ଜାଫରଙ୍କ ଦ୍ୱିଶତକ: ବିଦର୍ଭର ବିଶାଳ ସ୍କୋର୍‌

ନାଗପୁର: ଆନ୍ତର୍ଜାତିକ ଅଭିଜ୍ଞତା ସଂପନ୍ନ ପୁରୁଖା ଖେଳାଳି ଓ୍ଵାସିମ୍‌ ଜାଫରଙ୍କ ଅପରାଜିତ ଦ୍ୱିଶତକୀୟ ପାଳି ସାଙ୍ଗକୁ ସତୀଶ ଗଣେଶଙ୍କ ଉପଯୋଗୀ ଶତକ ଏବଂ ତୃତୀୟ ଓ୍ଵିକେଟ୍‌ରେ ୨୮୯ ରନ୍‌ର ଭାଗିଦାରୀ ବଳରେ ରଣଜୀ ଟ୍ରଫି ବିଜେତା ବିଦର୍ଭ ଏଠାରେ ଚାଲିଥିବା ଅବଶିଷ୍ଟ ଭାରତ ବିପକ୍ଷ ଈରାନୀ କପ୍‌ର ପ୍ରଥମ ପାଳିରେ ବିଶାଳ ସ୍କୋର୍‌ ଛିଡ଼ା କରିଛି। ପ୍ରଥମ ଦିବସରେ ପ୍ରାରମ୍ଭିକ ଯୋଡ଼ି ଫୈଜ୍‌ ଫଜଲ୍‌ (୮୯) ଓ ସଞ୍ଜୟ ରାମାସ୍ୱାମୀ (୫୩)ଙ୍କ ଅର୍ଧଶତକ ପରେ ଦ୍ୱିତୀୟ ଦିବସରେ ଜାଫରଙ୍କ ଅପରାଜିତ ଦ୍ୱିଶତକ (୨୮୫* ରନ୍‌, ୩୪ ଚୌକା, ୧ ଛକା)), ସତୀଶ ଗଣେଶଙ୍କ ଶତକ (୧୨୦ ରନ୍‌, ୧୦ ଚୌକା, ୨ ଛକା)) ଏବଂ ଓ୍ଵାଙ୍ଗାଡେଙ୍କ ଅପରାଜିତ ୪୪ ରନ୍‌ ସହାୟତାରେ ବିଦର୍ଭ ୩ ଓ୍ଵିକେଟ୍‌ ବିନିମୟରେ ୫୯୮ ରନ୍‌ କରି ଦୃଢ଼ ସ୍ଥିତିରେ ପହଞ୍ଚିଛି। ପ୍ରଥମ ଓ୍ଵିକେଟ୍‌ରେ ୧୦୧, ଦ୍ୱିତୀୟ ଓ୍ଵିକେଟ୍‌ରେ ୧୧୭ ରନ୍‌ ଯୋଡ଼ିଥିବା ବିଦର୍ଭ ପକ୍ଷରୁ ଜାଫର ଓ ଗଣେଶ ତୃତୀୟ ଓ୍ଵିକେଟ୍‌ରେ ୨୮୯ ରନ୍‌ ଯୋଡ଼ି ଦଳକୁ ବଡ଼ ସ୍କୋର୍‌ ଅଭିମୁଖେ ଆଗେଇ ନେଇଥିଲେ। ଗଶେଶ ଦ୍ୱିତୀୟ ଦିବସର ଏକମାତ୍ର ଓ୍ଵିକେଟ୍‌ ଭାବେ ପାଭିଲିୟନ୍‌ ଫେରି ଯାଇଥିଲା ବେଳେ ଓ୍ଵାଙ୍ଖାଡେଙ୍କ ସହ ମିଶି ଜାଫର ଅବିଭାଜିତ ଚତୁର୍ଥ ଓ୍ଵିକେଟ୍‌ରେ ୯୧ ରନ୍‌ ଯୋଡ଼ି ସାରିଛନ୍ତି। ଆନ୍ତର୍ଜାତିକ ଅଫ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ୪୩ ଓଭର ବୋଲିଂ କରିଥିଲେ ବି ୧୨୩ ରନ୍‌ ବ୍ୟୟ କରି କେବଳ ଫଜଲ୍‌ଙ୍କ ଓ୍ଵିକେଟ୍‌ ବ୍ୟତୀତ ଅଧିକ ପ୍ରଭାବ ପକାଇ ପାରିନାହାନ୍ତି।
ସଂକ୍ଷିପ୍ତ ସ୍କୋର୍‌: ବିଦର୍ଭ ପ୍ରଥମ ପାଳି-୧୮୦ ଓଭରରେ ୫୯୮/୩ (ଓ୍ଵାସିମ୍‌ ଜାଫର ୨୮୫*, ଗଣେଶ ସତୀଶ ୧୨୦, ଫୈଜ୍‌ ପଜଲ୍‌ ୮୯, ସଞ୍ଜୟ ରାମାସ୍ୱାମୀ ୫୩, ଓ୍ଵାଙ୍ଖାଡେ ୪୪*, ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ୧/୧୨୩, ସିଦ୍ଧାର୍ଥ କୌଲ ୧/୮୦, ଜୟନ୍ତ ଯାଦବ ୧/୧୪୯)।

