ଯୁବରାଜଙ୍କୁ ଦୂତ କଲା ଲୌରିଅସ୍‌

ମୁମ୍ବାଇ: ଭାରତୀୟ କ୍ରିକେଟର୍‌ ଯୁବରାଜ ସିଂହ ଲୌରିଅସ୍‌ ପରିବାରର ସଦସ୍ୟ ବନିଯାଇଛନ୍ତି। ଲୌରିଅସ୍‌ ସ୍ପୋର୍ଟସ୍‌ ବୁଧବାର ଯୁବରାଜଙ୍କୁ ନିଜର ପ୍ରଥମ ଭାରତୀୟ ଦୂତ ଭାବେ ନିଯୁକ୍ତ କରିଛି। ଏଭଳି ସମ୍ମାନ ହାସଲ କରିବାରେ ଯୁବରାଜ ପ୍ରଥମ ଭାରତୀୟ କ୍ରିକେଟର୍‌ ମଧ୍ୟ ହୋଇଛନ୍ତି। ପୂର୍ବରୁ କିମ୍ବଦନ୍ତୀ କ୍ରିକେଟର୍‌ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ଼ ଏବଂ କପିଲ ଦେବ ଲୌରିଅସ୍‌ର ସଦସ୍ୟ ରହିଥିଲେ। ‘ମୋ ପାଇଁ ଭାରତରେ ଲୌରିଅସ୍‌ ପରିବାର ସାମିଲ ହେବା ଗର୍ବର ବିଷୟ। ଯୁବବର୍ଗଙ୍କୁ କଷ୍ଟକର ଜୀବନଶୈଳୀରୁ ବାହର କରିବା ଲାଗି ଲୌରିଅସ୍‌ ଏହି ମହାନ୍‌ କାର୍ଯ୍ୟରେ ଯୋଡ଼ି ହୋଇଥିବାରୁ ମୁଁ ଧନ୍ୟ ମନେ କରୁଛି। ମୁଁ ଖେଳକୁ ବଳ ଭାବେ ବିଶ୍ୱାସ କରୁଛି। ଖେଳ ମୋ ଜୀବନ ବଦଳାଇ ଦେଇଛି। ଏବେ ଲୌରିଅସ୍‌ ସାଥୀରେ ରହି ତା’ର ଏହି ମହାନ୍‌ ଲକ୍ଷ୍ୟକୁ ପୂରଣ କରିବାକୁ ପ୍ରୟାସ କରିବି ବୋଲି ଦୂତ ଭାବେ ନିଯୁକ୍ତ ପରେ ଯୁବରାଜ କହିଛନ୍ତି। ସେହିପରି ଯୁବରାଜ ଲୌରିଅସ୍‌ ପରିବାରରେ ଯୋଡ଼ି ହୋଇଥିବାରୁୁ ମୁଁ ବହୁତ ଖୁସି ବୋଲି କହିିଛନ୍ତି ଦ୍ରାବିଡ଼। ପୁଣିଥରେ ଯୁବରାଜଙ୍କ ସହ କାମ କରିବାର ସୁଯୋଗ ମିଳିଥିବାରୁ ବହୁତ ଉତ୍ସାହିତ ଅଛି ବୋଲି କହିଛନ୍ତି ଏହି ପୂର୍ବତନ ଭାରତୀୟ କ୍ରିକେଟ୍‌ ତାରକା।

ସମ୍ବନ୍ଧିତ ଖବର