ସାଉଥାମ୍ପଟନ୍ : ଜାକ୍ କ୍ରଲିଙ୍କ ପ୍ରଥମ ଟେଷ୍ଟ ଶତକ ବଳରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ନିଜ ସ୍ଥିତି ଦୃଢ଼ କରିନେଇଛି। ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୪ ୱିକେଟ୍ ହରାଇ ୩୩୨ ରନ୍ କରିଥିଲା।
ଶୃଙ୍ଖଳାରେ ୧-୦ରେ ଆଗୁଆ ଥିବା ଇଂଲଣ୍ଡ ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ଟସ୍ ଜିତିଥିଲା। ଜୋ ରୁଟ୍ ତୁରନ୍ତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ରୋଜ ବାଉଲ୍ ପିଚ୍ ମଧ୍ୟ ବୋଲରଙ୍କୁ ବିଶେଷ ଫାଇଦା ଦେଉନଥିଲା। ଏହା ସତ୍ତ୍ବେ ନିଜର ତୃତୀୟ ଓଭରରେ ସାହିନ୍ ସାହା ଆଫ୍ରିଦୀ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ରୋରି ବର୍ନସ (୬)ଙ୍କୁ ସାନ୍ ମାସୁଦଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ। ଏହା ପରେ ଡୋମିନିକ୍ ଶିବଲେ (୨୨, ୪୭ ବଲ୍)ଙ୍କୁ ସାଥି କରି ଜାକ୍ କ୍ରଲି ଅର୍ଧଶତକୀୟ (୬୧ ରନ୍) ଭାଗୀଦାରି ଗଢ଼ିଥିଲେ। ଶିବଲେଙ୍କୁ ସ୍ପିନର୍ ୟାସିର୍ ସାହା ଆଉଟ୍ କରିଥିଲେ। ମଧ୍ୟାହ୍ନ ଭୋଜନ ବିରତି ପରେ ଜୋ ରୁଟ୍ (୨୯) ଏବଂ ଓଲି ପୋପ୍ (୩)ଙ୍କୁ ଯଥାକ୍ରମେ ନସିମ୍ ସାହା ଓ ୟାସିର୍ ସାହା ଆଉଟ୍ କରିବାରୁ ଇଂଲଣ୍ଡ ୧୨୭/୪ରେ ସଂଘର୍ଷ କରିଥିଲା। ଏହା ପରେ କିନ୍ତୁ ଜାକ୍ କ୍ରଲି(୧୭୧*, ୨୬୯ ବଲ୍, ୧୯ ଚୌକା) ଏବଂ ୱିକେଟରକ୍ଷକ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟ୍ଟଲର୍(୮୭*, ୧୪୮ ବଲ୍, ୯ଚୌକା, ୨ ଛକା)ଙ୍କ ମଧ୍ୟରେ ଦ୍ବିଶତକୀୟ (୨୦୫*) ଭାଗୀଦାରି ହୋଇଥିଲା। ଅଷ୍ଟମ ଟେଷ୍ଟ୍ ଓ ଦ୍ବାଦଶ ପାଳିରେ କ୍ରଲି ନିଜ ୮ ମାସର ଟେଷ୍ଟ୍ ଜୀବନରେ ସବୁଠାରୁ ବଡ଼ ପାଳି ଖେଳିଥିଲେ। ଏହି ୨୨ ବର୍ଷୀୟ ଡାହାଣହାତୀ ବ୍ୟାଟସମ୍ୟାନ୍ ୧୬୮ ବଲ୍ରୁ ନିଜ ପ୍ରଥମ ଶତକ ହାସଲ କରିଥିଲେ। ଏହି ପାଳି ଅବସରରେ କ୍ରଲି ମଧ୍ୟ ନିଜ ପୂର୍ବ ବ୍ୟକ୍ତିଗତ ଶ୍ରେଷ୍ଠ ଟେଷ୍ଟ (୭୬) ଓ ପ୍ରଥମ ଶ୍ରେଣୀ (୧୬୮)କୁ ଅତିକ୍ରମ କରିଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ପାଳି: ୯୦ ଓଭରରେ ୩୩୨/୪ (ଜୋ ରୁଟ୍-୨୯, ଡୋମିନିକ୍ ଶିବଲେ-୨୨, ଜାକ୍ କ୍ରଲି-୧୭୧*, ଜୋସ୍ ବଟ୍ଟଲର୍-୮୭*, ୟାସିର୍ ସାହା-୨/୧୦୭, ସାହିନ୍ ସାହା ଆଫ୍ରିଦୀ-୧/୭୧, ନିସାମ୍ ସାହା-୧/୬୬)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/zac.jpg)