ବିଶ୍ବକପ୍‌ର ୬ ଛକା ଓ ବ୍ରଡ୍‌ ବାପାଙ୍କୁ ମନେ ପକାଇ‌ଲେ ଯୁବି

ଲଣ୍ଡନ: ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ମହାନାୟକ ସାଜିଥିଲେ ଭାରତୀୟ ଅଲ୍‌ରାଉଣ୍ଡର ଯୁବରାଜ ସିଂହ। ବିଶ୍ବକପ୍‌ର ସେହି ପ୍ରଥମ ସଂସ୍କରଣରେ ଇଂଲଣ୍ଡ ବିପକ୍ଷ ଏକ ମ୍ୟାଚ୍‌ରେ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଗୋଟିଏ ଓଭରର ୬ ବଲ୍‌କୁ ୬ ଛକା ମାରିଥିଲେ ଏହି ଭାରତୀୟ ବାମହାତୀ ବ୍ୟାଟ୍‌ସମ୍ୟାନ୍‌। ସେତେବେଳର ସେହି ମୁହୂର୍ତ୍ତକୁ ସେ କିଭଳି ଉପଭୋଗ କରିଥିଲେ ଏବଂ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ବାପାଙ୍କ ସହିତ କଥାବାର୍ତାକୁ ଏବେ ମନେ ପକାଇଛନ୍ତି ଯୁବି। ପୁଣି ପୂର୍ବତନ ଇଂଲଣ୍ଡ ଅଲ୍‌ରାଉଣ୍ଡର ଆଣ୍ଡ୍ରିଉ ଫ୍ଲିଣ୍ଟପ୍‌ କିପରି ତାଙ୍କ ଉପରେ ରାଗ ତମତମ ହୋଇଥିଲେ ସେକଥା ମଧ୍ୟ ଭୁଲିନାହାନ୍ତି ବୋଲି କହିଛନ୍ତି। ବ୍ରଡ୍‌ଙ୍କୁ ଗୋଟିଏ ଓଭରରେ ୬ ଛକା ମାରି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ କୀର୍ତ୍ତିମାନ ରଚିଥିଲେ ଯୁବି। ସେ ଇଂଲଣ୍ଡ ବିପକ୍ଷ ସେହି ମ୍ୟାଚ୍‌ରେ ୧୪ ବଲ୍‌ରୁ ସଂଗ୍ରହ କରିଥିଲେ ବିସ୍ଫୋରକ ୫୮ ରନ୍‌। ଯାହାକି ଶେଷରେ ଉଭୟ ଦଳର ଫଳାଫଳରେ ହିଁ ପାର୍ଥକ୍ୟ ଥିଲା। ସେହି ମ୍ୟାଚ୍‌କୁ ଭାରତ ୧୮ ରନ୍‌ରେ ଜିତି ନେଇଥିଲା। ମ୍ୟାଚ୍‌ ଭାରତ ଜିତିଯିବା ପରେ ଫ୍ଲିଣ୍ଟଫ୍‌ଙ୍କ ରାଗ ଦେଖିବାର ଥିଲା। ତେବେ ଫ୍ଲିଣ୍ଟଫ୍‌ ହିଁ କେବଳ ଫ୍ଲିଣ୍ଟଫ୍‌ ଥିଲେ। ସେ ମୋ‌ତେ କିଛି ଶବ୍ଦ କହିଥିଲେ ଏବଂ ମୁଁ ମଧ୍ୟ ପ୍ରତି ଜବାବରେ କିଛି ଶବ୍ଦ ଛାଡ଼ିଥିଲି ବୋଲି ଯୁବରାଜ ଏକ ବିବିସି ପୋଡକାଷ୍ଟ ଅବସରରେ ମନେ ପକାଇଛନ୍ତି। ଇଂଲଣ୍ଡ ବିପକ୍ଷରେ ୬ ଛକା ମାରିଥିବାରୁ ମୁଁ ବେଶ୍‌ ଖୁସୀ ଥିଲି। କାରଣ ଏହାର କିଛି ସପ୍ତାହ ପୂର୍ବରୁ ଏକ ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡର ଦିମିତ୍ରି ମାସ୍କାରିହାନ୍‌ସ ମୋତେ ୫ ଛକା ମାରିଥିଲେ। ତେଣୁ ମୁଁ ଯେତେବେଳେ କ୍ରମାଗତ ଷଷ୍ଠ ଛକା ମାରିଲି ସେତେବେଳେ ମୋର ପ୍ରଥମେ ଚାହାଣି ଥିଲା ଫ୍ଲିଣ୍ଟଫ୍‌ଙ୍କ ଆଡ଼କୁ। ଏହା ତ ନିଶ୍ଚିତ ହେବାର ଥିଲା। ଏହାପରେ ଦ୍ବିତୀୟ ଚାହାଣି ଥିଲା ମାସ୍କାରହାନ୍‌ସଙ୍କ ପ୍ରତି। ହେଲେ ମାସ୍କାରିହନ୍‌ସ ମୋତେ ଚାହିଁ କେବଳ ହସି ଦେଇଥିଲେ ବୋଲି ଯୁବି କହିଛନ୍ତି।

