ଆଜି ଶେଷ ଦିନିକିଆ, ଜିମ୍ବାୱେକୁ ମୂଳପୋଛ ଲକ୍ଷ୍ୟରେ ଭାରତ

ହରାରେ : ଜିମ୍ବାୱେ ବିପକ୍ଷ ଏକଦିବସୀୟ ଶୃଙ୍ଖଳାକୁ ଆଗୁଆ ୨-୦ରେ ଜିତି ନେଇଥିବା ଭାରତୀୟ କ୍ରିକେଟ୍ ଦଳ ଏବେ ଶୃଙ୍ଖଳା ମୂଳପୋଛ ଉପରେ ଆଖି ପକାଇଛି। ସୋମବାର ଖେଳାଯିବାକୁ ଥିବା ତିନି ଟିକିଆ ଶୃଙ୍ଖଳାର ତୃତୀୟ ତଥା ‌ଶେଷ ମୁକାବିଲାକୁ ଜିତିପାରି‌ଲେ କେଏଲ୍ ରାହୁଲଙ୍କ ଦଳର ଏହି ଲକ୍ଷ୍ୟ ପୂରଣ ହେବ। ହରାରେ ସ୍ପୋର୍ଟସ କ୍ଲବ୍ ପଡ଼ିଆରେ ମଧ୍ୟ ଭାରତର ଅପରାଜେୟ ଧାରା ଜାରି ରହିବ।

ଶୃଙ୍ଖଳା ଜିତି ସାରିଥିବାରୁ ଭାରତ ପାଖରେ ଏହି ମ୍ୟାଚ୍‌ରେ ସାନି ପରୀକ୍ଷା ନିରୀକ୍ଷା କରିବାର ସୁଯୋଗ ଖୋଲା ରହିବ। ପ୍ରଥମ ଦୁଇ ମ୍ୟାଚ୍‌ରେ ରାହୁଲ ବଳିଷ୍ଠ ନେତୃତ୍ବର ପରିଚୟ ଦେଇଥିଲେ ମଧ୍ୟ ବ୍ୟକ୍ତିଗତ ଭାବେ କ୍ରିଜ୍‌ରେ ଅଧିକ ସମୟ କଟାଇ ପାରିନାହାନ୍ତି। ଶିଖର ଧାୱନ ଓ ଶୁବମନ ଗିଲ୍‌ଙ୍କ ଚିତ୍ତାକର୍ଷକ ବ୍ୟାଟିଂ ପାଇଁ ପ୍ରଥମ ଦିନିକିଆରେ ତାଙ୍କୁ ବ୍ୟାଟିଂ ପାଇଁ ଆସିବାକୁ ପଡ଼ିନଥିଲା। ଦୀର୍ଘ ୬ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଥିବା ରାହୁଲ କିନ୍ତୁ ଦ୍ବିତୀୟ ମ୍ୟାଚ୍‌ରେ ମାତ୍ର ୧ ରନ୍‌ରେ ଅଟକି ଯାଇଥିଲେ। ଫଳରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ନିଜ ପ୍ରତିଭାକୁ ଆହୁରି ଶାଣିତ କରିବାର ଏକ ଭଲ ସୁଯୋଗ ହାତଛଡ଼ା କରିଥିଲେ। ସେଥିପାଇଁ ସୋମବାର ବ୍ୟକ୍ତିଗତ ଭାବେ ଏକ ବଡ଼ ପାଳି ଖେଳିବା ଆଶାରେ ନିଶ୍ଚିତ ଭାବେ ରହିବେ ସେ। ଅନ୍ୟପକ୍ଷରେ ପ୍ରଥମ ଦୁଇ ମ୍ୟାଚ୍‌ରେ ଜିମ୍ବାୱେର ବ୍ୟାଟିଂ ଦଳକୁ ସଂପୂର୍ଣ୍ଣ ନିରାଶ କରିଥିଲା। ଘରୋଇ ଦଳ ତା’ର ବ୍ୟାଟିଂ ସମସ୍ୟାକୁ ସୁଧାରି ଭାରତକୁ କଡ଼ା ଟକ୍କର ଦେବାକୁ ଆଶା ରଖିଥିବ। ଏଥିଲାଗି କିନ୍ତୁ ଏହାର ଶୀର୍ଷକ୍ରମକୁ ଦାୟିତ୍ବବାନ ବ୍ୟାଟିଂ କରିବାକୁ ହେବ। ଜିମ୍ବାୱେର ଶେଷ ଶତକୀୟ ଭାଗୀଦାରି ଦୀର୍ଘ ୮ ବର୍ଷ ତଳେ ଅର୍ଥାତ୍ ୨୦୧୪ରେ ଆସିଥିଲା। ୨୦୨୦ ମସିହା ଆରମ୍ଭ ପରଠାରୁ ୧୪ ଭିନ୍ନ ଭିନ୍ନ ଓପନିଂ ଯୋଡ଼ି ଚେଷ୍ଟା କରି ଲଗାତାର ବିଫଳ ହୋଇଛି ଏହି ଦଳ। ଏହି ସମୟ ମଧ୍ୟରେ ଜିମ୍ବାୱେର ହାରାହା‌ରି ପ୍ରଥମ ୱିକେଟ୍ ଭାଗିଦାରୀ ମାତ୍ର ୧୫ ରହିଛି। ଯାହା ଦଳ ବଡ଼ ସ୍କୋର କରିନପାରିବାର ପ୍ରମୁଖ କାରଣ। ଏହି ଦୋଷ ଦୁର୍ବଳତା ଦୂର ନକଲେ ଭାରତକୁ ହରାଇବା ଜିମ୍ବାୱେ ପାଇଁ ଆଦୌ ସହଜ ହେବନି।

