ଯୁବରାଜ ଆହତ ହୋଇନଥିଲେ, ସବୁ କୀର୍ତ୍ତିମାନ ଭାଙ୍ଗି ଦେଇଥାନ୍ତେ: ବାପା 

ନୂଆଦିଲ୍ଲୀ: ଗ୍ରେଗ୍‌ ଚାପେଲ୍‌ ପ୍ରଶିକ୍ଷକ ଥିବା ସମୟରେ ଯୁବରାଜ ଖୋ-ଖୋ ଖେଳି ଆହତ ହୋଇଥିଲେ। ଯଦି ସେ ସମୟରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିନଥାନ୍ତା, ତାହେଲେ ଯୁବି ଦିନିକିଆ ଓ ଟ୍ବେଣ୍ଟି-୨୦ର ସବୁ କୀର୍ତ୍ତିମାନ ଭାଙ୍ଗି ଦେଇଥାନ୍ତେ। ଏଥିପାଇଁ ମୁଁ ଚାପେଲ୍‌ଙ୍କୁ ଅଦୌ କ୍ଷମା କରିପାରିବିନାହିଁ ବୋଲି ଯୁବରାଜଙ୍କ ବାପା ୟୋଗରାଜ ସି˚ହ ଏକ ସାକ୍ଷାତକାରରେ କହିଛନ୍ତି। ସେ ସମୟରେ ନେଟ୍ସ ପୂର୍ବରୁ ଭାରତୀୟ ଦଳର ଖେଳାଳିମାନେ ସ˚ପୂର୍ଣ୍ଣ ଦେଶୀ ଖେଳ ମାଧ୍ୟମରେ ଵାର୍ମ ଅପ୍‌ କରୁଥିଲେ।

ଏହି ବାମହାତୀ ଖେଳାଳି ତାଙ୍କର ଅବସର ଘୋଷଣା କରିବା ପରେ ବାପା ୟୋଗରାଜ ପୁରୁଣା ସ୍ମୃତିକୁ ମନେପକାଇ କହିଛନ୍ତି ଯେ, ମୋତେ ଭାରତୀୟ ଦଳରୁ ବାଦ୍‌ ଦିଆଯିବା ଘଟଣାକୁ ୪୦ ବର୍ଷ ବିତିଗଲାଣି ଏବ˚ ଏହି କଷ୍ଟକୁ ନେଇ ମୁଁ ସାରାଜୀବନ ଜିଇଁ ଚାଲିଛି। ସେହି ସମୟରୁ ଯୁବରାଜଙ୍କ କାହାଣୀ ଆରମ୍ଭ ହୋଇଥିଲା ବୋଲି ତାଙ୍କ ଅବସର ଘୋଷଣା ଦିନ କହିବାକୁ ଚାହୁଁଥିଲି। ସେ ଯେତେ ବେଳେ ଦେଢ଼ ବର୍ଷ ବୟସର ହୋଇଥିଲେ ତାଙ୍କ ପାଇଁ ମୁଁ ତାଙ୍କର ପ୍ରଥମ କ୍ରିକେଟ୍‌ ବ୍ୟାଟ୍‌ ଓ ବଲ୍‌ ଆଣିଦେଇଥିଲି। ମୋ ମା’ ଗୁରନାମ କୌର ତାଙ୍କୁ ପ୍ରଥମ ବଲ୍‌ ବୋଲି˚ କରିଥିଲେ। ଏବେବି ସେହି ମୂହୁର୍ତ୍ତର ଫଟୋ ପାଖରେ ସାଇତି ରଖିଥିବା ସେ କହିଛନ୍ତି।

