ଯୁବିଙ୍କ ୬ ଛକା ବେଳେ ବଦଳିଥିଲା ଶାସ୍ତ୍ରୀଙ୍କ ଭାଷ୍ୟକାର ପାଳି

ନୂଆଦିଲ୍ଲୀ: ୨୦୦୭ ଟି-୨୦ ବିଶ୍ବକପ୍‌ରେ ଯୁବରାଜ ସିଂହଙ୍କ ୬ ଛକାର ଚର୍ଚା ଦେଢ଼ ଦଶନ୍ଧି ହେଲାଣି ଅବ୍ୟାହତ ରହିଛି। ଇଂଲଣ୍ଡ ବିପକ୍ଷ ସେହି ମ୍ୟାଚ୍‌ ବେଳେ କିଭଳି ଯୁବରାଜଙ୍କ ପ୍ରଦର୍ଶନ ପାଇଁ ଭାଷ୍ୟକାରଙ୍କ ପାଳି ବଦଳି ଯାଇଥିଲା ତାହାକୁ ମନେ ପକାଇଛନ୍ତି ପୂର୍ବତନ ଇଂଲଣ୍ଡ କ୍ରିକେଟର୍‌ ଡେଭିଡ୍‌ ଲୟଡ। ‘‘କାର୍ଯ୍ୟକ୍ରମ ନିର୍ମାତା ବେଳେବେଳେ ଜାଣିପାରନ୍ତି ନାହିଁ, ଯୁବରାଜଙ୍କ ପାଳି ବେଳକୁ ମୁଁ ସାମାନ୍ୟ ପରିବର୍ତନ କରି ରବି ଶାସ୍ତ୍ରୀଙ୍କୁ ହିଁ ମାଇକ୍ରୋଫୋନ୍‌ ଦାୟିତ୍ବ ଦେଇଥିଲି। ସେଭଳି ହୋଇନଥିଲେ ଶାସ୍ତ୍ରୀ ସେହି ସ୍ମରଣୀୟ ୬ ଛକାର ଧାରାବିବରଣୀରୁ ବଞ୍ଚିତ ରହିଥା’ନ୍ତେ। ରବି ବି ଚମତ୍କାର କହିଥିଲେ, କହିବାକୁ ଗଲେ ଛକା ଭଳି ସେ ବି ଉପରେ ଘୁରୁଥିଲେ। ଚମତ୍କାର ମାହୋଲ ଥିଲା, ଷ୍ଟୁଆର୍ଟ ବ୍ରଡ୍‌ଙ୍କ ବଲ୍‌କୁ ଯୁବରାଜ ପଡ଼ିଆର ଚାରିଆଡ଼କୁ ପଠାଉଥିଲେ। ସେ କେବଳ ଫ୍ଲିକ୍ କରୁଥିଲେ ଏବଂ ସମ୍ପୂର୍ଣ୍ଣ ଭାବେ ତାଙ୍କ ପଛରେ ପଡ଼ିଯାଇଥିଲେ’‌ ବୋଲି ଲୟଡ୍ ପ୍ରକାଶ କରିଥିଲେ। ବାସ୍ତବରେ ସାଧାରଣ ରୋଟେସନ୍‌ ପଦ୍ଧତି ଅନୁସାରେ ଯୁବରାଜଙ୍କ ଛକା ବେଳକୁ ଡେଭିଡ୍ ଲୟଡ୍ ମାଇକ୍ରୋଫୋନ୍‌ ଦାୟିତ୍ବରେ ରହିବାର ଥିଲା। ଏଥିରେ ସେ ସାମାନ୍ୟ ପରିବର୍ତନ କରି ଶାସ୍ତ୍ରୀଙ୍କୁ ଦାୟିତ୍ବରେ ରଖିଥିଲେ।

ଭାରତୀୟ କ୍ରିକେଟ୍‌ ଦଳର ବର୍ତମାନର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ଏହି ମୁହୂର୍ତ ସହିତ ଅନ୍ୟ ଦୁଇଟି ସ୍ମରଣୀୟ ବିଶ୍ବକପ୍‌ ମୁହୂର୍ତ ମଧ୍ୟ ସମ୍ପୃକ୍ତ ରହିଛି। ୨୦୦୭ ଆଇସିସି ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ରେ ଶ୍ରୀଶାନ୍ତଙ୍କ ହାତରେ ମିସ୍‌ବା ଉଲ୍‌ ହକ୍‌ଙ୍କ କ୍ୟାଚ୍‌ ହେଉ ଅବା ୨୦୧୧ ଆଇସିସି ଦିନିକିଆ ବିଶ୍ବକପ୍‌ ଫାଇନାଲରେ ନୁୱାନ କୁଳସେକରାଙ୍କୁ ମହେନ୍ଦ୍ର ସିଂହ ଧୋନିଙ୍କ ଛକାର ମୁହୂର୍ତ, ଉଭୟ ଥର ରବି ଶାସ୍ତ୍ରୀଙ୍କ ହାତରେ ଥିଲା ମାଇକ୍ରୋ‌ଫୋନ୍‌। ଭାରତୀୟ କ୍ରିକେଟ୍‌ ଦଳର ଏହି ପୂର୍ବତନ ଅଧିନାୟକ ତଥା ଅଲରାଉଣ୍ଡର୍‌ଙ୍କ ଭାଷ୍ୟକାର ଜୀବନକୁ ବି ଭୁଲି ନାହାନ୍ତି ପ୍ରଶଂସକମାନେ।

ସମ୍ବନ୍ଧିତ ଖବର