ଯୁବିଙ୍କ ସ୍ମୃତି ରୋମନ୍ଥନ ‘ମୁଁ ମରିଯାଏ ପଛେ, ଭାରତକୁ ବିଶ୍ବକପ୍‌ ଜିତିବାକୁ ଦିଅ’

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଲ୍‌ରାଉଣ୍ଡର ଯୁବରାଜ ସିଂହ ୧୦ ବର୍ଷ ତଳର ପୁରୁଣା ସ୍ମୃତି ରୋମନ୍ଥନ କରିଛନ୍ତି। ପଡ଼ିଆରେ ସଂଘାତିକ ଅସୁସ୍ଥତା ସତ୍ତ୍ବେ ଦଳକୁ ବିଶ୍ବକପ୍‌ ଜିତାଇବାର ପ୍ରୟାସ ଏବଂ ସାଥୀ ଖେଳାଳିଙ୍କୁ ମନୋବଳ ବୃଦ୍ଧିକାରୀ ଆହ୍ବାନ ଦେଇଥିବା ଏକ ହୃଦୟସ୍ପର୍ଶୀ କାହାଣୀର ଅବତାରଣା କରିଛନ୍ତି ଏହି ବାମହାତୀ ବ୍ୟାଟ୍‌ସମ୍ୟାନ୍‌। ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେବାର ଗୋଟିଏ ବର୍ଷ ପରେ ଯୁବରାଜ ୨୦୧୧ ବିଶ୍ବକପ୍‌ ସମୟର ସ୍ମୃତି ବଖାଣିଛନ୍ତି। ‘ମୁଁ ମରିଗଲେ ବି ଭାରତକୁ ବିଶ୍ବକପ୍‌ ଜିତାଅ’ ବୋଲି ଭଗବାନଙ୍କ ନିକଟରେ କରିଥିବା ପ୍ରାର୍ଥନାରୁ ପ୍ରମାଣିତ ହୋଇଛି ଦେଶ ଓ ଦଳପ୍ରତି ତାଙ୍କ କେତେ ଅଙ୍ଗିକାରବଦ୍ଧତା ଥିଲା। ଯୁବରାଜ ଭାରତର ଅନ୍ୟତମ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ ଭାବେ ପରିଗଣିତ। ଏବେ ବି ତାଙ୍କୁ ସେ ସମ୍ମାନ ମିଳୁଛି। କୌଣସି ମ୍ୟାଚ୍‌ରେ ବଡ଼ ବଡ଼ ଛକା ମାରିବା ସାଙ୍ଗକୁ ଦ୍ରୁତ ଶତକ ଜମାଇବାର ସାମର୍ଥ୍ୟ ପାଇଁ ସେ ଖୁବ୍‌ ପରିଚିତ। ସେ ମଧ୍ୟ ଭାରତର ମ୍ୟାଚ୍‌ ବିଜେତାର ଖ୍ୟାତି ବହନ କରନ୍ତି। ଯାହାକୁ କି ସେ ୨୦୧୧ ବିଶ୍ବକପ୍‌ରେ ହିଁ ପ୍ରମାଣିତ କରିଥିଲେ। ସେହି ବିଶ୍ବକପ୍‌ରେ ଯୁବି ମଧ୍ୟ ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ। ଉଭୟ ବ୍ୟାଟ୍‌ ଓ ବଲ୍‌ରେ ତାଙ୍କ କରିସ୍ମା ଦେଖିବାକୁ ମିଳିଥିଲା। ଫାଇନାଲ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତ ବିଶ୍ବକପ୍‌ ତୋଳି ଧରିଥିଲା ବେଳେ ଏହି ପଞ୍ଜାବୀ କ୍ରିକେଟର୍‌ ବିଶ୍ବକପ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାରକୁ ଖୁବ୍‌ ଉପଭୋଗ କରିଥିଲେ।