କ୍ରିକେଟ୍‌ ପ୍ରତି ଯୁବରାଜଙ୍କ ଆଗ୍ରହ ବିଷୟରେ ସେ କହିଛନ୍ତି ଯେ, ବଡ଼ ହେବା ପରେ ଯୁବି ସ୍କେଟି˚ ଓ ଟେନିସ୍‌ ପ୍ରତି ଅଧିକ ଆଗ୍ରହ ଦେଖାଇଥିଲେ। ହେଲେ ମୁଁ ତାଙ୍କର ସ୍କେଟି˚ ଓ ଟେନିସ୍‌ ରାକେଟ ଭାଙ୍ଗି ଦେଉଥିଲି। ଏଥିପାଇଁ ସେ ବହୁତ କାନ୍ଦିଥିଲେ ଓ ଆମର ସେକ୍ଟର-୧୧ ଘରକୁ ଜେଲ୍‌ ବୋଲି କହୁଥିଲେ। ଏପରିକି ସେ ମୋତେ ଡ୍ରାଗନ ସି˚ହ ବୋଲି ଡାକୁଥିଲେ। କିନ୍ତୁ ଏହାସତ୍ତ୍ବେ ଜଣେ ବାପାଭାବେ ମୁଁ ତାଙ୍କୁ ମୋର ପୂର୍ବ ସମ୍ମାନ ଓ ଗର୍ବରେ ଛାତି ଫୁଲେଇ ଚାଲିବା ଭଳି ମୁହୂର୍ତ୍ତି ଫେରାଇ ଆଣିଦେବା ପାଇଁ ପଚାରିବାକୁ ସେତେବେଳେ ଅଧିକାର ରଖିଥିଲି। ଯୁବରାଜ ଯେତେ ବେଳେ ୬ ବର୍ଷ ବୟସର ହୋଇଥିଲେ, ତାଙ୍କୁ ମୁଁ ସେକ୍ଟର ୧୬ ଷ୍ଟାଡିୟମକୁ ନେଇଥିଲି ଓ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲି। ସେଠାରେ ଏକ ଦ୍ରୁତ ବୋଲର ଏକାଡେମି ଥିଲା ଓ ମୁଁ ଯୁବରାଜଙ୍କୁ ବିନା ହେଲ୍‌ମେଟରେ ଅଭ୍ୟାସ କରିବାକୁ କହିଥିଲି। ଷ୍ଟାଡିୟମରେ ସେ ପ୍ରତ୍ୟେକ ଦିନ ଦେଢ଼ ଘଣ୍ଟାରୁ ଅଧିକ ସମୟ ଦୌଡ଼ୁଥିଲେ। ମୋର ମନେଅଛି, ଯେବେ ମୋ ମା’ମୃତ୍ୟୁଶର୍ଯ୍ୟାରେ ପଡ଼ିଥିଲେ ଓ ସେ ମୋତେ କହିଥିଲେ ଯେ, ମୁଁ ଅତି କଷ୍ଟକର ପ୍ରଶିକ୍ଷଣ ଦ୍ବାରା ଯୁବରାଜଙ୍କ ଜୀବନ ନଷ୍ଟ କରିଦେଉଛି। ମୋ ପୁଅ ପାଇଁ ଅଧିକ କଠୋର ହେଉଥିବାରୁ ତାହା ମୋ ପାଇଁ ପଶ୍ଚାତାପର ସମୟ ଥିଲା।
ଯୁବରାଜ କ୍ରିକେଟକୁ ଘୃଣା କରୁଥିଲେ ଏବ˚ ମୁଁ ତାଙ୍କୁ କ୍ରିକେଟ୍‌ ପ୍ରେମରେ ପକାଇଥିଲି। ଯାହାକି ଏବେ ତାଙ୍କର ଜୀବନ ହୋଇଯାଇଛି। ପରେ ତାଙ୍କୁ କ୍ରିକେଟ୍‌ର ନିଶା ଏପରି ଧରିଥିଲା ଯେ, ସେ ଏବେ ସେଥିରୁ କ’ଣ ହାସଲ କରିପାରିଛନ୍ତି, ତାହା ସାରା ଦୁନିଆ ଜାଣିଛି। ଭାରତୀୟ ଦଳରେ ସ୍ଥାନ ପାଇବା ସ˚ପର୍କରେ ସେ କହିଥିଲେ ଯେ, ଯୁବରାଜ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ପଞ୍ଜାବ ବିପକ୍ଷରେ ଅବଶିଷ୍ଟ ଭାରତୀୟ ଦଳ ପାଇଁ ହାଇଦ୍ରାବାଦରେ ଖେଳୁଥିବା ବେଳେ ୧୮୦ ରନ୍‌ ସ˚ଗ୍ରହ କରିଥିଲେ ଏବ˚ ରାଜ ସି˚ହ ଡୁଙ୍ଗରପୁର ଏହି ମ୍ୟାଚ୍‌ ଦେଖୁଥିଲେ। ସେତେ ବେଳେ ଯୁବିଙ୍କୁ ୧୬ ବର୍ଷ ହୋଇଥିଲା ଓ ସେ ଭାରତୀୟ ଦଳରେ ସ୍ଥାନ ପାଇବାକୁ ଯୋଗ୍ୟ ବୋଲି ଡୁଙ୍ଗରପୁର କହିଥିଲେ। ତଥାପି ମୁଁ ତାଙ୍କଠୁ ଦୁଇ ବର୍ଷ ସମୟ ମାଗିଥିଲି ଏବ˚ ଯୁବରାଜ ୨୦୦୦ ମସିହାରେ କେନିୟା ବିପକ୍ଷରେ ଭାରତୀୟ ଦଳରେ ପଦାର୍ପଣ କରି ତାହାକୁ ପ୍ରମାଣିତ କରିଦେଖାଇଥିଲେ।

ଯେତେ ବେଳେ ସେ କର୍କଟରେ ପୀଡ଼ିତ ହେଲେ, ସେତେ ବେଳେ ୟୋଗରାଜ ଆଖିରେ ଲୁହ ଆସିଯାଇଥିଲା। ଯୁବରାଜଙ୍କ କାହାଣୀର ଅନ୍ତଃ ଏଭଳି ଭାବେ ନ ହେଉ ବୋଲି ସେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ। ଏଭଳି ଅସହ୍ୟ କଥାକୁ ମନେପକାଇ ସେ କହିଥିଲେ କି, ଏହି ଘଟଣା ପରେ ଗୋଟିଏ ଘର ଭିତରେ ଏକୁଟିଆ ରହି ବହୁତ କାନ୍ଦିଥିଲି। ହେଲେ ଯୁବି ସାମ୍ନାରେ କେବେ କାନ୍ଦିନଥିଲି। ସେ ମୋତେ କହୁଥିଲେ କି, ‘ଯଦିବି ମୁଁ ମରିଯାଏ, ତଥାପି ତୁମେ ଓ ପୁରା ଦେଶ ମୋ ହାତରେ ବିଶ୍ବକପ୍‌ ଟ୍ରଫି ଧରିଥିବା ଅବସ୍ଥାରେ ଦେଖୁ ବୋଲି ମୁଁ ଚାହୁଁଛି’।

ସମ୍ବନ୍ଧିତ ଖବର