ଅତୀତ ଓ ବର୍ତ୍ତମାନ ପିଢ଼ି ମଧ୍ୟରେ ପ୍ରଭେଦ ବାଛିଲେ ଯୁବି : ‘ବରିଷ୍ଠଙ୍କୁ ସମ୍ମାନ ଦେବାର ଭାବନା ଆଗ ଅପେକ୍ଷା କମି ଯାଇଛି’
ମୁମ୍ବାଇ : ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଛଡ଼ା ଭାରତୀୟ କ୍ରିକେଟ୍ ଦଳରେ ସଂପ୍ରତି ଅନ୍ୟ କେହି ‘ଆଦର୍ଶ’ର ଖେଳାଳି ନାହାନ୍ତି। କନିଷ୍ଠ ଖେଳାଳିମାନେ ବରିଷ୍ଠଙ୍କୁ ଉଚିତ ସମ୍ମାନ ଦେଉନାହାନ୍ତି। ଯେତେବେଳେ ମୁଁ ଦଳକୁ ଆସିଥିଲି, ବରିଷ୍ଠ ଖେଳାଳିମାନେ ତୁଳନାତ୍ମକ ଭାବେ ଅଧିକ ଶୃଙ୍ଖଳିତ ଥିଲେ। ସେମାନଙ୍କ ଆଚାର ବ୍ୟବହାର ଆମ ସମସ୍ତଙ୍କ ପାଇଁ ଆଦର୍ଶ ଥିଲା। ଅବଶ୍ୟ ସେତେବେଳେ ସାମାଜିକ ଗଣମାଧ୍ୟମ ନଥିଲା। ଏଣୁ ଲକ୍ଷ୍ୟଭ୍ରଷ୍ଟ ହେବା ବା ଏକାଗ୍ରତା ହରାଇବାର କାରଣ ନଥିଲା। ସେତେବେଳେ ଖେଳାଳିମାନଙ୍କୁ ଏକ ନିର୍ଦିଷ୍ଟ ଢଙ୍ଗରେ କଥା କହିବାକୁ ପଡ଼ୁଥିଲା। ଗଣମାଧ୍ୟମ ଓ ସାଧାରଣ ଜନତାଙ୍କ ସହ କଥାହେଲା ବେଳେ ଅନେକ କିଛି ଆଖି ଆଗରେ ରଖିବାକୁ ହେଉଥିଲା। କାରଣ ସେମାନେ ଭାରତ ଓ କ୍ରିକେଟ୍ ଖେଳର ସମ୍ମାନସ୍ପଦ ଦୂତ ଥିଲେ। ଦୁର୍ଭାଗ୍ୟଜନକ ଭାବେ ଏବେ ସେସବୁକୁ ଆଉ ଗୁରୁତ୍ବ ଦିଆଯାଉନି। ଖେଳାଳିଙ୍କ କଥା ଓ ଆଚରଣରେ ବି ସଂଯମତା ରହୁନି।’’ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଇନଷ୍ଟାଗ୍ରାମ୍ ଲାଇଭ୍ରେ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ତଥା ଭାରତୀୟ ସୀମିତ ଓଭର ଦଳର ଉପଅଧିନାୟକ ରୋହିତ ଶର୍ମାଙ୍କ ସହ ଆଲୋଚନା କଲା ବେଳେ ଏଭଳି କଥା କହିଛନ୍ତି। ସେହିଭଳି ବରିଷ୍ଠଙ୍କ ପ୍ରତି କନିଷ୍ଠଙ୍କ ମନରେ ଥିବା ଭଲପାଇବା ଓ ସମ୍ମାନ ମଧ୍ୟ ଧୀରେ ଧୀରେ କମି କମି ଯାଉଛି। ଏବେ କେହି ବି କାହାକୁ, କିଛି ବି କହି ପାରୁଛନ୍ତି ବୋଲି ଯୁବି ଆଶଙ୍କା ଜାହିର କରିଛନ୍ତି। ହାର୍ଦିକ ପାଣ୍ଡ୍ୟା ଓ କେଏଲ୍ ରାହୁଲ ଏକ ଟେଲିଭଜନ୍ କାର୍ଯ୍ୟକ୍ରମରେ ମହିଳାଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇ ବିସିସିଆଇ ଦ୍ବାରା ନିଲମ୍ବିତ ହେବା ଘଟଣାରେ ନିଜ ପ୍ରତିକ୍ରିୟା ପ୍ରକାଶ କରି ଯୁବି କହିଛନ୍ତି ଯେ ଆମବେଳେ ଏଭଳି ଘଟଣା ଘଟିବା ସମ୍ଭବ ନଥିଲା। ସଂପ୍ରତି ଯୁବ ଖେଳାଳିମାନେ ସାମାଜିକ ଗଣମାଧ୍ୟମର ଅଭ୍ୟୁଦୟ, ପାର୍ଟି ସଂସ୍କୃତିର