ତେବେ ୨୦୧୧ ବିଶ୍ବକପ୍‌ରେ ଠିକ୍‌ ଆଜିର ଦିନ (ମାର୍ଚ ୨୦)ରେ ହିଁ ଯୁବରାଜ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶେଷ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଖେଳିଥିଲେ ନିଜର ଅନ୍ୟତମ ଶ୍ରେଷ୍ଠ ପାଳି। ସଚିନ୍‌ ତେନ୍ଦୁଲକର ଓ ଗୌତମ ଗମ୍ଭୀରଙ୍କ ଭଳି ଖେଳାଳି ସଅଳ ପ୍ୟାଭିଲିୟନ୍‌ ଫେରିଯାଇଥିଲା ବେଳେ ଭାରତ ସଂକଟରେ ପଡ଼ିଥିଲା। ଏହି ସମୟରେ ବିରାଟ କୋହଲିଙ୍କ ସହ କ୍ରିଜ୍‌ରେ ଯୋଗଦେଇଥିଲେ ଯୁବି। ଉଭୟେ ଭଲ ଭାଗୀଦାରି ଗଢ଼ି ତୃତୀୟ ୱିକେଟ୍‌ରେ ୧୨୨ ରନ୍‌ ଯୋଡ଼ିଥିଲେ। କୋହଲି ୫୯ ରନ୍‌ରେ ଆଉଟ୍‌ ହୋଇଯାଇଥିଲେ ମଧ୍ୟ ଯୁବି ଏକାକୀ ପାଳି ଆଗେଇ ନେଇଥିଲେ। ଏହି ପାଳି ଅବସରରେ ଯୁବି ପୂରା ଅସୁସ୍ଥ ହୋଇପଡ଼ିଥିଲେ। ବାରମ୍ବାର ସେ ପିଚ୍‌ ଉପରେ ବାନ୍ତି କରିଥିଲେ। ତାଙ୍କ ଦେହ ଏତେ ଖରାପ ହୋଇପଡ଼ିଥିଲା ଯେ ତାଙ୍କୁ ପ୍ରାଣ ଛାଡ଼ିଗଲା ଭଳି ଅନୁଭବ ହୋଇଥିଲା। ତଥାପି ସେ ମୃତ୍ୟୁକୁ ବି ଖାତିର କରିନଥିଲେ। ଭାରତ ସେଥର ଯେମିତି ହେଲେ ବିଶ୍ବକପ୍‌ ବିଜେତା ହେଉ ଏହି ଏକମାତ୍ର କଥା ତାଙ୍କ ମନ ଭିତରେ ରହିଥିଲା। ଚେନ୍ନାଇର ଅତ୍ୟନ୍ତ ଗରମ ପରିବେଶ ମୋ ସ୍ବାସ୍ଥ୍ୟ ବିଗିଡ଼ିଯିବାର କାରଣ ହୋଇଥାଇପାରେ ବୋଲି ପ୍ରଥମେ ଭାବିଥିଲି। ତେଣୁ ‘ମୁଁ ମରିଗଲେ ମଧ୍ୟ ଭାରତକୁ ବିଶ୍ବକପ୍‌ ଜିତିବାକୁ ଦିଅ’ ବୋଲି ଭଗବାନଙ୍କୁ ପ୍ରାର୍ଥନା କରିଥିଲି ବୋଲି ଯୁବି ଶୁକ୍ରବାର ଭାବବିହ୍ବଳ ସ୍ବରରେ କହିଥିଲେ। ଅସୁସ୍ଥତା ସତ୍ତ୍ବେ ଯୁବି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ ଦମ୍‌ଦାର ଶତକ ଜମାଇ ୧୨୩ ବଲ୍‌ରୁ ୧୧୩ ରନ୍‌ କରିଥିଲେ। ଯେଉଁଥିରେ ୧୦ ଚୌକା ଓ ୨ ଛକା ସାମିଲ ଥିଲା। ସେହି ପାଳିରେ ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌ ଥିଲା ୯୧.୮୬। ଏହା ମଧ୍ୟ ତାଙ୍କ ପାଇଁ ବିଶ୍ବକପ୍‌ରେ ପ୍ରଥମ ଶତକୀୟ ସଫଳତା ଥିଲା। ପରେ ନିମ୍ନକ୍ରମ ବିଫଳତା ସତ୍ତ୍ବେ ତାଙ୍କ ପାଳି ବଳରେ ଭାରତ ୨୬୮ ରନ୍‌ କରିପାରିଥିଲା। ଏହାପରେ ସେଦିନ ହିଁ ଯୁବରାଜଙ୍କର ଥିଲା। ବ୍ୟାଟିଂରେ କମାଲ ପରେ ସେ ବୋଲିଂରେ ମଧ୍ୟ ଛାପ ଛାଡ଼ିଥିଲେ। ମାତ୍ର ୪ ଓଭର ବୋଲିଂରେ ୧୮ ରନ୍‌ ବ୍ୟୟ କରି ୨ ୱିକେଟ୍‌ ଅକ୍ତିଆର କରିଥିଲେ। ସେ ପ୍ରଥମେ ଡେଭନ୍‌ ଥୋମାସ୍‌ ଏବଂ ପରେ ବିପଜ୍ଜନକ ଆନ୍ଦ୍ରେ ରସେଲଙ୍କୁ ଶିକାର କରିଥିଲେ। ତାଙ୍କର ଏହି ସ୍ମରଣୀୟ ପ୍ରଦର୍ଶନ ଯୋଗୁଁ ସେ ମଧ୍ୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଚେନ୍ନାଇ ୱିକେଟ୍‌ ଖୁବ୍‌ ମନ୍ଥର ଥିଲା ଏବଂ ରନ୍‌ କରିବା ଆଦୌ ସହଜ ନଥିଲା। ପୁଣି ବିଶ୍ବକପ୍‌ରେ ଶତକ ହାସଲ କରିବା ସବୁବେଳେ ଭାବୁଥିଲି। କାରଣ ପ୍ରାୟ ସମୟରେ ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସୁଥିବାରୁ ଏହା ଆଦୌ ସମ୍ଭବ ହେଉନଥିଲା। ତେଣୁ ଯାହା ବି ଘଟୁ, ଏପରିକି ଯଦି ମୁଁ ମରିଯାଏଁ ପଛେ ଭାରତକୁ ବିଶ୍ବକପ୍‌ ଜିତିବାକୁ ଦିଅ ବୋଲି ପ୍ରାର୍ଥନା କରିଥିଲି। ଶେଷରେ ବିଶ୍ବକପ୍‌ରେ ପ୍ରଥମ ଶତକ ହାସଲ କରିଥିଲି ଏବଂ ଭାରତ ମଧ୍ୟ ୨୦୧୧ ବିଶ୍ବକପ୍‌ ବିଜେତା ହୋଇଥିଲା। ‘ନିଷ୍ଠା, ଅଙ୍ଗିକାର ଓ ଭଗବାନଙ୍କ ଉପରେ ବିଶ୍ବାସ କାରଣରୁ ମୋ ସ୍ବପ୍ନ ସାକାର ହୋଇଥିଲା’ ବୋଲି ଯୁବି କହିଥିଲେ।

ସମ୍ବନ୍ଧିତ ଖବର