ନୂଆଦିଲ୍ଲୀ: ଠିକ୍ ୧୪ ବର୍ଷ ତଳେ ଆଜିର ତାରିଖ (ସେପ୍ଟେମ୍ବର ୧୯ ତାରିଖ)ରେ ଭାରତୀୟ ଅଲ୍ରାଉଣ୍ଡର ଯୁବରାଜ ସିଂହ ଟି-୨୦ ବିଶ୍ବକପ୍ରେ ଗୋଟିଏ ଓଭରରେ ୬ ବଲ୍କୁ ୬ ଛକା ମାରିବାର କୀର୍ତ୍ତିମାନ ରଚିଥିଲେ। ଏଥିସହିତ କ୍ରିକେଟ୍ର ଏହି ଫଟାଫଟ୍ ଫର୍ମାଟ୍ରେ ବିସ୍ଫୋରକ ବ୍ୟାଟିଂ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଟି-୨୦ ବିଶ୍ବକପ୍ରେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍ଙ୍କ ଗୋଟିଏ ଓଭରର ୬ ବଲ୍କୁ ୬ ଛକା ମାରି ଇତିହାସ ପୃଷ୍ଠାରେ ନିଜ ନାମକୁ ଲିପିବଦ୍ଧ କରିଥିଲେ। ବିଶ୍ବକପ୍ (୨୦୦୭)ର ସେହି ଉଦ୍ଘାଟନୀ ସଂସ୍କରଣରେ ସେ ଏହି କୀର୍ତ୍ତିମାନ କରିବା ସାଙ୍ଗକୁ ସେହି ଦିନ ମଧ୍ୟ ଟି-୨୦ କ୍ରିକେଟ୍ରେ ଦ୍ରୁତତମ ଅର୍ଦ୍ଧଶତକ (୧୨ ବଲ୍) ହାସଲ କରିଥିଲେ। ଏବେ ୧୪ ବର୍ଷ ପରେ ଯୁବିଙ୍କୁ ସମସ୍ତେ ମନେ ପକାଇଛନ୍ତି। ରବିନ୍ ଉଥପ୍ପାଙ୍କ ୱିକେଟ୍ ପତନ ପରେ କ୍ରିଜ୍କୁ ଆସିଥିଲେ ଯୁବି। ଆଉ ତାଙ୍କର ନିର୍ଦୟ ପ୍ରହାର ବଳରେ ଭାରତ ମଧ୍ୟ ସେହି ମ୍ୟାଚ୍ରେ ୨୧୮/୪ର ମଜ୍ବୁତ ସ୍କୋର୍ କରିନେଇଥିଲା। ସେହି ମ୍ୟାଚ୍ର ୧୯ତମ ଓଭରରେ ହିଁ ଯୁବିଙ୍କ ଉଗ୍ରରୂପ ଦେଖିବାକୁ ମିଳିଥିଲା। ବ୍ରଡ୍ଙ୍କ ପ୍ରତ୍ୟେକଟି ବଲ୍କୁ ସେ ପଡ଼ିଆର ବିଭିନ୍ନ ପାର୍ଶ୍ବକୁ ମାରିଥିଲେ। ଯେଉଁଥିରେ ନିଜେ ବୋଲର ଚକିତ ହୋଇଯାଇଥିଲେ। ଜବାବରେ ଇଂଲଣ୍ଡ ଭଲ ଖେଳିଥିଲେ ମଧ୍ୟ ବିଜୟଠୁ ୧୮ ରନ୍ ଦୂରରେ ଅଟକି ଯାଇଥିଲା। ଯୁବି ହିଁ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଭାରତୀୟ ଦଳର ପ୍ରମୁଖ ଖେଳାଳି ବନିଯାଇଥିଲେ।
ସେହି ଯୁବରାଜ ୨୦୦୭ ଟି-୨୦ ବିଶ୍ବକପ୍ ପରେ ୨୦୧୧ ଦିନିକିଆ ବିଶ୍ବକପ୍ରେ ମଧ୍ୟ ଭାରତର ଟ୍ରମ୍ପ୍ କାର୍ଡ ରହିଥିଲେ। ତାଙ୍କ ଦମ୍ଦାର ଭୂମିକା ପାଇଁ ଭାରତ ମଧ୍ୟ ଦିନିକିଆ ବିଶ୍ବକପ୍ ଜିତିଥିଲା। ସେହି ବିଶ୍ବକପ୍ରେ ଯୁବି ମଧ୍ୟ ୩୦୦ରୁ ଅଧିକ ରନ୍ (୩୬୨) ଏବଂ ୧୫ ୱିକେଟ୍ ଦଖଲ କରିବାରେ ପ୍ରଥମ ଅଲ୍ରାଉଣ୍ଡର ବିବେଚିତ ହୋଇଥିଲେ। ସେ ମଧ୍ୟ ୨୦୧୧ ଦିନିକିଆ ବିଶ୍ବକପ୍ରେ ୪ ଥର ମ୍ୟାଚ୍ର ଶ୍ରେଷ୍ଠ ବ୍ୟତୀତ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ।
ଯୁବରାଜ ୨୦୧୯ରେ କ୍ରିକେଟ୍ର ସବୁ ଫର୍ମାଟ୍ରୁ ଅବସର ଘୋଷଣା କରିଥିଲେ। ସେ ଭାରତ ପାଇଁ ୩୦୪ ଦିନିକିଆ, ୫୮ ଟି-୨୦ ଏବଂ ୪୦ ଟେଷ୍ଟ୍ ଖେଳିଥିଲେ। ନିଜ ସୀମିତ ଓଭର ଅନ୍ତର୍ଜାତିୟ କ୍ୟାରିୟର ମଧ୍ୟରେ ବୈଦ୍ୟୁତିକ ବେଗରେ କ୍ଷେତ୍ରରକ୍ଷଣ, ବିସ୍ଫୋରକ ବ୍ୟାଟିଂ ଏବଂ ଚତୁର ବୋଲିଂ ପାଇଁ ଯୁବରାଜ ପରିଚିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/yuvraj-6x6-1.jpg)