ପ୍ରସାର ଫଳରେ ଏଭଳି କଥା କହୁଛନ୍ତି କିମ୍ବା କହିବାକୁ ସାହସ କରୁଛନ୍ତି। ଆମ ବେଳେ କିଛି ବି କରିବା ପୂର୍ବରୁ ଆମକୁ ଦୁଇ ଥର ଭାବିବାକୁ ପଡ଼ୁଥିଲା। କାରଣ ଆମେ ଯଦି କୌଣସି ଭୁଲ କରୁ, ତାହାଲେ ବରିଷ୍ଠ ଖେଳାଳିମାନେ ଆମକୁ ଏଥିଲାଗି ଚେତାଇ ଦେବେ ବୋଲି ମନରେ ଭୟ ରହୁଥିଲା। ଏବେ ସେହି ଭୟ ଆଉ ନାହିଁ। ମୁଁ ଦଳକୁ ଆସିଲା ବେଳେ ଅନେକ ବରିଷ୍ଠ ଖେଳାଳି ଦଳରେ ଥିଲେ। ପୀୟୂଷ ଚାୱଲା ଓ ସୁରେଶ ରାଇନାଙ୍କ ସହ ସମ୍ଭବତଃ ମୁଁ ଦଳରେ ନୂଆ ଥିଲି। ଏବେ ଦଳର ପରିବେଶ ଟିକିଏ ହାଲକା ହୋଇ ଯାଇଛି। ଦଳରେ ଅଧିକ ଯୁବ ଖେଳାଳି ଅଛନ୍ତି। ସେଥିମଧ୍ୟରୁ ୫ରୁ ୬ ଜଣ କନିଷ୍ଠ ଖେଳାଳିଙ୍କ ସହ ମୁଁ ନିୟମିତ କଥା ହେଉଛି। ବିଶେଷ କରି ଋଷବ ପନ୍ତଙ୍କ ସହ ମୁଁ ଅଧିକ କଥା ହେଉଛି, ତାଙ୍କୁ କିଛି ମୂଲ୍ୟବାନ ପରାମର୍ଶ ବି ଦେଉଛି। କାରଣ ଗଣମାଧ୍ୟମର ତୀକ୍ଷ୍ଣ ନଜର ତାଙ୍କ ଉପରେ ସବୁବେଳେ ରହୁଛି। ଆମକୁ ଏକଥା ମଧ୍ୟ ମନେ ରଖିବାକୁ ହେବ ଯେ ଯେପର୍ଯ୍ୟନ୍ତ ଆପଣ ଭାରତ ପାଇଁ ଖେଳୁଛନ୍ତି, ସେପର୍ଯ୍ୟନ୍ତ ସେହି ଚାପ ଆପଣଙ୍କ ଉପରେ ରହିବ’’ ବୋଲି ବିଶ୍ବ କ୍ରିକେଟ୍ର ଅନ୍ୟତମ ଶ୍ରେଷ୍ଠ ଅଲ୍ରାଉଣ୍ଡର ଭାବେ ପରିଚିତ ଯୁବି ଏହି ଅବସରରେ ମତ ରଖିଥିଲେ। ଏବେକାର ପିଢ଼ି କେବଳ ସୀମିତ ଓଭର କ୍ରିକେଟ୍ ଖେଳିବାକୁ ଚାହୁଁଥିବାରୁ ସେ କିନ୍ତୁ ଦୁଃଖ ପ୍ରକାଶ କରିଥିଲେ । ଏଥିନେଇ ସେ କହିଥିଲେ ‘‘ବଡ଼ ଭାଇ, ସଚିନ ତେନ୍ଦୁଲକର ଥରେ ମୋତେ କହିଥିଲେ, ତୁମେ ଯଦି ପଡ଼ିଆ ଭିତରେ ଭଲ ପ୍ରଦର୍ଶନ କରିବ, ଅନ୍ୟସବୁ ସ୍ବାଭାବିକ ଭାବେ ତୁମର ଅନୁସରଣ କରିବ। ମୁଁ ଜାତୀୟ କ୍ରିକେଟ୍ ଏକାଡେମିରେ ଥିଲା ବେଳେ ଅନେକ କିଶୋର କ୍ରିକେଟରଙ୍କ ସହ ବିଚାର ବିମର୍ଶ କରିଛି, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଟେଷ୍ଟ୍ କ୍ରିକେଟ୍ ଖେଳିବାର ଆଗ୍ରହ ନଥିବା ସେତେବେଳେ ମୋର ହୃଦୟଙ୍ଗମ ହୋଇଥିଲା, ସେମାନେ ସମସ୍ତେ ସୀମିତ ଓଭର କ୍ରିକେଟ୍ ଖେଳିବାକୁ ଇଚ୍ଛୁକ ଥିଲେ। ମୁଁ ଭାବୁଛି ଭାରତ ପାଇଁ ଖେଳି ସାରିଥିବା ଖେଳାଳିମାନେ ମଧ୍ୟ ଜାତୀୟ ଦଳରେ ନଥିଲା ବେଳେ ଘରୋଇ କ୍ରିକେଟ୍ ଖେଳିବା ଉଚିତ। ଏହା ଦ୍ବାରା ସେମାନେ ଦେଶ ସାରାର ଭିନ୍ନ ଭିନ୍ନ ପିଚ୍ରେ ଖେଳିବାର ଅଭିଜ୍ଞତା ଅମଳ କରି ପାରିବେ।”