ଦଳୀୟ କର୍ତୃପକ୍ଷଙ୍କ ସମର୍ଥନ ମିଳିଥିଲେ ପୁଣି ବିଶ୍ବକପ୍‌ ‌ଖେଳିପାରିଥାନ୍ତି: ଯୁବି

ନୂଆଦିଲ୍ଲୀ: ଦଳୀୟ କର୍ତୃପକ୍ଷ ସମର୍ଥନ କରିଥିଲେ ମୁଁ ନିଶ୍ଚିତ ଆଉ ଏକ ବିଶ୍ବକପ୍‌ ଖେଳିପାରିଥାନ୍ତି। ହେଲେ ଦଳୀୟ କର୍ତୃପକ୍ଷଙ୍କ ବାରମ୍ବାର ଉପେକ୍ଷା ମୋର ଆନ୍ତର୍ଜାତିକ ଜୀବନକୁ ପୂର୍ବରୁ ଶେଷ କରିଦେଲା। ଏଭଳି ଅଭିଯୋଗ ବାଢ଼ିଛନ୍ତି ୨୦୧୧ ବିଶ୍ବ ବିଜେତା ଭାରତୀୟ ଦଳର ପ୍ରମୁଖ ସଦସ୍ୟ ଯୁବରାଜ ସିଂହ। ତଥାପି ଦେଶ ପାଇଁ ଯେତିକି କ୍ରିକେଟ୍‌ ଖେଳିଛି ତାହା ମୋର ପରିଶ୍ରମର ଫଳ। ମୋର କୌଣସି ଗଡ଼୍‌ଫାଦର ନଥିଲେ ବୋଲି ଯୁବି କହିଛନ୍ତି। ବାଧ୍ୟତାମୂଳକ ୟୋ ୟୋ ଫିଟ୍‌ନେସ୍‌ ପରୀକ୍ଷାରେ ଉତୀର୍ଣ୍ଣ ହେବା ସତ୍ତ୍ବେ ବାରମ୍ବାର ଉପେକ୍ଷାକୁ ସହ୍ୟ କରିନପାରିବାରୁ ଚଳିତବର୍ଷ ଆରମ୍ଭରୁ ଅବସର ନେଇଗଲି ବୋଲି ଯୁବି କହିଛନ୍ତି। ୨୦୧୭ ଚାମ୍ପିଅନ୍‌ସ ଟ୍ରଫି ପରେ ମୁଁ ଖେଳିଥିବା ୮/୯ ମ୍ୟାଚ୍‌ ମଧ୍ୟରୁ ୨ ଥର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ ମଧ୍ୟ ଦଳରୁ ବାଦ୍‌ ପଡ଼ିବା ଚିନ୍ତା ବି କରିନଥିଲି। ତଥାପି ଆହତ ହେଲି ଏବଂ ଶ୍ରୀଲଙ୍କା ଶୃଙ୍ଖଳା ପୂର୍ବରୁ ପ୍ରସ୍ତୁତି କରିବାକୁ ମୋତେ କୁହାଯାଇଥିଲା। ‌ହେଲେ ଦଳୀୟ କର୍ତୃପକ୍ଷ ସେଥର ମଧ୍ୟ ମୋତେ ଅଣଦେଖା କରିବାରୁ ମାନସିକ ଭାବେ ଭାଙ୍ଗି ପଡ଼ିଥିଲି। ଯାହାର ଫଳସ୍ବରୂପ ଅବସର ନିଷ୍ପତ୍ତି ନେଇଗଲି ବୋଲି ଏହି ବାମହାତୀ ବ୍ୟାଟ୍‌ସମ୍ୟାନ୍‌ କ୍ଷୋଭର ସହ କହିଛନ୍ତି।

ସମ୍ବନ୍ଧିତ ଖବର