ରାଠୋରଙ୍କ ଟ୍ବେଣ୍ଟି-୨୦ ପ୍ରଶିକ୍ଷଣ ଦକ୍ଷତା ନେଇ ପ୍ରଶ୍ନ ଉଠାଇଲେ ଯୁବି

ନୂଆଦିଲ୍ଲୀ : ଗତ ବର୍ଷ ବିକ୍ରମ ରାଠୋର ଭାରତୀୟ କ୍ରିକେଟ୍‌ ଦଳର ବ୍ୟାଟିଂ ପ୍ରଶିକ୍ଷକ ଦାୟିତ୍ବ ସଂଜୟ ବାଙ୍ଗରଙ୍କଠୁ ଗ୍ରହଣ କରିଥିଲେ। ସେ ୧୯୯୬-୯୭ ମସିହା ମଧ୍ୟରେ ଭାରତ ପାଇଁ ୬ ଟେଷ୍ଟ୍‌ ଓ ୭ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ସୌଭାଗ୍ୟ ପାଇଥିଲେ। ଚଳିତ ବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଥିଲା ବେଳେ ଟ୍ବେଣ୍ଟି-୨୦ ଖେଳିନଥିବା ରାଠୋର କିଭଳି ଏହି ଫର୍ମାଟ୍‌ରେ ଭାରତୀୟ ‌ଖେଳାଳିଙ୍କୁ ମାର୍ଗଦର୍ଶନ କରିବେ ବୋଲି ପୂର୍ବତନ ଅଲ୍‌ରାଉଣ୍ଡର ଯୁବରାଜ ସିଂହ ପ୍ରଶ୍ନ କରିଛନ୍ତି।

ରାଠୋର ମୋର ବନ୍ଧୁ … ସେ ଟ୍ବେଣ୍ଟି-୨୦ ପିଢ଼ିର ଖେଳାଳିଙ୍କୁ ସାହାଯ୍ୟ କରିପାରିବେ କି? ସେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଏହି ସ୍ତରରେ କ୍ରିକେଟ୍ ଖେଳିଛନ୍ତି କି? ବୋଲି ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଓ ୨୦୧୧ ଦିନିକିଆ ବିଶ୍ୱକପ୍‌ ବିଜେତା ଦଳର ସଦସ୍ୟ ଥିବା ଯୁବରାଜ ଏକ ଇନଷ୍ଟାଗ୍ରାମ ସେସନ୍‌ରେ କହିଛନ୍ତି। ଯଦି ମୁଁ ପ୍ରଶିକ୍ଷକ ଥାଆନ୍ତି ତେବେ ବିଭିନ୍ନ ଖେଳାଳିଙ୍କ ବ୍ୟକ୍ତିତ୍ବକୁ ବୁଝି କାମ କରିଥାନ୍ତି। ‌ସେହି ଭାବରେ ମୁଁ ରାତି ୯ଟାରେ ଯଶପ୍ରୀତ ବୁମ୍‌ରାଙ୍କୁ ଶୁଭକାମନା ଜଣାଇବି ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରାତି ୧୦ଟାରେ ପିଇବାକୁ ବାହାରକୁ ଡାକିବି ବୋଲି ଯୁବି କହିଛନ୍ତି। ଖେଳାଳିଙ୍କୁ ମାର୍ଗଦର୍ଶନ କରିବା କାମ କ’ଣ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କର ନୁହେଁ କି ବୋଲି ପ୍ରଶ୍ନର ଉତ୍ତରରେ ଯୁବି କହିଛନ୍ତି, ବର୍ତ୍ତମାନର ଯୁବକମାନଙ୍କ ସହ କଥାବାର୍ତ୍ତା କରିବାକୁ କି ପରାମର୍ଶ ଦେବାକୁ କେହି ନାହାଁନ୍ତି। ଏହା କରୁଛନ୍ତି କି ନାହିଁ ମୁଁ ଜାଣିନି, ବୋଧହୁଏ ସେ ‌ଅନ୍ୟ କିଛି କାମ କରୁଥି‌ବେ ବୋଲି ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌ କହିଛନ୍ତି। ଯାହା ବି ହେଉ, ଆପଣ ସମସ୍ତଙ୍କୁ କହିପାରିବେ ନାହିଁ ଯେ ପଡ଼ିଆକୁ ଯାଅ, ଧୁଆଁଧାର ବ୍ୟାଟିଂ କର, ଏହି ଉପାୟଟି ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହବାଗଙ୍କ ପାଖରେ କାମ କରିପାରେ କିନ୍ତୁ ଚେତେଶ୍ବର ପୂଜାରାଙ୍କ ସହ କଦାପି ନୁହେଁ। ତେଣୁ ଏହି ଜିନିଷଗୁଡ଼ିକ ପ୍ରଶିକ୍ଷଣ ସହ ସଂପୃକ୍ତ ଅଧିକାରୀମାନେ ହୃଦୟଙ୍ଗମ କରିବା ଆବଶ୍ୟକ ବୋଲି ୩୮ ବର୍ଷୀୟ ଏହି ପୂବତନ ବ୍ୟାଟ୍ସମ୍ୟାନ୍‌ କହିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଶଂସା କରି ସେ କହିଛନ୍ତି ଯେ ଟ୍ବେଣ୍ଟି-୨୦ରେ ମୋ ନାମରେ ଥିବା ଦ୍ରୁତତମ ଅର୍ଧଶତକ ଭାଙ୍ଗିବାର ସବୁ କଳା ଏହି ଅଲ୍‌ରାଉଣ୍ଡରଙ୍କ ନିକଟରେ ରହିଛି। ହେଲେ ତାଙ୍କୁ ଦଳରେ ମାର୍ଗଦର୍ଶନ କରିବା ପାଇଁ କେହି ଜଣେ ରହିବା ଆବଶ୍ୟକ।

ଗତ ବର୍ଷ ବିଶ୍ୱକପ ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡଠୁ ହାରି ବିଦାୟ ନେଇଥିବା ବି‌ରାଟ କୋହଲି ବାହିନୀକୁ ଯୁବରାଜ ନିନ୍ଦା କରିଛନ୍ତି। ୨୦୧୯ ବିଶ୍ୱକପ୍‌ ପାଇଁ ଦଳ ଚୟନ ଆଶ୍ଚର୍ଯ୍ୟଜନକ ଥିଲା। ୫ ଦିନିକିଆ ଖେଳିଥିବା ଖେଳାଳିଙ୍କୁ ମଧ୍ୟକ୍ରମରେ ଖେଳାଇବା ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠିବା କଥା। କିନ୍ତୁ ବର୍ତ୍ତମାନର ଚୟନକର୍ତ୍ତାମାନେ ଯେତେବେଳେ କେବଳ ୫ ଦିନିକିଆ ଖେଳିଛନ୍ତି ‌ତେବେ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ କରିପାରିବେ କି? ବୋଲି ଯୁବି ଏହି ୟୁଟ୍ୟୁବ ସେସନ୍‌ରେ ପଚାରିଥିଲେ।

ସମ୍ବନ୍ଧିତ ଖବର