ଅନ୍ୟପକ୍ଷରେ ମ୍ୟାଚ୍‌ ଶେଷରେ ବ୍ରଡ୍‌ଙ୍କ ବାପା ମୋ ପାଖକୁ ଆସି କଥାବାର୍ତ୍ତା କରିବା ସଂପର୍କରେ ମନେ ପକାଇଛନ୍ତି ଯୁବି। ଯୁବିଙ୍କ କହିବା କଥା, ଷ୍ଟୁଆର୍ଟଙ୍କ ବାପା କ୍ରିସ୍‌ ବ୍ରଡ୍‌ ଜଣେ ମ୍ୟାଚ୍‌ ରେଫରି। ସେ ମ୍ୟାଚ୍‌ ପରଦିନ ମୋ ପାଖକୁ ଆସି ତୁମେ ମୋ ପୁଅର କ୍ରିକେଟ୍‌ ଜୀବନ ପ୍ରାୟତଃ ଶେଷ କରିଦେଲ। ଏବେ ତା’ପାଇଁ ତୁମର ଦସ୍ତଖତ ସମ୍ବଳିତ ଏକ ଜର୍ସି ଦେବାକୁ ହେବ ବୋଲି ନିବେଦନ କରିଥିଲେ। ଏହା ମୋ ମନରୁ ଏବେ ବି ଭୁଲି ହେଉନି। ତଥାପି ମୁଁ ମୋର ଭାରତ ଜର୍ସିରେ ଷ୍ଟୁଆର୍ଟଙ୍କ ପାଇଁ ଏକ ବାର୍ତା ଲେଖି ତାଙ୍କ ବାପାଙ୍କୁ ଦେଲି। ସେଥିରେ ଲେଖିଥିଲି, ମୁଁ ୫ ଛକାର ଶିକାର ହୋଇଥିବାରୁ ତାହା କିପରି ଅନୁଭବ ଆଣେ ବେଶ୍‌ ଭଲ ଭାବେ ଜାଣିଥିଲି। ତେଣୁ ମୁଁ ବି ତୁମ ଅନୁଭବ ଚିନ୍ତା କରିପାରୁଛି। ତଥାପି ଇଂଲଣ୍ଡ କ୍ରିକେଟ୍‌ର ଭବିଷ୍ୟତ ପାଇଁ ଶୁଭେଚ୍ଛା ବୋଲି ବାର୍ତାରେ ଉଲ୍ଲେଖ କରିଥିଲି। ଯୁବିଙ୍କ ଭାଷାରେ ବ୍ରଡ୍‌ ବିଶ୍ବର ଶ୍ରେଷ୍ଠ ବୋଲରମାନଙ୍କ ମଧ୍ୟରୁ ଅନ୍ୟତମ। ମୁଁ ଭାବିପାରୁନି ଯେ ଭାରତରୁ କୌଣସି ବୋଲର ଗୋଟିଏ ଓଭରରେ ୬ ଛକା ମାଡର ଶିକାର ହୋଇଥିବେ ଏବଂ ତା’ ପରେ ତାଙ୍କ ଆନ୍ତର୍ଜାତିକ ଜୀବନ ଉଜ୍ବଳମୟ ହୋଇଥିବ।

କିନ୍ତୁ ଭଗବାନଙ୍କ ଚିନ୍ତାଧାରା ଥିଲା ନିଆରା। ଏହି ବିଶ୍ବକପ୍‌ ‌ବେଳେ ଯୁବିଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯାଇଥିଲା। ତାଙ୍କର ପରୀକ୍ଷା ପରେ କର୍କଟ ରୋଗର ଲକ୍ଷଣ ବାହାରିଥିଲା। ହେଲେ ମୁଁ କର୍କଟ ରୋଗ କଥା ମନରେ ସେତେବେଳେ ରଖିନଥିଲି। ମରିଯିବାକୁ ଭୟ କରିନଥିଲି। ବରଂ ଭାରତ ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବା ଇଛା ଥିବା କହି କାନ୍ଦି ପକାଇଥିଲି। ଶେଷରେ ସେଥିରେ ସଫଳ ହେଲି। ସେହି ୬ ଛକା ଏବେ ବି ମୋ ମନରେ ରହିଛି। କିନ୍ତୁ କର୍କଟ ମୋ ଆନ୍ତର୍ଜାତିକ କ୍ରିକେଟ୍‌ ଜୀବନକୁ କାଣ୍ଟଛାଣ୍ଟ୍‌ କରିଦେଲା। ଏବେ କର୍କଟକୁ ଜିତି କେବଳ ବଞ୍ଚିଛି ସିନା ଆନ୍ତର୍ଜାତିକ କ୍ରିକେଟ୍‌ର ମଜା ନେବା ମୋ ପାଇଁ ଆଉ ସମ୍ଭବ ହେଉନି ବୋଲି ଦୁଃଖର ସହ କହିଛନ୍ତି ଯୁବରାଜ। ଲଣ୍ଡନରେ କର୍କଟ ରୋଗର ଚିକିତ୍ସା ତଥା ରେଡିଓଥେରାପି ପାଇଁ ଯୁବରାଜଙ୍କ କାର୍ଯ୍ୟସୂଚୀ ଏବେ କରୋନା ପ୍ରକୋପ ଯୋଗୁ ଲକ୍‌ଡାଉନ୍‌ ହୋଇଯାଇଛି।

ସମ୍ବନ୍ଧିତ ଖବର