ଗୋପନ ପେଡ଼ି ଖୋଲିଲେ ଯୁବି : ଗାଙ୍ଗୁଲିଙ୍କ ଭଳି ଧୋନି ଓ କୋହଲିଙ୍କଠୁ ସମର୍ଥନ ମିଳୁନଥିଲା
‘ବର୍ତ୍ତମାନ ଦଳରେ ପ୍ୟାଡିଙ୍କ ଭଳି ମନସ୍ତତ୍ତ୍ବବିତ୍ଙ୍କ ଆବଶ୍ୟକତା ରହିଛି’
ନୂଆଦିଲ୍ଲୀ : ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କ ତୁଳନାରେ ସୌରଭ ଗାଙ୍ଗୁଲିଙ୍କଠୁ ଅଧିକ ସମର୍ଥନ ମିଳିଥିବା ପୂର୍ବତନ ଅଲ୍ରାଉଣ୍ଡର ଯୁବରାଜ ସିଂହ କହିଛନ୍ତି। ଗାଙ୍ଗୁଲିଙ୍କ ଭଳି ଯଦି ଧୋନି କିମ୍ବା କୋହଲି ସମର୍ଥନ କରିଥାନ୍ତେ ତାହାଲେ ମୋ କ୍ରିକେଟ ଜୀବନ ଏତେଶୀଘ୍ର ଶେଷ ହୋଇଯାଇନଥାନ୍ତା। ଗାଙ୍ଗୁଲିଙ୍କ ଅଧିନାୟକତ୍ବ ବେଳେ ୨୦୦୦ ଚାମ୍ପିଅନ୍ସ ଟ୍ରଫିରେ ଯୁବରାଜ ଅଷ୍ଟ୍ରେଲିଆ ବିପକ୍ଷରେ ପଦାର୍ପଣ କରିଥିଲେ। ଏହାପରଠୁ ସେ ରାହୁଲ ଦ୍ରାବିଡ଼, ବୀରେନ୍ଦ୍ର ସେହୱାଗ, ଗୌତମ ଗମ୍ଭୀର, ଧୋନି ଓ କୋହଲିଙ୍କ ଅଧୀନରେ ଏକାଧିକ ମ୍ୟାଚ୍ ଖେଳିଛନ୍ତି। ତଥାପି ଗାଙ୍ଗୁଲି ଓ ଧୋନିଙ୍କ ମଧ୍ୟରୁ ପ୍ରଥମ ଜଣଙ୍କ ସହ ଅଧିକ ସ୍ମରଣୀୟ ମୁହୂର୍ତ୍ତ ବିତାଇଥିବା ଯୁବରାଜ ଏକ ସାକ୍ଷାତକାରରେ କହିଛନ୍ତି। ଗାଙ୍ଗୁଲିଙ୍କ ସମୟରେ ଯେଉଁଭଳି ସମର୍ଥନ ଓ ସହଯୋଗ ମିଳୁଥିଲା ତୁଳନାତ୍ମକ ଭାବେ ତାହା ଧୋନି ଓ ବିରାଟଙ୍କ ସମୟରେ ମିଳିନଥିବା ସେ ମତ ଦେଇଛନ୍ତି। ଗାଙ୍ଗୁଲିଙ୍କ ପରେ ଧୋନି ଭାରତୀୟ ଦଳର ନେତୃତ୍ବ ନେଲେ। ହେଲେ ଉଭୟ ଗାଙ୍ଗୁଲି ଓ ଧୋନିଙ୍କ ମଧ୍ୟରୁ କାହାକୁ ପସନ୍ଦ କରିବା କଷ୍ଟକର ଥିଲା। କିନ୍ତୁ ଗାଙ୍ଗୁଲିଙ୍କ ସମର୍ଥନ ଯୋଗୁଁ ତାଙ୍କ ସହ ମୋର ଅଧିକାଂଶ ସ୍ମରଣୀୟ ମୁହୂର୍ତ୍ତ ବିତିଛି। ହେଲେ ସେଭଳି ସମର୍ଥନ କେବେ ବି ମୁଁ ଧୋନି କି କୋହଲିଙ୍କଠୁ ପାଇନଥିଲି ବୋଲି ଏକ କ୍ରୀଡ଼ା ପତ୍ରିକାକୁ ସାକ୍ଷାତକାର ବେଳେ ଯୁବରାଜ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ପୂର୍ବତନ ଅଲ୍ରାଉଣ୍ଡର ଯୁବରାଜ ଭାରତ ପାଇଁ ୩୦୪ ଦିନିକିଆ ଆନ୍ତର୍ଜାତିକ ଖେଳିଥିଲା ବେଳେ ସେଥିମଧ୍ୟରୁ ଗାଙ୍ଗୁଲିଙ୍କ ଅଧୀନରେ ୧୧୦ ଓ ଧୋନିଙ୍କ ଅଧୀନରେ ୧୦୪ ମ୍ୟାଚ୍ ଖେଳିଛନ୍ତି। ତେବେ ବର୍ତ୍ତମାନର ଦଳରେ ଏଭଳି ଜଣେ ବ୍ୟକ୍ତିଙ୍କ ଆବଶ୍ୟକତା ରହିଛି, ଯିଏକି ଖେଳାଳିଙ୍କ ସହ ସେମାନଙ୍କ ପଡ଼ିଆ ବାହାରର ପ୍ରସଙ୍ଗ ବିଷୟରେ ଆଲୋଚନା କରିପାରୁଥିବ ଏବଂ ଯାହାଫଳରେ ପଡ଼ିଆ ଭିତରେ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆସିପାରିବ। ସେ ଏହା ମଧ୍ୟ କହିଛନ୍ତି ଯେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଦଳରେ ଗ୍ୟାରି କର୍ଷ୍ଟେନଙ୍କ ସମୟରେ କାର୍ଯ୍ୟ କରିଥିବା ପ୍ୟାଡି ଅପ୍ଟନଙ୍କ ଭଳି ଜଣେ ମନସ୍ତାତ୍ତ୍ବିକ ପ୍ରଶିକ୍ଷକଙ୍କ ଆବଶ୍ୟକତା ରହିଛି। ପ୍ୟାଡି ସବୁ ଖେଳାଳିଙ୍କ ସହିତ ପରାଜୟର ଭୟ ଭଳି ଜୀବନର ଅନ୍ୟାନ୍ୟ ସମସ୍ୟା ବିଷୟରେ ଆଲୋଚନା କରୁଥିଲେ। ଏହାଦ୍ବାରା ସମସ୍ତେ ହାଲୁକା ଅନୁଭବ କରୁଥିବା ସହ ମ୍ୟାଚ୍ ବେଳେ ତାହାର ପ୍ରଭାବ ପଡ଼ୁଥିବା ଦେଖାଯାଉଥିଲା। ତେଣୁ ଦଳରେ ତାଙ୍କ ଭଳି ଜଣେ ମନସ୍ତତ୍ତ୍ବବିତ୍ଙ୍କ ଆବଶ୍ୟକତା ରହିଥିବା ଯୁବରାଜ ଦୋହରାଇଥିଲେ।
ବର୍ତ୍ତମାନର ତାଲାବନ୍ଦ ବିଷୟରେ ଯୁବରାଜ କହିଛନ୍ତି, କରୋନା ଭୂତାଣୁ ଯୋଗୁଁ ଅନେକ ଲୋକଙ୍କ ପ୍ରାଣହାନୀ ଘଟିବା ହୃଦୟ ବିଦାରକ ଘଟଣା। ତେଣୁ ତାଲାବନ୍ଦର ଅନେକ ଫାଇଦା ରହିଛି। ଏହି ଭୂତାଣୁ ଏବେ ସାରା ବିଶ୍ବରେ କାୟାବିସ୍ତାର କରୁଛି। ତେବେ ଲୋକମାନେ ଭୟଭୀତ ହେବା ଅପେକ୍ଷା ଡବ୍ଲୁଏଚ୍ଓ କିମ୍ବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍କୁ ଯାଇ ଏହି ରୋଗ ବିଷୟରେ ଅଧିକ ଜାଣିବା ଆବଶ୍ୟକ ବୋଲି ସେ କହିଛନ୍ତି। ସେ ତାଙ୍କ କର୍କଟ ରୋଗ ଲଢ଼େଇ ଘଟଣାକୁ ଏହା ସହିତ ତୁଳନା କରି କହିଥିଲେ ଯେ ଆରମ୍ଭରୁ ଯଦିଓ ଏହାକୁ ନେଇ ଭୟଭୀତ ହୋଇଥିଲି, ତଥାପି