ଜାଫରଙ୍କ କୀର୍ତିମାନ: ଈରାନୀ କପ୍‌ରେ ସର୍ବାଧିକ ସ୍କୋର୍‌
ଈରାନୀ କପ୍‌ର ଦ୍ୱିତୀୟ ଦିବସରେ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍‌ ଓ୍ଵାସିମ୍‌ ଜାଫର ଏକାଧିକ କୀର୍ତିମାନର ଅଧିକାରୀ ହୋଇଛନ୍ତି। ପ୍ରଥମେ ଜାଫର ଈରାନୀ କପ୍‌ ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ରନ୍‌ ସ୍କୋର୍‌ର୍‌ ହୋଇଛନ୍ତି। ଅପରାଜିତ ୨୮୫ ରନ୍‌ କରିଥିବା ଜାଫର ଏହିକ୍ରମରେ ମୁରଲୀ ବିଜୟଙ୍କ ନାମରେ ଥିବା ୨୬୬ ରନ୍‌ର କୀର୍ତିମାନକୁ ଟପି ଯାଇଛନ୍ତି। ପୁଣି ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଅଷ୍ଟମ ଦ୍ୱିଶତକ ଜମାଇ ଜାଫର ଏକ ମାଇଲଖୁଣ୍ଟ୍‌ ଅତିକ୍ରମ କରିଛନ୍ତି। ୪୦ ବର୍ଷ ବୟସରେ ଦ୍ୱିଶତକ ଜମାଇବାରେ ଜାଫର କ୍ରିକେଟ୍‌ ଇତିହାସରେ ପଞ୍ଚମ ବ୍ୟାଟ୍‌ସମ୍ୟାନ୍‌ ଭାବେ ପରିଗଣିତ ହୋଇଥିଲା ବେଳେ ୨୫୦ରୁ ଅଧିକ ସ୍କୋର୍‌ କରିବାରେ ପ୍ରଥମ ଭାରତୀୟ ଏବଂ ବୟସ୍କ ଏସୀୟ ଖେଳାଳି ହୋଇଛନ୍ତି। ଅନ୍ୟପକ୍ଷରେ ଜାଫର ମଧ୍ୟ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୧୮,୦୦୦ ରନ୍‌ ପୂରଣ କରି ଷଷ୍ଠ ଭାରତୀୟ ହୋଇଛନ୍ତି। ଏକ୍ଷେତ୍ରରେ ସେ ଦିଲିପ ଭେଙ୍ଗ୍‌ସର୍‌କାର (୧୭୮୬୮) ଏବଂ ଗୁଣ୍ଡାପ୍ପା ବିଶ୍ୱନାଥ (୧୭୯୭୦)ଙ୍କୁ ଟପି ଯାଇଛନ୍ତି। ଭାରତୀୟ ଘରୋଇ କ୍ରିକେଟ୍‌ରେ ସର୍ବକାଳୀନ ସର୍ବାଧିକ ରନ୍‌ ସ୍କୋର୍‌ କରିବାରେ ଏବେ ସେ ସୁନୀଲ ଗାଭାସ୍କର (୨୫,୮୩୪), ସଚିନ୍‌ ତେନ୍ଦୁଲକର (୨୫,୩୯୬), ରାହୁଲ୍‌ ଦ୍ରାବିଡ୍‌ (୨୩,୭୯୪), ଭିଭିଏସ୍‌ ଲକ୍ଷ୍ମଣ (୧୯, ୭୩୦) ଏବଂ ବିଜୟ ହଜାରେ (୧୮,୭୪୦)ଙ୍କ ପଛକୁ ରହିଛନ୍ତି।

ସମ୍ବନ୍ଧିତ ଖବର