ଭାରତ ଲିଜେଣ୍ଡ୍‌ସକୁ ହରାଇଲା ଇଂଲଣ୍ଡ୍‌ ଲିଜେଣ୍ଡ୍‌ସ, ଯୁବିଙ୍କ ପସନ୍ଦ ସେହବାଗଙ୍କ ‘ସଚିନ ବନ୍ଦନା’

ରାୟପୁର: ସଡ଼କ ସୁରକ୍ଷା ବିଶ୍ବ ସିରିଜ୍‌ ଲିଜେଣ୍ଡ୍‌ସ କ୍ରିକେଟ୍‌ ପ୍ରତିଯୋଗିତାରେ ମଙ୍ଗଳବାର ଭାରତୀୟ ଦଳକୁ ଇଂଲଣ୍ଡ ୬ ରନ୍‌ରେ ହରାଇ‌ ଦେଇଛି। ଏଥିସହ ଭାରତୀୟ ଦଳ ଚତୁର୍ଥ ମ୍ୟାଚ୍‌ରୁ ପ୍ରଥମ ପରାଜୟ ବରଣ କରିଛି। ଅନ୍ୟପକ୍ଷରେ ଲଗାତାର ବିଜୟ ହାସଲ କରିଛି ଇଂଲଣ୍ଡ। ମଙ୍ଗଳବାର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ବିନିମୟରେ ୧୮୮ ରନ୍ କରିଥିଲା। ଇଂଲଣ୍ଡ ଲିଜେଣ୍ଡ୍‌ସ ପାଇଁ ଅଧିନାୟକ କେଭିନ୍ ପିଟରସନ୍‌ (୭୫, ୩୭ ବଲ୍‌, ୬ ଚୌକା, ୫ ଛକା) ବ‌ିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡାରେନ୍ ମାଡି ୨୯, କ୍ରିସ୍‌ ସ୍କଫିଲ୍ଡ ଓ ଗାଭିନ୍ ହାମିଲଟନ୍ ୧୫ ରନ୍‌ ଲେଖାଏଁ କରିଥିଲେ। ଭାରତ ପକ୍ଷରୁ ପଠାନ୍ ଭ୍ରାତା ୟୁସୁଫ୍ (୩/୨୮) ଓ ଇର୍ଫାନ୍ (୨/୨୮) ମିଳିତ ଭାବେ ୫ ୱିକେଟ୍ ନେଇଥିଲେ। ମୁନାଫ ପଟେଲ୍ ୩୦ ରନ୍‌ ବିନିମୟରେ ୨ ୱିକେଟ୍‌ କରାୟତ୍ତ କରିଥିଲେ। ଜବାବରେ ଭାରତ ଲି‌ଜେଣ୍ଡ୍ସ ପ୍ରାରମ୍ଭିକ ଯୋଡ଼ି ସଚିନ ତେନ୍ଦୁଲକର (୯) ଏବଂ ବୀରେନ୍ଦ୍ର ସେହବାଗ (୬) ବିଫଳ ହୋଇଥିବାବେଳେ ମହମ୍ମଦ କୈଫ (୧), ସୁବ୍ରମଣ୍ୟମ ବଦ୍ରୀନାଥ (୮) ମଧ୍ୟ ବିଶେଷ ଅବଦାନ ଦେଇ ପାରିନଥିଲେ। ଯୁବରାଜ ସିଂହ (୨୨, ୨୧ ବଲ୍‌) ଏବଂ ୟୁସୁଫ୍‌ ପଠାନ୍ (୧୭, ୧୫ ବଲ୍) ସାମୟିକ ତିଷ୍ଠିଥିଲେ। ୫୬ ରନ୍‌ରେ ୫ ୱିକେଟ୍ ହରାଇଥିବା ଭାରତୀୟ ଦଳ ପାଇଁ ଇର୍ଫାନ୍ ପଠାନ୍ (୬୧*, ୩୪ ବଲ୍, ୪ ଚୌକା, ୫ ଛକା) ଏବଂ ମନପ୍ରୀତ୍ ଗୋନି (୩୫*, ୧୬ ବଲ୍‌, ୧‌ ଚୌକା, ୪ ଛକା) ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ବିଜୟ ଲକ୍ଷ୍ୟରେ ପହଞ୍ଚି ପାରିନଥିଲେ। ସଚିନ ତେନ୍ଦୁଲକରଙ୍କ ଦଳ ୧୮୨/୭ରେ ସୀମିତ ରହିଥିଲା। ମଣ୍ଟି ପାନେସର୍‌ (୪-୧-୧୫-୩), ଜେମ୍ସ ‌ଟ୍ରେଡୱେଲ୍ (୪-୦-୪୪-୨) ପ୍ରଭାବୀ ବୋଲିଂ କରି ଭାରତକୁ ରୋକିଥିଲେ। ମାଥ୍ୟୁ ହୋଗାର୍ଡ, ରୢାନ୍ ସାଇଡ୍‌ବଟମ୍‌ ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ସଡ଼କ ସୁରକ୍ଷା ବିଶ୍ବ ଶୃଙ୍ଖଳା ଅବସରରେ କ୍ରିକେଟ୍‌ପ୍ରେମୀ ବିଗତ ଦିନର ଅନେକ ମହାନ କ୍ରି‌କେଟର୍‌ଙ୍କ ଖେଳ ‌ଅତିନିକଟରୁ ‌ଦେଖିବାର ସୁଯୋଗ ପୁନର୍ବାର ଲାଭ କରିଛନ୍ତି। ବିଶେଷ କରି ଇଣ୍ଡିଆ ଲିଜେଣ୍ଡ୍ସ ଦଳରେ ଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ବାମହାତୀ ଅଲରାଉଣ୍ଡର ଯୁବରାଜ ସିଂହ ଓ ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହବାଗ ଦର୍ଶକଙ୍କ ସହ ସାଥୀ ଖେଳାଳିଙ୍କର ବି ଭରପୁର ମନୋରଞ୍ଜନ କରୁଛନ୍ତି। ଏହିକ୍ରମରେ ସେହବାଗ ନିଜ ଆଦର୍ଶ ତଥା କ୍ରିକେଟ୍‌ର ଭଗବାନ ଭାବେ ପରିଚିତ ସଚିନ ତେନ୍ଦୁଲକରଙ୍କୁ ପ୍ରଶଂସା କରି ଗାଉଥିବା ଏକ ଗୀତ ବେଶ୍ ଚର୍ଚ୍ଚାରେ ରହିଛି। ବୀରୁଙ୍କ ସଚିନ ବନ୍ଦନା ସମ୍ବଳିତ ଭିଡିଓ ବି ଯୁବିଙ୍କ ମନ ଜିତି ନେଇଛି। ସଚିନ ନିଜ ଟ୍ବିଟର୍‌ ପୃଷ୍ଠାରେ ପ୍ରକାଶ କରିଥିବା ଏହି ଭିଡିଓରେ ସେ ନିଜ ଆଘାତପ୍ରାପ୍ତ ବାମହାତର ଚିକିତ୍ସା କରାଉଥିବା ଦେଖିବାକୁ ମିଳିଛି। ଯୁବରାଜ ମଧ୍ୟ ତାଙ୍କ ପାଖରେ ଅଛନ୍ତି। ପଛରୁ ସେହବାଗ କହୁଛନ୍ତି, ‘‘ଏ ହେଉଛନ୍ତି ଆମ ଭଗବାନ, ଯେ କି ଏବେବି କ୍ରିକେଟ୍ ଛାଡ଼ି ନାହାନ୍ତି’’।

ସମ୍ବନ୍ଧିତ ଖବର