ପରେ ସଠିକ୍ ସୂଚନା ମିଳିବା ପରେ, ଠିକ୍ ଡାକ୍ତର ଓ ଡାକ୍ତରଖାନାକୁ ଯାଇ ଆରୋଗ୍ୟ ହୋଇପାରିଲି। ତେଣୁ ସାମାଜିକ ଗଣମାଧ୍ୟମରୁ ଭୁଲ୍ ଖବର ଗ୍ରହଣ କରିବା ଅପେକ୍ଷା ସରକାରୀ ଓ ଅନ୍ୟ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ୱେବସାଇଟ୍ ଏହି ଭୂତାଣୁ ସମ୍ବନ୍ଧରେ ଅନେକ ସଠିକ ତଥ୍ୟ ଯୋଗାଇପାରିବ। ଏଥିପାଇଁ ଲୋକମାନେ ପ୍ରଥମେ ସାମାଜିକ ଗଣମାଧ୍ୟକୁ ଅଧିକ ପଢିବାରୁ ବିରତ ରହିବା ଆବଶ୍ୟକ ଏବଂ ସଠିକ୍ ସୂଚନା ଦିଗରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ୍ ବୋଲି ଯୁବରାଜ ପରାମର୍ଶ ଦେଇଛନ୍ତି।
ମୁରଲୀଧରନଙ୍କୁ ବୁଝିପାରୁ ନଥିଲେ
ନିଜ ଧୂଆଁଧାର ବ୍ୟାଟିଂରେ ଅନେକ ଦକ୍ଷ ଦ୍ରୁତ ଓ ସ୍ପିନ୍ ବୋଲରଙ୍କୁ ଘାଇଲା କରିଥିବା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଯୁବରାଜ ସିଂହ ଶ୍ରୀଲଙ୍କାର କିଂବଦନ୍ତି ସ୍ପିନର ମୁଥୟା ମୁରଲୀଧରନଙ୍କୁ ବୁଝି ପାରୁ ନଥିଲେ। ସବୁବେଳେ ତାଙ୍କ ବିପକ୍ଷରେ ସଂଘର୍ଷ କରୁଥିଲେ। ହେଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପରାମର୍ଶ ପରେ ସ୍ଥିତି ବଦଳି ଯାଇଥିଲା। ମୁରଲୀଙ୍କୁ ଯୁବି ପୂର୍ବାପେକ୍ଷା ଭଲ ଖେଳିବା ଆରମ୍ଭ କରିଥିଲେ। ଯୁବରାଜ ବୁଧବାର ଦେଇଥିବା ଏକ ସାକ୍ଷାତକାର ଅବସରରେ ମୁରଲୀଙ୍କୁ ତାଙ୍କ ସମୟର ସବୁଠାରୁ ମହାନ୍ ବୋଲର ଭାବେ ବର୍ଣ୍ଣନା କରି କହିଛନ୍ତି ଯେ ମୁରଲୀଧରନଙ୍କ ବିପକ୍ଷରେ ମୁଁ ସବୁବେଳେ ସଂଘର୍ଷ କରୁଥିଲି। ତାଙ୍କୁ ଖେଳିବା ଲାଗି ମୋ ପାଖରେ କୌଣସି ଯୋଜନା ନଥିଲା। ସେହିଭଳି ଅଷ୍ଟ୍ରେଲିଆର ମହାନ ଦ୍ରୁତ ବୋଲର ଗ୍ଲେନ୍ ମ୍ୟାଗ୍ରା ମୋତେ ଅନେକ ସମୟରେ ଅଡ଼ୁଆରେ ପକାଉଥିଲେ। ତାଙ୍କ ଆଉଟ୍ ସୁଇଂ ବଲ୍କୁ ଖେଳିବା ମୋ ପାଇଁ କାଠିକର ପାଠ ଥିଲା। ସୌଭାଗ୍ୟବଶତଃ ମ୍ୟାଗ୍ରାଙ୍କ ବିପକ୍ଷରେ ମୁଁ ବେଶି ମ୍ୟାଚ୍ ଖେଳି ନଥିଲି। କାରଣ ଟେଷ୍ଟ୍ ମ୍ୟାଚ୍ ବେଳେ ଗ୍ରିନ ରୁମରେ ବସି ବରିଷ୍ଠ ଖେଳାଳିଙ୍କୁ ଉତ୍ସାହିତ କରିବା ମୋ କାମ ହୋଇ ଯାଇଥିଲା। ମୁରଲୀଙ୍କୁ ଜବାବ ଦେବାର କଳା ମୁଁ ସଚିନଙ୍କଠାରୁ ଶିଖିଥିଲି। ଦିନେ ସେ ମୋତେ ପରାମର୍ଶ ଦେଇଥିଲେ ଯେ ମୁରଲୀଙ୍କ ବିପକ୍ଷରେ ତୁମେ ସୁଇପ୍ ସଟ୍ ଖେଳ। ପରବର୍ତୀ ସମୟରେ ମୁଁ ଏହି ଯୋଜନାକୁ କାମରେ ଲଗାଇଥିଲି। ମୁରଲୀଙ୍କୁ ଭଲ ଖେଳିବା ସହ ତାଙ୍କ ବିପକ୍ଷରେ କିଛି ରନ୍ କରିବାକୁ ମଧ୍ୟ ସକ୍ଷମ ହୋଇଥିଲି।
ସମାଲୋଚନା ପରେ ପ୍ରତିକ୍ରିୟା ରଖିଲେ ଯୁବି : ‘ମୁଁ ଭାରତୀୟ; ମଲାଯାଏ ଭାରତକୁ ଭଲ ପାଉଥିବି’
ଚଣ୍ଡିଗଡ : ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦିଙ୍କ ଦାତବ୍ୟ ଅନୁଷ୍ଠାନକୁ କରୋନା ସହାୟତା ଅର୍ଥ ଦାନ କରି ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଥିବା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ବୁଧବାର ଏହି ମାମଲାରେ ମୁହଁ ଖୋଲିଛନ୍ତି। ଅର୍ଥଦାନକୁ ଖଣ୍ଡନ କରିବା ସହ ଯୁବି ତାଙ୍କ ଟ୍ବିଟର ପୃଷ୍ଠାରେ ଲେଖିଛନ୍ତି ଯେ ମୁଁ ବୁଝି ପାରୁନି, ଗରିବ ଓ ଦିନ ଦରିଦ୍ରଙ୍କ ସହାୟତା ପାଇଁ ଦେଇଥିବା ବାର୍ତ୍ତା ନେଇ ଏତେ ବିବାଦ କାହିଁକି ହେଉଛି, ମୁଁ କେବଳ ଏତିକି କହିଥିଲି ଯେ ନିଜ ନିଜ ଦେଶର ଲୋକଙ୍କୁ ସାହାଯ୍ୟ କର। କାହାର ଭାବନାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନଥିଲା। ମୁଁ ଜଣେ ଭାରତୀୟ ଏବଂ ମଲାଯାଏ ମୋ ଦେଶକୁ ଭଲ ପାଉଥିବି, ମାନବତାର ସୁରକ୍ଷା ପାଇଁ ମୁଁ ସବୁବେଳେ ଛିଡ଼ାହେବି, ଜୟ ହିନ୍ଦ୍। ଯୁବିଙ୍କ ପୂର୍ବରୁ ଆଫ୍ରିଦିଙ୍କ ସଂସ୍ଥାକୁ ସାହାଯ୍ୟ କରିବାକୁ ଭାରତୀୟ ସ୍ପିନର ହରଭଜନ ସିଂହ ମଧ୍ୟ ସାମାଜିକ ଗଣମାଧ୍ୟମରେ ଆହ୍ବାନ କରି ସାରିଛନ୍ତି।