ବ୍ରଡ୍‌ଙ୍କୁ ୬ ଛକା ମାରି ଚର୍ଚ୍ଚିତ ହୋଇଥିଲେ ଯୁବରାଜ ସିଂହ

ନୂଆଦିଲ୍ଲୀ: କ୍ରିକେଟ୍ ଇତିହାସରେ ମାତ୍ର ୬ ଜଣ ଖେଳାଳି ଗୋଟିଏ ଓଭରରେ ୬ ଛକା ମାରିଛନ୍ତି। ସେମାନଙ୍କ ମଧ୍ୟରୁ ଯୁବରାଜ ସିଂହ ଅନ୍ୟତମ। ୬ ଛକା ମାରିବାରେ ୱେ‌ଷ୍ଟଇଣ୍ଡିଜ୍ କିମ୍ବଦନ୍ତୀ ଗ୍ୟାରି ସୋବର୍ସଙ୍କ ନାଁ ପ୍ରଥମରେ ଆସେ। ସେ ୧୯୬୮ ମସିହାରେ ନଟିଂହାମସାୟାର ପକ୍ଷରୁ ଖେଳି ଗ୍ଲାମରଗାନ୍ ବିପକ୍ଷରେ ଏହି କୀର୍ତ୍ତିମାନ କରିଥିଲେ। ସୋବର୍ସଙ୍କ ପ୍ରହାରର ଶିକାର ହୋଇଥିଲେ ଗ୍ଲାମରଗାନ୍ ଦଳର ବୋଲର ମାଲକମ୍ ନାସ୍। ଭାରତୀୟ କ୍ରିକେଟ୍ ଦଳର ଏବେକାର ପ୍ରଶିକ୍ଷକ ରବି ଶାସ୍ତ୍ରୀ ୧୯୮୫ ମସିହାରେ ବମ୍ବେ ଓ ବରୋଦା ମଧ୍ୟରେ ଖେଳା ଯାଇଥିବା ରଣଜୀ ମୁକାବିଲାରେ ତିଲକ ରାଜଙ୍କ ବିପକ୍ଷରେ ଏହି ସଫଳତା ଦୋହରାଇଥିଲେ।

ଯୁବରାଜ ସିଂହ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଇଂଲଣ୍ଡ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ ୬ ଛକା ମାରିଥିଲେ। ପଡ଼ିଆର ସବୁପଟକୁ ସେ ଉପରେ ଉପରେ ବଲ୍ ପଠାଇ ଦେଇଥିଲେ। ତେବେ ଦିନିକିଆରେ ପ୍ରଥମ ୬ ଛକା ଦକ୍ଷିଣ ଆଫ୍ରିକାର ହରଶ୍ଚେଲ ଗିବ୍ସ ଅର୍ଜନ କରିଥିଲେ। ୨୦୦୬ ଏକଦିବସୀୟ ବିଶ୍ବକପ୍‌ରେ ସେଣ୍ଟକିଟ୍ସଠାରେ ନେଦରଲାଣ୍ଡର ଡାନ୍ ଭାନ୍ ବଙ୍ଗଙ୍କୁ ନିର୍ଧୁମ ଛେଚି ଗିବ୍ସ ୬ ଛକା ମାରିବାର ଅନନ୍ୟ ସଫଳତା ପାଇଥିଲେ।

୨୦୧୫ରେ ଇଂଲଣ୍ଡର ଆଲେକ୍ସ ହାଲେସ୍ ଓ ୨୦୧୮ରେ ଆଫଗାନିସ୍ତାନର ହଜରତୁଲ୍ଲା ଜଜାଇ ଏହି କ୍ଲବ୍‌ରେ ସାମିଲ ହୋଇଥିଲେ। ହାଲେସ୍ ନଟିଂହାମସାୟାରରୁ ଖେଳି ନାଟୱେଷ୍ଟ ଟି-୨୦ ବ୍ଲାଷ୍ଟ ପ୍ରତିଯୋଗିତାରେ ୱାରୱିକ୍‌ସାୟାର ବିପକ୍ଷରେ ବୟଡ ରାଙ୍କିନଙ୍କୁ ଲଗାତାର ୬ ଛକା ମାରିଥିଲେ।

ସମ୍ବନ୍ଧିତ ଖବର