ଲାହୋର: ଆଫଗାନିସ୍ତାନ ଓପନର୍ ଇବ୍ରାହିମ୍ ଜଦ୍ରାନ୍ ବୁଧବାର ନୂଆ ବିଶ୍ବ ରେକର୍ଡ ରଚିଛନ୍ତି। ଇଂଲଣ୍ଡ ବିପକ୍ଷରେ ୧୭୭ ରନ୍ର ଅସାଧାରଣ ଓ ଅବିସ୍ମରଣୀୟ ପାଳି ଖେଳି ଚାମ୍ପିଅନ୍ସ ଟ୍ରଫି ଇତିହାସର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ କରିବାର ଗୌରବ ହାସଲ କରିଛନ୍ତି। ନିଜ ସ୍ମରଣୀୟ ତଥା ସୁପ୍ରସିଦ୍ଧ ପାଳି ଭିତରେ ୨୪ ବର୍ଷୀୟ ଜଦ୍ରାନ ୧୨ ଚୌକା ଓ ୬ ଛକା ମାରିଥିଲେ। ୧୪୬ ବଲ୍ର ସମ୍ମୁଖୀନ ହୋଇ ଇଂଲଣ୍ଡର ବେନ୍ ଡକେଟ୍ ଚଳିତ ଚାମ୍ପିଅନ୍ସ ଟ୍ରଫିରେ ହିଁ ଅଷ୍ଟ୍ରେଲିଆ ବିପକ୍ଷରେ କରିଥିବା ୧୬୫ ରନ୍ର ବ୍ୟକ୍ତିଗତ ରେକର୍ଡକୁ ଭାଙ୍ଗି ଚୂରମାର୍ କରି ଦେଇଥିଲେ।
ସ୍ଥାନୀୟ ଗଦ୍ଦାଫି ଷ୍ଟାଡିୟମ୍ରେ ଇଂଲଣ୍ଡର ଶକ୍ତିଶାଳୀ ବୋଲିଂ ବାହିନୀ ଜଦ୍ରାନ୍ଙ୍କ ଦୃଢ଼ ଆତ୍ମବଳ ଓ ସଠିକ୍ ସଟ୍ ଚୟନ ଆଗରେ ପୂରା ହାର ମାନିଥିଲା। ଯେତେଚେଷ୍ଟା କଲେ ବି ତାଙ୍କୁ ରୋକି ପାରି ନଥିଲା। ଜଦ୍ରାନ୍ ସେମାନଙ୍କ ସବୁ ରଣନୀତିକୁ ପଣ୍ଡ କରି ଚୌକା, ଛକା ବର୍ଷା କରିଥିଲେ। ଏପରିକି ଅନ୍ୟପଟୁ ୱିକେଟ୍ ପତନ ଜାରି ରହିଥିଲେ ମଧ୍ୟ ଜବରଦସ୍ତ ବ୍ୟାଟିଂ କରି ସେ ଷ୍ଟାଡିୟମ୍ ଦର୍ଶକଙ୍କର ଭରପୂର ମନୋରଞ୍ଜନ କରିବା ସହ ଇଂଲଣ୍ଡ ବୋଲରଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ। ଜଦ୍ରାନ୍ ମଧ୍ୟ ଚାମ୍ପିଅନ୍ସ ଟ୍ରଫିରେ ଶତକ ହାସଲ କରିବାରେ ଆଫଗାନିସ୍ତାନର ପ୍ରଥମ ଖେଳାଳି ହୋଇଥିଲେ। ଏହା ମଧ୍ୟ ଆଫଗାନିସ୍ତାନର ଏକଦିବସୀୟ କ୍ରିକେଟ୍ରେ ସର୍ବୋଚ୍ଚ ଏବଂ ପାକିସ୍ତାନରେ ଖେଳାଯାଇଥିବା ମ୍ୟାଚ୍ରେ ତୃତୀୟ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ ହୋଇଥିଲା।
ଆଫଗାନିସ୍ତାନର ସର୍ବୋଚ୍ଚ ସ୍କୋର୍ କରିବା ଭିତରେ ସେ ନିଜ ପୁରୁଣା ରେକର୍ଡ (୧୬୨) ଭାଙ୍ଗିଥିଲେ। ଯାହାକୁ ସେ ୨୦୨୨ରେ ଶ୍ରୀଲଙ୍କା ବିପକ୍ଷରେ ହାସଲ କରିଥିଲେ। ଜଦ୍ରାନ୍ଙ୍କ ପାଳି ବଳରେ ଆଫଗାନିସ୍ତାନ ମଧ୍ୟ ଆଜି ଦଳଗତ ଭାବେ ଏକଦିବସୀୟ କ୍ରିକେଟ୍ରେ ସର୍ବୋଚ୍ଚ ସ୍କୋର୍ କରିଥିଲା। ପୂର୍ବରୁ ୨୦୨୩ ବିଶ୍ବକପ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ କରିଥିବା ୨୯୧/୫ ଏହି ଦେଶର ସର୍ବୋଚ୍ଚ ଦଳଗତ ସ୍କୋର୍ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/27/r7dTfDoWf44ulpgsFDNs.jpg)