ଜାହିର ଥିଲେ ‌ବୋଲିଂ ବିଭାଗର ସଚିନ ତେନ୍ଦୁଲକର: ରାଇନା

ଲକ୍ଷ୍ନୌ: ସବୁ ଭାରତୀୟଙ୍କ ଭଳି ୨୦୧୧ କ୍ରିକେଟ୍ ବିଶ୍ବକପ୍‌ର ସ୍ମୃତିକୁ ରୋମନ୍ଥନ କରିଛନ୍ତି ବାମହାତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ୨୦୧୧ରେ ଦ୍ବିତୀୟ ଥର ପାଇଁ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍ ଜିତିବାର ଗୌରବ ଅର୍ଜନ କରିଥିବା ଭାରତୀୟ କ୍ରିକେଟ୍‌ ଦଳର ଅନ୍ୟତମ ସଦସ୍ୟ ଥିଲେ ରାଇନା। ଅଷ୍ଟ୍ରେଲିଆ ବିପକ୍ଷ କ୍ବାର୍ଟର ଫାଇନାଲ୍‌ ଓ ପାକିସ୍ତାନ ବିପକ୍ଷ ସେମିଫାଇନାଲରେ ସେ ଯାଥାକ୍ରମେ ୩୪ ଓ ୩୬ ରନ୍‌ର ଉପଯୋଗୀ ତଥା ଅପରାଜିତ ପାଳି ଖେଳିଥିଲେ। ହୋଲି ଓ ଦୀପାବଳୀ ଭଳି ଏପ୍ରିଲ-୨କୁ ଗତ ୯ ବର୍ଷ ‌ହେବ ‘ବିଶ୍ବକପ୍‌ ବିଜୟ ଦିବସ’ ଭାବେ ପାଳନ କରୁଥିବା ରାଇନା କିନ୍ତୁ ଏଥର ଦ୍ରୁତ ବୋଲର ଜାହିର ଖାନ୍‌ଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି। ଘରୋଇ ପରିବେଶରେ ଜାହିର କିଭଳି ଭାବେ ଭାରତର ବିଶ୍ବକପ୍ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ, ତା ଉପରୁ ପରଦା ଉଠାଇଛନ୍ତି ଉତ୍ତରପ୍ରଦେଶର ଏହି ତାରକା ଖେଳାଳି। ସେଦିନର କଥାକୁ ମନେ ପକାଇ ରାଇନା କହିଛନ୍ତି ଯେ ସୌଭାଗ୍ୟ ବଶତଃ ଆମେ ଯାହା ନିଷ୍ପତ୍ତି ନେଉଥିଲୁ, ସେ ସବୁ ଆମ ସପକ୍ଷରେ ଯାଉଥିଲା। ଜାହିର ଭାଇ ବୋଲିଂ ବାହିନୀର ନେତୃତ୍ବ ନେଉଥିଲେ। ସମସ୍ତେ ଆମ ଶକ୍ତିଶାଳୀ ବ୍ୟାଟିଂ ବାହିନୀ କଥା କହୁଥିଲେ, ହେଲେ ମୁଁ କହିବି ସେ ଆମ ବୋଲିଂ ବିଭାଗର ସଚିନ ତେନ୍ଦୁଲକର ଥିଲେ। ସେ ନିୟମିତ ବ୍ୟବଧାନରେ ଆମକୁ ୱିକେଟ୍ ଦେଉଥିଲେ। ସବୁଠାରୁ ବଳିଷ୍ଠ ଅବଦାନ ଅବଶ୍ୟ ଯୁବରାଜ ସିଂହଙ୍କର ଥିଲା।

ସେ ୱିକେଟ୍ ନେବା ସହ ମ୍ୟାଚ୍ ଶେଷ କରିବାର କାମ ଭଲ ଭାବରେ ତୁଲାଉଥିଲେ। ଜାହିର ୨୦୧୧ ବିଶ୍ବକପ୍‌ରେ ପାକିସ୍ତାନର ସାହିଦ ଆଫ୍ରିଦିଙ୍କ ସହ ଯୁଗ୍ମ ସର୍ବାଧିକ ୨୧ ୱିକେଟ୍ କରାୟତ୍ତ କରିଥିଲେ। ବାମହାତୀ ବୋଲର ଜାହିର ୯ ମ୍ୟାଚ୍‌ରୁ ମାତ୍ର ୧୮.୭୬ ହାରରେ ଏହି ସଫଳତା ଲାଭ କରିଥିଲେ। ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ରୋମାଞ୍ଚକର ଓ ହାଇଭୋଲଟେଜ୍ ଫାଇନାଲକୁ ମନେ ପକାଇ ରାଇନା କହିଥିଲେ ଯେ ୨୭୫ ରନ୍‌ର ଆହ୍ବାନପୂର୍ଣ୍ଣ ବିଜୟ ଲକ୍ଷ୍ୟ ଥିଲେ ମଧ୍ୟ ଡ୍ରେସିଂ ରୁମରେ ସମସ୍ତେ ଶାନ୍ତ ଥିଲେ। କିଏ ସାୱାର ତଳେ ଗାଧୋଉଥିଲେ ତ ଆଉ କିଏ ଆଇସ୍ ବାଥ୍ ନେଉଥିଲେ। ସମସ୍ତେ ବିଶ୍ବକପ୍ ଟ୍ରଫି କଥା ଭାବୁଥିଲେ। ନିଜ ନିଜ ଭିତରେ ମସ୍ତ ଥିଲେ, କାହା ସହ କେହି ବି କଥା ହେଉ ନଥିଲେ। ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଥିଲା, ବିଶ୍ବକପ୍ ଜିତିବା। ସଚିନ ତେନ୍ଦୁଲକର ଆଉଟ୍ ହେବା ପରେ ‌ଡ୍ରେସିଂ ରୁମ୍‌ରେ ନିଃସଙ୍ଗ ନିରବତା ଛାଇ ଯାଇଥିଲା। ସେହବାଗଙ୍କ ଆଉଟ୍ ପରେ ଗମ୍ଭୀର ଯେଭଳି ଭାବେ ଆତ୍ମବିଶ୍ବାସର ସହ ପଡ଼ିଆ ଭିତରକୁ ଯାଇଥିଲେ, ମୁଁ ଭାବିଥିଲି ସେ ହିଁ ଆମକୁ ବିଶ୍ବ ବିଜୟୀ କରାଇବେ। ମୁରଲୀଧରନ ବୋଲିଂ କରୁଥିବାରୁ ଯୁବରାଜଙ୍କ ଆଗରେ ବ୍ୟାଟିଂ ପାଇଁ ଯିବାକୁ ଧୋନି ପ୍ରଶିକ୍ଷକ କର୍ଷ୍ଟେନଙ୍କୁ କହିଥିଲେ। ତା ପରେ ଯାହା ହେଲା, ତାହା ଇତିହାସ।

ସମ୍ବନ୍ଧିତ ଖବର