ଗତ ଦୁଇ ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରତିପକ୍ଷ ଜିମ୍ବାୱେକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ତେବେ ସୋମବାର ପ୍ରଥମେ ବ୍ୟାଟିଂ କରି ଏକ ବଡ଼ ସ୍କୋର କରିବାକୁ ଯୋଜନା ରଖିଥିବ। ଏହା କରି ଆସନ୍ତା ସପ୍ତାହର ଏସିଆ କପ୍ ପୂର୍ବରୁ ଭଲ ଅଭ୍ୟାସ କରିବାକୁ ଭାରତୀୟ ବ୍ୟାଟର୍ ଆଶା ରଖିଥିବେ।

ସମ୍ଭାବ୍ୟ ଭାରତ: ଶୁବମନ ଗିଲ୍, ଶିଖର ଧାୱନ/ଋତୁରାଜ ଗାଏକ୍ବାଡ୍, ଈଶାନ କିଶନ, କେଏଲ୍ ରାହୁଲ (ଅଧିନାୟକ), ଦୀପକ ହୁଦା, ସଞ୍ଜୁ ସାମସନ, ଅକ୍ଷର ପଟେଲ/ଶାହବାଜ ଅହମ୍ମଦ, ଶାର୍ଦୁଳ ଠାକୁର/ଦୀପକ ଚହର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା/ଆୱେଶ ଖାନ୍, କୁଲଦୀପ ଯାଦବ।

ସମ୍ଭାବ୍ୟ ଜିମ୍ବାୱେ: ତାକୁଦ୍ବାନାସେ କାଇତାନୋ, ଇନୋସେଣ୍ଟ କାଇଆ, ରେଜିସ୍ ଚକଭା (ଅଧିନାୟକ), ୱେସଲି ମାଧେଭେରେ/ଟୋନି ମୁନ୍ବେଙ୍ଗା, ସିକନ୍ଦର ରାଜା, ସିନ୍ ୱିଲିୟମ୍ସ, ରିୟାନ ବୁର୍ଲ, ଲୁକ୍ ଜଙ୍ଗୱି, ବ୍ରାଡ୍ ଇଭାନ୍ସ, ଭିକ୍ଟର ନ୍ୟାୟୁଚି, ତନକା ଚିଭାଙ୍ଗା।

ଭାରତ-ଜିମ୍ବାୱେ ପରସ୍ପର ମୁହାଁମୁହିଁ
ସୋମବାର ତୃତୀୟ ଦିନିକିଆ ଖେଳାଯିବା‌ ପୂର୍ବରୁ ଉଭୟ ଭାରତ ଓ ଜିମ୍ବାୱେ ଦଳ ପରସ୍ପର ସହ ମୋଟ ୬୫ ଥର ମୁହାଁମୁହିଁ ହୋଇଛନ୍ତି। ଏଥିରୁ ଜିମ୍ବାୱେ ୧୦ ଦିନିକିଆ ଜିତିଥିଲା ବେଳେ ଭାରତ ସପକ୍ଷରେ ୫୩ ମ୍ୟାଚ୍‌ ରହିଛି। ଅବଶିଷ୍ଟ ୨ ଦିନିକିଆ ‘ଟାଇ’ରେ ଶେଷ ହୋଇଛି। ଅନ୍ୟପକ୍ଷରେ ଜିମ୍ବାୱେ ମାଟିରେ ଉଭୟ ଦଳ ୨୫ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲା ବେଳେ ଘରୋଇ ଦଳ ମାତ୍ର ୪ରେ ବିଜୟୀ ହୋଇଛି ଏବଂ ୨୧ ମ୍ୟାଚ୍‌ର ଫଳାଫଳ ଭାରତ ସପକ୍ଷରେ ରହିଛି।

ପରିସଂଖ୍ୟାନ
ଆଉ ୨ଟି ଚୌକା ମାରିପାରିଲେ କେଏଲ୍‌ ରାହୁଲ (୫୯୮ ଚୌକା) ସମସ୍ତ ଫର୍ମାଟ୍‌ରେ ୬୦୦ ଚୌକା ପୂରଣ କରିବାର ସଫଳତା ଲଭା କରିବେ।
ଶୁବମନ୍ ଗିଲ୍‌ (୯୪୮ ରନ୍‌) ୫୨ ରନ୍‌ କରିନେଲେ ଆନ୍ତର୍ଜାତିକ ମ୍ୟାଚ୍‌ରେ ୧୦୦୦ ରନ୍‌ ପୂରଣ କରିବେ।
ଶାର୍ଦୁଳ ଠାକୁର (୯୫) ସମସ୍ତ ଫର୍ମା‌ଟ୍‌ରେ ୧୦୦ ୱିକେଟ୍‌ ପୂରଣଠାରୁ ମାତ୍ର ୫ ଦୂରରେ ରହିଛନ୍ତି।

ସମ୍ବନ୍ଧିତ ଖବର