ଜାଫର ତ୍ରିଶତକରୁ ବଞ୍ଚିତ; ବିଦର୍ଭ ୭୦୨/୫ 

ଈରାନୀ କପ୍‌

ନାଗପୁର: ୪୦ ବର୍ଷ ବୟସରେ ବି ଚମତ୍କାର କ୍ରିକେଟ୍‌ ଖେଳିବାର ଉଦାହରଣ ଛାଡ଼ିଲେ ଆନ୍ତର୍ଜାତିକ ଅଭିଜ୍ଞତା ସଂପନ୍ନ ପୁରୁଖା ଖେଳାଳି ଓ୍ଵାସିମ୍‌ ଜାଫର। ଏଠାରେ ଚାଲିଥିବା ଅବଶିଷ୍ଟ ଭାରତ ବିପକ୍ଷ ଈରାନୀ କପ୍‌ରେ ଏକ ଧୈର୍ଯ୍ୟପୂର୍ଣ୍ଣ ତଥା ବହୁ ମୂଲ୍ୟବାନ ଦ୍ୱିଶତକ ହାସଲ କରି ବିଦର୍ଭ ଦଳକୁ ବିଜେତା କରାଇବାର ସମ୍ଭାବନା ଦେଇଛନ୍ତି। ଜାଫର ମାତ୍ର ୧୪ ରନ୍‌ ପାଇଁ ତ୍ରିଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ତାଙ୍କ ଦଳ ତୃତୀୟ ଦିବସ ଶେଷ ସୁଦ୍ଧା ୫ ଓ୍ଵିକେଟ୍‌ ବିନିମୟରେ ପାହାଡ଼ ଭଳି ୭୦୨ ରନ୍‌ କରିନେଇଛି। ଜାଫର ୪୩୧ ବଲ୍‌ର ସାମ୍‌ନା କରି ୩୪ ଚୌକା ଓ ୧ ଛକା ଜରିଆରେ ୨୮୬ ରନ୍‌ କରି ତୃତୀୟ ଦିବସର ପ୍ରଥମ ଓ୍ଵିକେଟ୍‌ ଭାବେ ପାଭିଲିୟନ୍‌ ଫେରିଥିଲେ। ହେଲେ ସେ ଆଉଟ୍‌ ହେବା ପୂର୍ବରୁ ଚତୁର୍ଥ ଓ୍ଵିକେଟ୍‌ରେ ଓ୍ଵାଙ୍ଖାଡେଙ୍କ ସହ ୯୩ ରନ୍‌ ଯୋଡ଼ିଥିଲେ। ଏହା ପୂର୍ବରୁ ଗୁରୁବାର ଦ୍ୱିତୀୟ ଦିବସରେ ତୃତୀୟ ଓ୍ଵିକେଟ୍‌ରେ ସତୀଶ ଗଣେଶଙ୍କ ସହ ୨୮୯ ରନ୍‌ ଯୋଡ଼ିଥିଲେ। ପୂର୍ବଦିନ ସ୍କୋର୍‌ ୫୯୮/୩ରୁ ଶୁକ୍ରବାର ଖେଳିଥିବା ବିଦର୍ଭ ପାଇଁ ବର୍ଷା ଓ ଆଲୋକ ଅଭାବ ବାଟ ଓଗାଳିଥିଲା। ଆରମ୍ଭରୁ ବର୍ଷା ଏବଂ ଶେଷକୁ ଆଲୋକ ଅଭାବ ଯୋଗୁଁ ତୃତୀୟ ଦିବସରେ ମାତ୍ର ୨୮ ଓଭର ଖେଳ ସମ୍ଭବ ହୋଇଥିଲା। ଆଉ ଏଥିରେ ବିଦର୍ଭ ୨ ଓ୍ଵିକେଟ୍‌ ହରାଇ ୧୦୪ ରନ୍‌ ଯୋଡ଼ିଥିଲା। ଜାଫରଙ୍କ ପରେ ଓ୍ଵିକେଟ୍‌ରକ୍ଷକ ଓ୍ଵାଦ୍‌କର ୩୭ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ। ଓ୍ଵାଦ୍‌କର ମଧ୍ୟ ଆଉଟ୍‌ ହେବା ପୂର୍ବରୁ ଓ୍ଵାଙ୍ଖାଡେଙ୍କ ସହ ୯୧ ରନ୍‌ ଯୋଡ଼ିଥିଲେ। ଫଳରେ ପ୍ରତ୍ୟେକ ବିଦର୍ଭ ବ୍ୟାଟ୍‌ସମ୍ୟାନ୍‌ ହିଁ ଅବଶିଷ୍ଟ ଭାରତର ବୋଲରମାନଙ୍କୁ ଖୁବ୍‌ ନିରାଶ କରିଥିଲେ। ତେବେ ଆଲୋକ ଅଭାବ ଯୋଗୁଁ ତୃତୀୟ ଦିନର ଷ୍ଟମପ୍‌୍‌ସ ପ୍ରତ୍ୟାହାର ବେଳକୁ ଓ୍ଵାଙ୍ଖାଡେ (୯୯*) ଶତକଠୁ ମାତ୍ର ଗୋଟିଏ ରନ୍‌ ଦୂରରେ ଅପରାଜିତ ରହିଥିଲେ। ସିଦ୍ଧାର୍ଥ କୌଲ ସଫଳ ବୋଲର ଭାବେ ୯୧ ରନ୍‌ରେ ୨ ଓ୍ଵିକେଟ୍‌ ନେଇଥିଲେ। ମ୍ୟାଚ୍‌ର ଆଉ ୨ ଦିନ ବାକି ଥିଲା ବେଳେ ଏବଂ ବିଦର୍ଭର ପ୍ରଥମ ପାଳି ମଧ୍ୟ ଶେଷ ହୋଇନଥିବାରୁ ଫଳାଫଳ ବାହାରିବା ଆଶା କ୍ଷୀଣ ହୋଇପଡ଼ିଛି। ତେବେ ପ୍ରଥମ ପାଳି ଆଗୁଆ ଭିତ୍ତିରେ ବିଦର୍ଭ ବିଜେତା ହେବାର ସମ୍ଭାବନା ଅଧିକ ରହିଛି।

ସଂକ୍ଷିପ୍ତ ସ୍କୋର୍‌: ବିଦର୍ଭ ପ୍ରଥମ ପାଳି-୨୦୮ ଓଭରରେ ୭୦୨/୫ (ଓ୍ଵାସିମ୍‌ ଜାଫର ୨୮୬, ଗଣେଶ ସତୀଶ ୧୨୦, ଫୈଜ୍‌ ପଜଲ୍‌ ୮୯, ସଞ୍ଜୟ ରାମାସ୍ୱାମୀ ୫୩, ଓ୍ଵାଙ୍ଖାଡେ ୯୯*, ଓ୍ଵାଦ୍‌କର ୩୭, ସିଦ୍ଧାର୍ଥ କୌଲ ୨/୯୧, ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ୧/୧୨୩, ଜୟନ୍ତ ଯାଦବ ୧/୨୦୨)।

ସମ୍ବନ୍ଧିତ ଖବର