୦ ଲିଗ୍ ଖେଳିବାକୁ ଆଶା ରଖିଛନ୍ତି। ୨୦୧୭ରୁ ହିଁ ଯୁବରାଜଙ୍କ କ୍ରିକେଟ୍ ଜୀବନ ତଳମୁହାଁ ରହିଥିଲା। ଶେଷ ଥର ପାଇଁ ସେ ଦୁଇ ବର୍ଷ ତଳେ ଇଂଲଣ୍ଡ ବିପକ୍ଷରେ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଥିଲେ। ସେହିଭଳି ୨୦୧୭ ଜାନୁଆରି ୩୦ରେ ଇଂଲଣ୍ଡ ବିପକ୍ଷରେ ନିଜ ଶେଷ ଦିନିକିଆ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ। ଅନ୍ୟପକ୍ଷରେ ୨୦୧୨ ଡିସେମ୍ବରରେ କୋଲକାତାଠାରେ ନିଜ ଶେଷ ଟେଷ୍ଟ୍ ମ୍ୟାଚ୍ରେ ଅଂଶଗ୍ରହଣ କରିଥିଲେ। ଅବସର ପରେ କର୍କଟ ପୀଡ଼ିତଙ୍କ ପାଇଁ କାର୍ଯ୍ୟ କରିବେ ବୋଲି କହି ଯୁବି ନିଜ ମହାନତାର ଆଉ ଏକ ପରିଚୟ ଦେଇଛନ୍ତି।